ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା  ସିଦ୍ଦରମୈୟା ଆଗାମୀ ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ବର୍ତ୍ତମାନର ରାଜନୀତିରେ ବୃଦ୍ଧି ପାଉଥିବା ଦୁର୍ନୀତି, ନିଜର ବୟସ ଏବଂ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ପ୍ରତ୍ୟକ୍ଷ ନିର୍ବାଚନୀ ରାଜନୀତିରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆ ଏକ୍ସ (X) ରେ  ସିଦ୍ଦରମୈୟା କହିଛନ୍ତି ଯେ, ଆଜିକାଲି ନିର୍ବାଚନୀ ରାଜନୀତିରେ ଟଙ୍କାର ପ୍ରଭାବ ଅତ୍ୟଧିକ ବଢ଼ିଯାଇଛି।

ସେ କହିଛନ୍ତି, ‘ପୂର୍ବରୁ ଲୋକମାନେ ନିଜେ ଟଙ୍କା ଏକାଠି କରି ପ୍ରାର୍ଥୀଙ୍କୁ ଜିତାଉଥିଲେ। କିନ୍ତୁ ଆଜି ନିର୍ବାଚନ ଲଢ଼ିବାକୁ ହେଲେ ନେତାଙ୍କୁ ଲୋକଙ୍କୁ ଟଙ୍କା ବାଣ୍ଟିବାକୁ ପଡ଼ୁଛି। ସାଧୁ ଓ ସଚ୍ଚୋଟ ରାଜନୀତି ପାଇଁ ଆଉ ସ୍ଥାନ ନାହିଁ।’ ତେବେ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଚୌକି ମିଳିବାର କିଛି ଦିନ ପରେ ସିଦ୍ଦରମୈୟା ଏହି ଘୋଷଣା କରିଛନ୍ତି । ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ଫର୍ମୁଲା ଯୋଗୁଁ  ସିଦ୍ଦରମୈୟାଙ୍କୁ ସିଏମ ଚୌକି ଛାଡ଼ିବାକୁ ପଡ଼ିଥିଲା । କିନ୍ତୁ ସେ ମୁଖ୍ୟମନ୍ତ୍ରୀ ପଦରୁ ହଟିବାକୁ ଆଦୌ ଆଗ୍ରହୀ ନଥିଲେ । ଡିକେ ଶିବକୁମାରଙ୍କ ସମର୍ଥକଙ୍କ ଚାପରେ ଚେପା ହୋଇ ଶେଷରେ ସିଦ୍ଦରମୈୟା ଚୌକି ଛାଡ଼ିଥିଲେ । ଏବେ ତାଙ୍କୁ ରାଜନୀତିରେ ଦୁର୍ନୀତି ଏବଂ ଟଙ୍କା କାରବାର ମାମଲା ବ୍ୟଥିତ କରୁଥିବା ନେଇ କହିଛନ୍ତି ଏବଂ ପ୍ରତ୍ୟକ୍ଷ ରାଜନୀତିରୁ ନିଜର ସନ୍ନ୍ୟାସ ଘୋଷଣା କରିଛନ୍ତି ସିଦ୍ଦରମୈୟା । 

 ସିଦ୍ଦରମୈୟା ଟ୍ବିଟରରେ ଲେଖିଛନ୍ତି, ‘ମୁଁ ୨୦୨୮ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବି ନାହିଁ । ମୋତେ ଏବେ ୭୯ ବର୍ଷ । ଆମ ସରକାରର କାର୍ଯ୍ୟକାଳ ଆହୁରି ଦେଢ଼ ବର୍ଷ ରହିଛି । ସେତେବେଳକୁ ମୋତେ ୮୧-୮୧ ବର୍ଷ ହୋଇଯାଇଥିବ । ମୋ ଦେହ ଖରାପ ରହୁଛି । ତେଣୁ ପୂର୍ବଭଳି କାର୍ଯ୍ୟ କରିବା ସମ୍ଭବ ନୁହେଁ ।’ କିନ୍ତୁ ସେ ରାଜନୀତିରେ ସକ୍ରିୟ ରହିବେ ଏବଂ ଲୋକଙ୍କ ପାଇଁ ସ୍ବର ଉତ୍ତୋଳନ କରିବା ଜାରି ରଖିବେ ବୋଲି ଘୋଷଣା କରିଛନ୍ତି । ସେପଟେ ତାଙ୍କ ନିର୍ବାଚନ ମଣ୍ଡଳୀର ଲୋକେ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଦାବି କରୁଛନ୍ତି ଏବଂ କିନ୍ତୁ ସେ ଆଉ ଲଢ଼ିବେ ନାହିଁ ବୋଲି କହିଛନ୍ତି  ସିଦ୍ଦରମୈୟା ।

ସୂଚନାଯୋଗ୍ୟ, ୧୯୭୮ ମସିହାରେ ତାଲୁକ ବୋର୍ଡ ସଦସ୍ୟ ଭାବେ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିବା  ସିଦ୍ଦରମୈୟା, ୨୦୨୮ ମସିହାରେ ନିଜର ୫୦ ବର୍ଷ ସମ୍ପୂର୍ଣ୍ଣ କରିବେ। ନିଜର ଦୀର୍ଘ ରାଜନୈତିକ କ୍ୟାରିୟରରେ ସେ ବହୁ ପରାଜୟ ଓ ବିଜୟ ଦେଖିଛନ୍ତି, କିନ୍ତୁ ନିଜ ନୀତି ଓ ନୈତିକତା ସହ କେବେ ଆପୋଷ ବୁଝାମଣା କରିନାହାଁନ୍ତି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ  ସିଦ୍ଦରମୈୟା । ତାଙ୍କର ବରୁଣା (Varuna) ନିର୍ବାଚନ ମଣ୍ଡଳୀର ସମର୍ଥକମାନେ ତାଙ୍କୁ ପୁନର୍ବାର ନିର୍ବାଚନ ଲଢ଼ିବାକୁ ଅନୁରୋଧ କରିଥିଲେ। କିନ୍ତୁ ସେ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ନିର୍ବାଚନ ନଲଢ଼ିଲେ ମଧ୍ୟ ସେ ରାଜନୀତିରୁ ଅବସର ନେଉନାହାନ୍ତି। ଜନସାଧାରଣଙ୍କ ସୁଖ-ଦୁଃଖରେ ସେ ସବୁବେଳେ ଜଣେ ସକ୍ରିୟ ନେତା ଭାବେ ସ୍ୱର ଉତ୍ତୋଳନ କରିବା ଜାରି ରଖିବେ।