ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ସରିବା ପରେ ଏବେ ଭାରତୀୟ ଦଳ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ପ୍ରସ୍ତୁତି କରୁଛି। ଏହା ମଧ୍ୟରେ ଭାରତୀୟ କ୍ରିକେଟ ଦଳରେ ପୁଣି ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଟି-୨୦ ବିଶ୍ୱକପ୍ ଜିତିବା ସତ୍ତ୍ବେ ବି ବର୍ତ୍ତମାନର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ଵ ଉପରେ ସଙ୍କଟ ଦେଖାଦେଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିସିସିଆଇ ଆଗାମୀ ଦିନରେ ଟି-୨୦ ଦଳର ନେତୃତ୍ୱ ଭାର ବରିଷ୍ଠ ବ୍ୟାଟର ଶ୍ରେୟସ ଆୟରଙ୍କୁ ଦେବାର ସମ୍ଭାବନା ଅଧିକ ରହିଛି। ଏହି ଦୌଡ଼ରେ ଶ୍ରେୟସ ଆଗରେ ମଧ୍ୟ ରହିଛନ୍ତି। ଆଗାମୀ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପୂର୍ବରୁ ଚୟନକର୍ତ୍ତାମାନେ ଏହି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

କାହିଁକି ସୂର୍ଯ୍ୟକୁମାରଙ୍କ ଉପରେ ଉଠିଲା ପ୍ରଶ୍ନ ?

ଚଳିତ ବର୍ଷ ମାର୍ଚ୍ଚ ଶେଷ ଆଡ଼କୁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଥିଲା। କିନ୍ତୁ ବିଶ୍ୱକପ୍ ଏବଂ ନିକଟରେ ଶେଷ ହୋଇଥିବା ଆଇପିଏଲ୍ ୨୦୨୬ ସିଜନରେ ସୂର୍ଯ୍ୟଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ସୂର୍ଯ୍ୟକୁମାର ୧୩ଟି ମ୍ୟାଚରେ ମାତ୍ର ୨୭୦ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଖରାପ ଫର୍ମ ସାଙ୍ଗକୁ ତାଙ୍କର ବୟସ ୩୫ ବର୍ଷ ହେଲାଣି। ପୁଣି ଆହତ ସମସ୍ୟାକୁ ଦୃଷ୍ଟିରେ ରଖି ଚୟନକର୍ତ୍ତା ସଂପ୍ରତି ଭବିଷ୍ୟତ ପାଇଁ ଏକ ଦୀର୍ଘକାଳୀନ ବିକଳ୍ପ ଉପରେ ବିଚାର କରୁଛନ୍ତି। ଆଗାମୀ ଦୁଇଟି ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ନୂଆ ଅଧିନାୟକ ଚୟନ କରିବାକୁ ବିସିସିଆଇ ଯୋଜନା କରୁଛି।

Also Read: ମୁମ୍ବାଇ ଇଣ୍ଡିଆନ୍ସ ଦେଲାନି ପୂରା ଟଙ୍କା, ଫ୍ରାଞ୍ଚାଇଜ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ବିଦେଶୀ ଖେଳାଳି

ଦୌଡ଼ରେ ସବୁଠୁ ଆଗରେ ଶ୍ରେୟସ ଆୟର

ଟି-୨୦ ଦଳର ଅଧିନାୟକ ଦୌଡ଼ରେ ଶ୍ରେୟସ ଆୟର ପ୍ରବଳ ଦାବିଦାର ଭାବେ ଉଭା ହୋଇଛନ୍ତି। ଆଇପିଏଲରେ ବିଭିନ୍ନ ଫ୍ରାଞ୍ଚାଇଜ୍ ପାଇଁ ସଫଳ ଅଧିନାୟକତ୍ଵ କରି ସେ ନିଜର ନେତୃତ୍ୱ ଦକ୍ଷତା ପ୍ରମାଣିତ କରି ସାରିଥିବା ଶ୍ରେୟସ ବର୍ତ୍ତମାନ ଚମତ୍କାର ଫର୍ମରେ ଅଛନ୍ତି। ଦଳ ପ୍ରବନ୍ଧକ ତାଙ୍କୁ ଟି-୨୦ ଦଳରେ ଚତୁର୍ଥ ସ୍ଥାନର ଜଣେ ନିର୍ଭରଯୋଗ୍ୟ ବ୍ୟାଟର ଏବଂ ନେତୃତ୍ଵ ଭାବେ ଦେଖୁଛନ୍ତି। ଏମିତିରେ ସେ ଚୂଡ଼ାନ୍ତ ଏକାଦଶରେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନ ନେଇପାରନ୍ତି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ ମଧ୍ୟ ଆଲୋଚନା କରାଯିବ। 

ଉପ-ଅଧିନାୟକ ଦୌଡ଼ରେ ତିଳକ ଓ ଈଶାନ

କେବଳ ଅଧିନାୟକ ନୁହେଁ ବରଂ ଦଳର ଉପ-ଅଧିନାୟକ ପଦ ପାଇଁ ମଧ୍ୟ ଦୁଇଜଣ ଯୁବ ଖେଳାଳିଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। ଯଦି ଶ୍ରେୟସ ଆୟର ଦଳର ଦାୟିତ୍ୱ ନିଅନ୍ତି, ତେବେ ଯୁବ ବ୍ୟାଟର ତିଲକ ବର୍ମା କିମ୍ବା ୱିକେଟକିପର ବ୍ୟାଟର ଈଶାନ କିଷନଙ୍କ ମଧ୍ୟରୁ ଜଣକୁ ଦଳର ଉପ-ଅଧିନାୟକ କରାଯାଇପାରେ।

Also Read: IPL ଟଙ୍କାରେ ସୁଝିଯିବ ସବୁ ଋଣ, ଲକ୍ଷ୍ନୌ ପ୍ଲେୟାର ମୁକୁଲଙ୍କ ମୁହଁରେ ଲୋନ୍ ଫ୍ରି'ର ହସ

ଏସୀୟ କ୍ରୀଡ଼ା ପାଇଁ ପ୍ରସ୍ତୁତି

ଆଗାମୀ ଏସୀୟ କ୍ରୀଡ଼ା ପାଇଁ ବିସିସିଆଇ ନିଜର ୩୦ ଜଣିଆ ସମ୍ଭାବ୍ୟ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାରୁ ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମନ ଗିଲଙ୍କ ଭଳି ବଡ଼ ତାରକା ବାଦ୍ ପଡ଼ିଛନ୍ତି। ଏଭଳି ସ୍ଥିତିରେ ଏସୀୟ କ୍ରୀଡ଼ାରେ ମଧ୍ୟ ଶ୍ରେୟସ ଆୟର, ସଞ୍ଜୁ ସାମସନ କିମ୍ବା ତିକ ବର୍ମାଙ୍କ ମଧ୍ୟରୁ କାହାକୁ ଦଳର ଅଧିନାୟକ ଦାୟିତ୍ଵ ମିଳିପାରେ। ଆଗକୁ ଜୁନ ୨୬ରୁ ଆରମ୍ଭ ହେବାକୁ ଥିବା ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଏହି ନୂଆ ରଣନୀତି ଉପରୁ ସମ୍ପୂର୍ଣ୍ଣ ପରଦା ହଟିବ।