ମୁମ୍ୱାଇ: ଶିବସେନା (ୟୁବିଟି)ର ଛଅ ବିଦ୍ରୋହୀ ସାଂସଦ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ସାମିଲ ହୋଇଛନ୍ତି । ସିନ୍ଦେ କ୍ୟାମ୍ପରେ ଯୋଗ ଦେଇଥିବା ସାଂସଦଙ୍କ ମଧ୍ୟରେ ସଞ୍ଜୟ ହରିଭାଉ ଯାଦବ, ଭାଉସାହେବ ରାଜାରାମ ୱାକଚରେ, ଓମପ୍ରକାଶ ଭୂପାଲସିଂହ ନିମ୍ବଲକର, ସଞ୍ଜୟ ଦୀନା ପାଟିଲ, ସଞ୍ଜୟ ଉତ୍ତମରାଓ ଦେଶମୁଖ ଏବଂ ନାଗେଶ ବାପୁରାଓ ପାଟିଲ ଅଷ୍ଟିକର ଅଛନ୍ତି । ଏହି ମିଶ୍ରଣ ପରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି-ରାଜ୍ୟରେ ଅପରେସନ ଟାଇଗର୍ ଏବେ ସମ୍ପୂର୍ଣ୍ଣ ଏବଂ ସଫଳ ହୋଇଛି ।

 

ଜୁନ୍ ୧୭ରେ ଦିଲ୍ଲୀରେ ଅନୁଷ୍ଠିତ ଶିବସେନା (ୟୁବିଟି) ସଂସଦୀୟ ଦଳ ବୈଠକରେ ଏହି ସାଂସଦମାନେ ଯୋଗ ଦେଇ ନଥିଲେ । ଏହାପରେ ସେମାନେ ଦଳ ପରିବର୍ତ୍ତନ କରୁଥିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ଆଜି ଏକନାଥ ସିନ୍ଦେ ନିଜେ ସାଂସଦମାନଙ୍କ ଯୋଗଦାନ ନେଇ ଘୋଷଣା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, "ଏବେ ମୋର ତିନି ଜଣ ସଞ୍ଜୟ ଅଛନ୍ତି ।" ଏହି ଅବସରରରେ ସେ ୨୦୨୨ ବିଦ୍ରୋହର କଥା ମଧ୍ୟ ମନେ ପକାଇଥିଲେ।

ସେହି ସମୟରେ ୪୦ ଜଣ ବିଧାୟକ ବିଦ୍ରୋହ କରି ଏକନାଥ ସିନ୍ଦେଙ୍କ ସହିତ ଯୋଗ ଦେଇଥିଲେ । ସେ କହିଛନ୍ତି, "ଆମେ ସର୍ବଦା ବାଲାସାହେବ ଠାକରେଙ୍କ ବିଚାରଧାରାକୁ ରକ୍ଷା କରିବା ପାଇଁ ଲଢ଼ିଛୁ । ଏହା ବିଦ୍ରୋହର ଦ୍ୱିତୀୟ ପର୍ଯ୍ୟାୟ । ସମସ୍ତ ଛଅ ଜଣ ସାଂସଦ ପ୍ରକୃତ ଶିବସେନାରେ ଯୋଗ ଦେଇଛନ୍ତି । ସେମାନଙ୍କ ସହିତ କେବଳ ଜଣେ ନୁହେଁ, ବରଂ ଛଅ ଜଣ ଟାଇଗର ଅଛନ୍ତି । ସେମାନେ ଶିବସେନା ପରିବାରର ଅଂଶ ହୋଇଛନ୍ତି ।"

ଏକନାଥ ସିନ୍ଦେ କହିଛନ୍ତି, "ଆମେ ଏଥର ଛକା ମାରିଛୁ । ଆମେ କାହାର ରାସ୍ତାରେ ବାଧା କରୁନୁ, କିନ୍ତୁ ଯଦି କେହି ଆମ ରାସ୍ତା ଅତିକ୍ରମ କରିବାକୁ ଚେଷ୍ଟା କରନ୍ତି, ତେବେ ବାଲାସାହେବ ଠାକରେ ଆମକୁ କଡ଼ା ଜବାବ ଦେବାକୁ ଶିଖାଇଥିଲେ ।" ସେ କହିଛନ୍ତି, "ଆମର ୪୦ ଜଣ ବିଧାୟକ ଥିଲେ, କିନ୍ତୁ ନିର୍ବାଚନରେ ୬୦ ଜଣ ବିଧାୟକ ନିର୍ବାଚିତ ହୋଇଆସିଲୁ । ଆମେ ଗତ ଦୁଇ ବର୍ଷ ମଧ୍ୟରେ ଶିବସେନାକୁ ମଜଭୁତ କରିଛୁ ।"