ଭୁବନେଶ୍ୱର : ଆଜି ଶ୍ରାବଣ ଦ୍ୱିତୀୟ ସୋମବାର। ମହାଦେବଙ୍କ ଜଳାଭିଷେକ ପାଇଁ ଚଳଚଞ୍ଚଳ ହୋଇଉଠିଛି ଏକାମ୍ର କ୍ଷେତ୍ର। ଶ୍ରାବଣ ମାସର ସୋମବାରରେ ଭକ୍ତିରେ ଉଛୁଳି ଉଠିଛି ଏକାମ୍ର କ୍ଷେତ୍ର । ଏକାମ୍ର କ୍ଷେତ୍ରରେ ଆଜି ଭୋରୁ ଲାଗିଛି କାଉଡିଆଙ୍କ ଲମ୍ବା ଲାଇନ । ବାବା ଲିଙ୍ଗରାଜଙ୍କ ଦର୍ଶନ ଓ ଜଳଲାଗି ପାଇଁ ଭୋରୁ ଭୋରୁ ମନ୍ଦିର ମୁହାଁ ହୋଇଛନ୍ତି ହଜାର ହଜାର କାଉଡ଼ିଆ । କେହି ଦୂରଦୂରାନ୍ତରୁ ପାଦରେ ଚାଲି ଆସିଛନ୍ତି, ତ ଆଉ କେହି କାନ୍ଧରେ ବାହୁଙ୍ଗି ଧରି ଶିବ ନାମ ଜପି ଜପି ଆଗକୁ ବଢ଼ୁଛନ୍ତି । କାନ୍ଧରେ ପାଣିଭାର... ଖାଲି ପାଦରେ ଲମ୍ବା ରାସ୍ତା... ଆଉ ତୁଣ୍ଡରେ ଅବିରତ ଶିବ ନାମ ଜପ । ପଥରେ ଯେତେ କଷ୍ଟ ଆସୁ ନା କାହିଁକି, ତାକୁ ଭୁଲି ଭକ୍ତିରେ ମଜି ଆଗେଇ ଚାଲିଛନ୍ତି କାଉଡ଼ିଆ ।

ମନରେ ରହିଛି ଗୋଟିଏ ମାତ୍ର ସଂକଳ୍ପ ବାବାଙ୍କ ମସ୍ତକରେ ପବିତ୍ର ଜଳ ଢାଳିବେ ଏବଂ ମହାଦେବଙ୍କ ଆଶୀର୍ବାଦ ନେବେ । କାଉଡ଼ିଆଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ଲିଙ୍ଗରାଜ ମନ୍ଦିର ପରିବେଶ । ଚାରିଆଡ଼େ ଶୁଭୁଛି ‘ହର ହର ମହାଦେବ’, ‘ବୋଲ୍ ବମ୍’ ଧ୍ୱନି। କେଉଁଠି ଭକ୍ତଙ୍କ ମୁହଁରେ ଶିବନାମ, ତ ଆଉ କେଉଁଠି ଭକ୍ତିରେ ମଜି ଯାଇଛନ୍ତି ଶ୍ରଦ୍ଧାଳୁ । ଶ୍ରାବଣ ସୋମବାରର ଏହି ପବିତ୍ର ଦିନରେ ବାବା ଲିଙ୍ଗରାଜଙ୍କ ଜଳାଭିଷେକ ପାଇଁ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଭକ୍ତି ଓ ଆସ୍ଥାର ଏହି ଦୃଶ୍ୟ ଏକାମ୍ର କ୍ଷେତ୍ରକୁ ଆହୁରି ଆଧ୍ୟାତ୍ମିକ କରିଛି । ପାଦରେ ଫୋଟକା ପଡ଼ୁ କିମ୍ବା ରାସ୍ତାରେ ଥକାପଣ ଆସୁ... କାଉଡ଼ିଆଙ୍କ ମନରେ କିନ୍ତୁ ନାହିଁ ଥକିଯିବାର ଭାବନା । ମହାଦେବଙ୍କ ପ୍ରତି ଅଗାଢ଼ ଆସ୍ଥା ଓ ଭକ୍ତିକୁ ସାଙ୍ଗରେ ନେଇ ଚାଲିଛନ୍ତି ବାବାଙ୍କ ଦରବାରକୁ ।