ଜଳେଶ୍ୱର ୧୮।୧୦ : ପୂର୍ବଶତ୍ରୁତାରୁ ସର୍ବନାଶ । ବିଳମ୍ବିତ ରାତିରେ ଘରେ ନିଆଁ ଲଗାଇଲେ ୪ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା କେଶପୁର ଗାଁ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗତ ସେପ୍ଟେମ୍ବର ମାସରେ ଜଳେଶ୍ୱର ଥାନା ପାଇକାସିଦା ଗାଁ ଦିବ୍ୟ ସ୍ୱରୂପ ସାହୁ, ସୁରଜ ଜେନା ଆଉ ଦୁଇ ଜଣ ଦୁର୍ବୃତ୍ତ ବିଳମ୍ବିତ ରାତିରେ କମଲୋଚନଙ୍କ ଘର ଆଗରେ ଥିବା ଦୁଇଟି କାରର କାଚ ଭାଙ୍ଗିବା ସହ ଗାଡିକୁ ଭଙ୍ଗାରୁଜା କରିଥିଲେ । ଏନେଇ ପରିବାର ପକ୍ଷରୁ ଜଳେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଦିବ୍ୟ ସ୍ୱରୂପ ସାହୁ ଓ ବଳରାମ ସାହୁ ନାମକ ଦୁଇ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରି ଜେଲ ପଠାଇଥିଲା । କିଛି ଦିନ ତଳେ ଜେଲରୁ ଫେରି ପୂର୍ବ ଘଟଣାକୁ କେନ୍ଦ୍ର କରି ଶନିବାର ବିଳମ୍ବିତ ରାତିରେ ଦିବ୍ୟ ସ୍ୱରୂପ ସାହୁ, ସୁରଜ ଜେନା ଓ ଅନ୍ୟ ଦୁଇ ଜଣ ଦୁର୍ବୃତ୍ତ କମଳଲୋଚନଙ୍କ ଘର, ବାଇକ ଓ ଘର ସମ୍ମୁଖରେ ଥିବା କାରରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ । ଘରେ ଶୋଇଥିବା ପରିବାର ଲୋକଙ୍କୁ ପେଟ୍ରୋଲ ଗନ୍ଧ ହେବାରୁ ଉଠି ପାଟି କରିଥିଲେ । ଯାହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପରେ ପରିବାର ଲୋକେ କୌଶଳକ୍ରମେ ନିଆଁ ଲିଭାଇଥିଲେ । ଏହାପରେ ତୁରନ୍ତ ଜଳେଶ୍ୱର ଥାନା ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଉଭୟ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Also Read:-ପାର୍ବଣରେ ବେଆଇନ ମଦ ବେପାରୀଙ୍କ ତ୍ରାହି ନାହିଁ: ଆରମ୍ଭ ହେଲା ସ୍ପେସିଆଲ ଡ୍ରାଇଭ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ କଡ଼ା ଚେତାବନୀ

ସେପଟେ ନ୍ୟାୟ ପାଇଁ ପରିବାର ଲୋକ ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ପଟ୍ରୋଲ ଢାଳି ନିଆଁ ଲଗାଇଥିବା ଦୃଶ୍ୟ ମଧ୍ୟ ସିସିଟିଭିର କଏଦ ହୋଇଛି । ପୋଲିସ ପୁରା ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି । ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।