ମୁମ୍ୱାଇ ୨୩।୦୧: ୯୮ତମ ଅସ୍କାର ପୁରସ୍କାର ପୂର୍ବରୁ ବହୁ ପ୍ରତୀକ୍ଷିତ ନୋମିନେସନ୍ ତାଲିକା ଜାରି ହୋଇଛି । ୧୬ ନୋମିନେସନ୍ ସହିତ ଇତିହାସ ରଚିଛି ଫିଲ୍ମ ‘ସିନର୍ସ’ । ‘ଅଲ୍ ଏବାଉଟ୍ ଇଭ୍’ (୧୯୫୦), ‘ଟାଇଟାନିକ୍’ (୧୯୯୭) ଓ ‘ଲା ଲା ଲାଣ୍ଡ୍’ (୨୦୧୬) ଫିଲ୍ମର ପୂର୍ବ ଅସ୍କାର ନୋମିନେସନ୍ ରେକର୍ଡକୁ ଏହା ଧୂଳିସାତ୍ କରିଛି । ୧୩ ନୋମିନେସନ୍ ସହିତ ୨ୟରେ ଅଛି ‘ୱାନ୍ ବ୍ୟାଟଲ୍ ଆଫ୍ଟର ଆନାଦର’ ।

‘ମାର୍ଟି ସୁପ୍ରିମ୍’, ‘ଫ୍ରାଙ୍କେନ୍ଷ୍ଟିନ୍’ ଓ ‘ସେଣ୍ଟିମେଣ୍ଟାଲ ଭାଲ୍ୟୁ’ ୯ଟି ଲେଖାଏଁ ବିଭାଗରେ ନୋମିନେଟ୍ ହୋଇଛନ୍ତି । ୮ ନୋମିନେସନ୍ ସହ ପ୍ରତିଦ୍ୱନ୍ଦ୍ୱିତା କରିବ ‘ହାମ୍ନେଟ୍’ । ଭାରତରୁ ଔପଚାରିକ ରୂପେ ଅସ୍କାର ନୋମିନେସନ୍ ପାଇଁ ଚୟନ ହୋଇଥିବା ଫିଲ୍ମ ‘ହୋମ୍ବାଉଣ୍ଡ’ ନୋମିନେସନ୍ ତାଲିକାରୁ ବାଦ୍ ପଡ଼ିଛି । ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର୍ ଫିଲ୍ମ ବିଭାଗ ପାଇଁ ନୀରଜ ଘେୱାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଭାରତର ଅସ୍କାର ଏଣ୍ଟ୍ରି ଭାବେ ଚୟନ କରାଯାଇଥିଲା । ଆସନ୍ତା ମାର୍ଚ୍ଚ ୧୫ରେ ଅସ୍କାର ପୁରସ୍କାର ସମାରୋହ ଆୟୋଜିତ ହେବ । କାର୍ଯ୍ୟକ୍ରମ ସଂଚାଳନା କରିବେ ଆମେରିକୀୟ କମେଡିଆନ୍ କୋନାନ ଓ’ବ୍ରାଏନ୍ ।