ଭୁବନେଶ୍ବର ୨୦।୮: ବୈତରଣୀ ନଦୀର ତଳମୁଣ୍ଡରେ ଅନିୟନ୍ତ୍ରିତ ବନ୍ୟା ପରିସ୍ଥିତି ସୃଷ୍ଟି କରିବା ଅଭିଯୋଗରେ 'ବୈତରଣୀ ପାୱାର ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ' (BPPL) କୁ କାରଣ ଦର୍ଶାଅ ନୋଟିସ୍ । ଜଳସମ୍ପଦ ବିଭାଗ ପକ୍ଷରୁ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟରଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବୈତରଣୀ ପାୱାର ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ ସଂସ୍ଥା ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପରୁ ବିଦ୍ୟୁତ୍ ଉତ୍ପାଦନ ପାଇଁ ପିକ୍ ଫ୍ଲଡ୍ ଏବଂ ଫ୍ଲାସ୍ ଫ୍ଲଡ୍ ସମୟରେ ମନମୁଖୀ ଓ ଅନିୟମିତ ଭାବେ ବ୍ୟାରେଜ ଗେଟ୍ ଗୁଡ଼ିକୁ ଖୋଲୁଛି । ଏହି ବେପରୁଆ କାର୍ଯ୍ୟ ଯୋଗୁଁ ନଦୀର ତଳମୁଣ୍ଡ ଅଞ୍ଚଳରେ ଜଳସ୍ତର ହଠାତ୍ ବୃଦ୍ଧି ପାଇ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ।

Also Read:- ହୀରାକୁଦରେ ବଢୁଛି ବନ୍ୟାଜଳ, ଖୋଲିଲା ଆଉ ୨ ଗେଟ୍ ; ୧୭ ଗେଟ୍ ଦେଇ ଜଳ ନିଷ୍କାସନ

ଏପରି ଦାୟିତ୍ୱହୀନ ଭାବେ ଗେଟ୍ ପରିଚାଳନା କରିବା ଯୋଗୁଁ କମ୍ପାନୀ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେ ନେଇ ସ୍ପଷ୍ଟୀକରଣ ମଗାଯାଇଛି । ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ବ୍ୟାରେଜକୁ ସମ୍ପୂର୍ଣ୍ଣ ଖାଲି କରିବା ପାଇଁ କମ୍ପାନୀକୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି, ଯାହାଦ୍ୱାରା ତଳମୁଣ୍ଡ ଅଞ୍ଚଳ ଜଳମଗ୍ନ ହେବାରୁ ରକ୍ଷା ପାଇପାରିବ ।

Watch Video: