ଭୁବନେଶ୍ବର ୨୭।୯: ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଭୁବନେଶ୍ୱର R&B ଡିଭିଜନ୍-୧ରେ ଭିଜିଲାନ୍ସର ବଡ଼ ଆକ୍ସନ । ସେକ୍ସନ୍ ଅଫିସର ବନଲତା ମହାନ୍ତି ଓ ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକଙ୍କ ଗିରଫ ପରେ ଏବେ ଆଉ ୪ କର୍ମଚାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ହୋଇଛନ୍ତି ଦୀପକ କୁମାର ରାଉତରାୟ, ଲକ୍ଷ୍ମଣ ବିଶ୍ୱାଳ ଏବଂ ଦୁଇ ଡାଟା ଏଣ୍ଟ୍ରି ଅପରେଟର ରାଜୀବ ଲୋଚନ ସେନାପତି ଓ ସୌମ୍ୟ ରଞ୍ଜନ ମହାପାତ୍ର । ବ୍ୟକ୍ତିଗତ ଖାତାକୁ ଯାଇଛି ଲକ୍ଷ ଲକ୍ଷ ଟଙ୍କା । ଦୀପକଙ୍କ ଖାତାକୁ ୩୨ ଲକ୍ଷ ୪୭ ହଜାର, ଲକ୍ଷ୍ମଣଙ୍କ ଖାତାକୁ ୧୬ ଲକ୍ଷ ୨୧ ହଜାର, ରାଜୀବଙ୍କ ଖାତାକୁ ୨୮ ଲକ୍ଷ ୨୮ ହଜାର ଏବଂ ସୌମ୍ୟଙ୍କ ଖାତାକୁ ୩୫ ଲକ୍ଷ ୬୯ ହଜାର ଟଙ୍କା ଯାଇଥିବା ବେଳେ ମନି ଟ୍ରାଞ୍ଜାକ୍ସନ ଏବଂ ସିରିଜ୍ ଲିଙ୍କ୍ ଦେଖି ଭିଜିଲାନ୍ସ ମଧ୍ୟ ତାଜୁବ ।

୨୦୨୨-୨୩ରୁ ୨୦୨୫-୨୬ ମଧ୍ୟରେ ମିଛ ଅର୍ଡର ବିଲ୍, ଗ୍ରାଜୁଟି ଅବସରକାଳୀନ ଟଙ୍କାକୁ ଅଧୀକ୍ଷଣ ଯନ୍ତ୍ରୀଙ୍କ ୟୁଜର ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ଆତ୍ମସାତ୍ କରିଥିଲେ । ପ୍ରାୟ ୯ କୋଟି ୨୪ ଲକ୍ଷ ଟଙ୍କାର ଅନିୟମିତତାରେ ୪୮ ଜଣ ଲୋକଙ୍କର ୭୭ଟି ଆକାଉଣ୍ଟ ବ୍ୟବହାର କରି ଖାଇଛନ୍ତି ଟଙ୍କା । ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ R&B ଡିଭିଜନ-୧ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଅଧୀକ୍ଷଣ ଯନ୍ତ୍ରୀ ମଧ୍ୟ ରହିଛନ୍ତି ସ୍କାନରରେ । ଏପର୍ଯ୍ୟନ୍ତ ୩ କୋଟି ୯୬ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ୪ ବର୍ଷର ଏହି କଳା କାରନାମା ଭିତରେ ଚାରି ଜଣ ବାହାର ଲୋକଙ୍କ ସମ୍ପୃକ୍ତି ରହିଛି । ଯେଉଁମାନେ ଡିଭିଜନ-୧ର କର୍ମଚାରୀ ନୁହନ୍ତି । କିନ୍ତୁ ତାଙ୍କୁ ନିୟୋଜିତ କରିଥିଲେ ଓ ମାସକୁ ମାସକୁ ବନଲତା ମହାନ୍ତି ଏବଂ ବିଭୁଦତ ନାୟକ ଦରମା ମଧ୍ୟ ଦେଉଥିଲେ । କଥା ସେତିକି ନୁହେଁ, କଳା ଟଙ୍କାରେ ବନଲତା ସୁନା ଗହଣା, ପିଲାଙ୍କୁ ବିଦେଶରେ ପାଠ ପଢ଼ାଇବା ସହ କୋଟିଏ ଟଙ୍କାର ଜମି କିଣିଥିଲେ । ସେପଟେ ବିଭୁଦତ୍ତ ମଧ୍ୟ ଏହି ଆତ୍ମସାତ୍ ଟଙ୍କାରେ ଅନଲାଇନ୍ ଟ୍ରେଡିଂ କରିବା ଜଣାପଡିଛି ।

Also Read:- ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ବୋଟ୍‌ରେ ଯାଇ ଦେଖିଲେ ପ୍ରଭାବିତ ଅଞ୍ଚଳ

ପାଖାପାଖି ଚାରିବର୍ଷ ହେବ ଗୋଟିଏ ସରକାରୀ କାର୍ଯ୍ୟାଳୟରେ ଏହି କଳା କାରନାମା ଚାଲିଥିବା ବେଳେ କାହିଁକି ଜାଣି ପାରିଲେନି ଉପରିସ୍ଥ ବିଭାଗୀୟ ଅଧିକାରୀ ? ଏମିତି କେତେବର୍ଷ ହେବ ଚାଲିଥିଲା ଏହି କାଣ୍ଡ ? ଆହୁରି କେତେ ଲୋକଙ୍କ ଆକାଉଣ୍ଟ ବ୍ୟବହାର କରିଛନ୍ତି ଏହି ଦୁଇ ମାଷ୍ଟର ମାଇଣ୍ଡ ? ଯେତିକି ଲିଙ୍କ୍ ଆସିଛି ସମସ୍ତଙ୍କୁ ସମନ ଦିଆଯିବ । ଅଧୀକ୍ଷଣ ଯନ୍ତ୍ରୀ, ବିଭାଗୀୟ ଅଧିକାରୀଙ୍କୁ ପଚରାଉଚରା କରିବାକୁ ନିଷ୍ପତ୍ତି ନେଇଛି ଭିଜିଲାନ୍ସ ।