ଭୁବନେଶ୍ୱର : ୬୦ କିଲୋମିଟର ବେଗରେ ପବନ। ପ୍ରବଳରୁ ଅତି ପ୍ରବଳ ବର୍ଷା । ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶା ପାଇଁ ଏଭଳି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)। ବାତ୍ୟା ହେବ, ତାହା ସମୁଦ୍ର ଭିତରେ ଭୀଷଣ ରୂପ ନେବ । ଏହା ସ୍ପଷ୍ଟ କରିଛି ଆଇଏମଡି। କିନ୍ତୁ, କେଉଁ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ, କ'ଣ ପ୍ରଭାବ ପଡ଼ିବ, ଏଯାଏଁ ସ୍ପଷ୍ଟ ଆକଳନ କରାଯାଇନି। ଭୁବନେଶ୍ଵର ପାଣିପାଗ କେନ୍ଦ୍ର ସୂଚନା ଦେଇଛି, ଏହା ପ୍ରଭାବରେ ଆସନ୍ତା ୧୮ରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ୨୦ ଯାଏଁ ବର୍ଷା ଲାଗି ରହିବ। ତା’ପରେ ବି ବର୍ଷା ରହିପାରେ। ବେଶି ବର୍ଷିବ ଦକ୍ଷିଣ ଏବଂ ଉପକୂଳରେ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନଟ ଲଘୁଚାପ ରହିଛି। ଉତ୍ତର-ପଶ୍ଚିମରେ ଗତି କରି ରବିବାରକୁ ଏହା ଅବପାତ ରୂପ ନେଇପାରେ। ତା'ପରେ ମୁହାଁଇବ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ। ଘନୀଭୂତ ହୋଇ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଭାଗ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହୋଇପାରେ। ନାଁ ରହିବ ‘ଅକଭାନ’। ଆଇଏମଡି ସମ୍ଭାବ୍ୟ ଚିତ୍ର ଅନୁସାରେ ୧୮ ତାରିଖବେଳକୁ ସମୁଦ୍ର ଭିତରେ ଏହା ଭୀଷଣ ବାତ୍ୟା ରୂପ ନେବ ସେତେବେଳେ ସମୁଦ୍ର ଭିତରେ ପବନ ବହୁଥିବ ଘଣ୍ଟା ପ୍ରତି ୭୫-୮୫ ବେଗରେ । ଝଟକା ପବନ ବେଗ ବେଗ ଛୁଇଁପାରେ ୯୫ କିମି। ଏତିକି ପୂର୍ବାନୁମାନରେ ଅଟକିଛି ଆଇଏମଡି। ତେବେ ଅଧିକାଂଶ ମଡେଲ୍ ଅନୁସାରେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରରେ ଲ୍ୟାଣ୍ଡଫଲ୍ କରିପାରେ।

ଜିଏଫଏସ୍ ଆକଳନ ଅନୁସାରେ ୧୯ ତାରିଖ ବିଳମ୍ବିତ ରାତିରୁ କିମ୍ବା ୨୦ ତାରିଖ ଭୋର ଭିତରେ ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିପାରେ। ଇସିଏମଡବଲୁଏଫ ମଡେଲ ଅନୁସାରେ ୨୦ ତାରିଖ ପୂର୍ବାହ୍ନରେ ବାତ୍ୟା ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ମାଡ଼ ହୋଇପାରେ। ବାତ୍ୟା ଅତି ଭୀଷଣ ରୂପ ନେଇପାରେ। ଦକ୍ଷିଣ ଓଡ଼ିଶା ନିକଟବର୍ତ୍ତୀ ଆନ୍ଧ୍ର ଉପକୂଳକୁ ଏହା ମୁହାଁଇବା ସମ୍ଭାବନା ବେଶି। ବିଶେଷଜ୍ଞ କହିଛନ୍ତି, ଏଭଳି ହେଲେ ଦକ୍ଷିଣ ଓଡ଼ିଶା ବେଶି ପ୍ରଭାବିତ ହୋଇପାରେ। ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି।

ଭୁବନେଶ୍ଵର ପାଣିପାଗ କେନ୍ଦ୍ର ଅନୁସାରେ ୧୮ ତାରିଖରେ ଦକ୍ଷିଣ, ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ଗଞ୍ଜାମରୁ ବାଲେଶ୍ଵର ଉପକୂଳ, ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ ୪୦-୫୦ କିମି ପବନ ବହିପାରେ। ୧୯ରେ ବର୍ଷା ବଢ଼ିବ। ଉପକୂଳ, ଦକ୍ଷିଣ ଏବଂ ସଂଲଗ୍ନ ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ଗଜପତି, ଗଞ୍ଜାମ, ପୁରୀର ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି। ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ୫୦- ୬୦ କିମି ବେଗରେ ପବନ ହୋଇପାରେ। ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା, ନୟାଗଡ଼ର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସହ କେତେକ ଜାଗାରେ ୫୦-୬୦ ପବନ ରହିପାରେ।

Also Read :- ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଭାରତ ଆସିବେ ପାକିସ୍ତାନ ମନ୍ତ୍ରୀ: ସୁଧୁରିପାରେ କି ସମ୍ପର୍କ ?

୨୦ ତାରିଖରେ ଗଞ୍ଜାମରୁ ବାଲେଶ୍ଵର ପର୍ଯ୍ୟନ୍ତ ଉପକୂଳ ଜିଲ୍ଲା, ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମର କେତେକ ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ଜଗତସିଂହପୁର, କଟକ, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି। ପବନ ବି ରହିପାରେ ୫୦-୬୦ କିମି ବେଗରେ। ଏହାବାଦ୍ ଉତ୍ତର ଉପକୂଳ ଓଡ଼ିଶା, ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ପବନ ୫୦- ୬୦ କିମି ରହିପାରେ । ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଏବଂ ୪୦-୫୦ ପବନ ଆଶଙ୍କା ଅଛି।

୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଉପକୂଳରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବା ଆଶଙ୍କା ଅଛି। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ସେହି ସମୟରେ ଯିବା ପାଇଁ ବାରଣ କରାଯାଇଛି ।