ଭୁବନେଶ୍ୱର,୭|୦୬:ମୋ ପାଇଁ ଚଳଚ୍ଚିତ୍ର ନିର୍ମାଣ ସବୁବେଳେ ସମାଜରେ ପରିବର୍ତ୍ତନ ଆଣିବାର ଏକ ପ୍ରୟାସ ହୋଇ ରହିଆସିଛି। ମୋର ଲକ୍ଷ୍ୟ କେବଳ ବ୍ୟବସାୟିକ କିମ୍ବା ମନୋରଞ୍ଜନଧର୍ମୀ ସିନେମା ତିଆରି କରିବା ନୁହେଁ, ବରଂ ସମାଜର ଗୁରୁତ୍ୱପୂର୍ଣ୍ଣ ସାମାଜିକ ଓ ଅର୍ଥନୈତିକ ସମସ୍ୟାଗୁଡ଼ିକ ଉପରେ ଆଲୋକପାତ କରିବା। ଏହି କ୍ରମରେ ପ୍ରସ୍ତୁତ କରିଛି ୨୦୦୮ରେ ସତ୍ୟମେବ୍ ଜୟତେ, ୨୦୧୩ରେ ଏକ ସାଗରିକା, ୨୦୧୬ରେ ରଙ୍ଗିଲା ବାବା ଓ ୨୦୨୪ରେ ସିନ୍ଦୂରା ବୋଲି କହିଛନ୍ତି ନିର୍ଦ୍ଦେଶକ ବିରଞ୍ଚି ନାରାୟଣ ପଣ୍ଡା।

ବାଜି ମାରିଛି ସିନ୍ଦୂରା । ୨୦୨୪ ମସିହା ପାଇଁ ଶ୍ରେଷ୍ଠ ଶିକ୍ଷା ଭିତ୍ତିକ ଚଳଚ୍ଚିତ୍ର ଭାବେ ହାତେଇଛି ପୁରସ୍କାର । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ଅବସରରେ ଏହାକୁ ଘୋଷଣା କରାଯାଇଛି । କୃଷି କ୍ଷେତ୍ରରେ ବ୍ୟବହାର ହେଉଥିବା ରାସାୟନିକ ସାର ଓ କୀଟନାଶକ ଦ୍ୱାରା ମଣିଷ ର ସ୍ୱାସ୍ଥ୍ୟ ଉପରେ ପଡୁଥିବା କୁପ୍ରଭାବ ଉପରେ ଏହି ଚଳଚ୍ଚିତ୍ରଟି ନିର୍ମିତ। ଯାହାର ନିର୍ଦ୍ଦେଶକ ଓ ଲେଖକ ଭାବେ ଦାୟିତ୍ୱ ସମ୍ଭାଳିଥିଲେ ବିରଞ୍ଚି ନାରାୟଣ ପଣ୍ଡା ।

ଫିଲ୍ମର ସଫଳତାକୁ ନେଇ ବିରଞ୍ଚି କହିଛନ୍ତି ଯେ, ଆଜି ମୋର ସେହି ସ୍ୱପ୍ନ ଓ ପ୍ରୟାସ ଏକ ସୁନ୍ଦର ସଫଳତା ପାଇଛି। ମୋ ନିର୍ଦ୍ଦେଶିତ, ଲିଖିତ ଓ ପ୍ରଯୋଜିତ ଚଳଚ୍ଚିତ୍ର 'ସିନ୍ଦୂରା'କୁ ରାଜ୍ୟ ସରକାରଙ୍କ ପକ୍ଷରୁ 'ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଚଳଚ୍ଚିତ୍ର' (Best Educational Film) ଭାବେ ସମ୍ମାନିତ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତରୁ ଏହି ପୁରସ୍କାର ଗ୍ରହଣ କରି ମୁଁ ଅତ୍ୟନ୍ତ ଗୌରବାନ୍ୱିତ ଅନୁଭବ କରୁଛି।

ସେ ଆହୁରି କହିଛନ୍ତି ଯେ, ବିଚାରକ ମଣ୍ଡଳୀ, ରାଜ୍ୟ ସରକାର ଏବଂ ଏକ ସତ୍ ଉଦ୍ଦେଶ୍ୟ ମୂଳକ ସିନେମା ଉପରେ ବିଶ୍ୱାସ ରଖୁଥିବା ସମସ୍ତଙ୍କୁ ମୋର ଅନେକ ଅନେକ ଧନ୍ୟବାଦ। ମୋ ପରିବାରର ସମସ୍ତ ସଦସ୍ୟ, ସମସ୍ତ କଳାକାର ଏବଂ ସହଯୋଗୀ ବୈଷୟିକ ଦଳ (technicians) ଙ୍କ ସମର୍ଥନ ପାଇଁ ମୁଁ କୃତଜ୍ଞତା ଜଣାଉଛି।

ଏଥିସହିତ ସେ ଜିତେନ୍ଦ୍ର ଜେତାଙ୍କୁ ବିଶେଷ ଧନ୍ୟବାଦ ଦେଇଛନ୍ତି, ଯିଏ ତାଙ୍କ ତରଫରୁ ନିର୍ଦ୍ଦେଶନା ଭାରକୁ ଅତି ସୁନ୍ଦର ଭାବେ ସମ୍ଭାଳିଥିଲେ । ଏହାସହ ସେ ସହ ପ୍ରଯୋଜକ ଦିଲ୍ଲୀପ କୁମାର ଦାଶ ଯାହାଙ୍କ ଅଯାଚିତ ସାହାଯ୍ୟ ସବୁ ବେଳେ ତାଙ୍କୁ ଶକ୍ତି ପ୍ରଦାନ କରିଛି ଏବଂ ଶାନ୍ତିସ୍ୱରୂପ ଶତପଥୀ (ଆକାଶ)ଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ଦେଇଛନ୍ତି ଯିଏକି ଚଳଚ୍ଚିତ୍ର ନିର୍ମାଣ ସମୟରେ ଅକ୍ଳାନ୍ତ ପରିଶ୍ରମ କରିଥିଲେ ।