କଳାହାଣ୍ଡି ୬।୧୧: କଳାହାଣ୍ଡି କୋକସରା ଥାନା ଅନ୍ତର୍ଗତ ଲଡୁଗାଁ-ସୁପାଡ଼ ରାସ୍ତା ମଝିରେ ଥିବା ଧାନ ବିଲରୁ ମୁଣ୍ଡବିହୀନ ଯୁବକଙ୍କ ମୃତଦେହ ଉଦ୍ଧାର l ହତ୍ୟା ପରେ ମୁଣ୍ଡ କାଟି ନେଇ ଯାଇଥିବା ସନ୍ଦେହ କରାଯାଇଛି l ମୃତ ବ୍ୟକ୍ତି ଜଣକ ଲଡୁଗାଁର ରାଜୁ ବାଗ ବୋଲି ଜଣାପଡ଼ିଛି l ମୃତଦେହରେ ରହିଛି ଏକାଧିକ କ୍ଷତଚିହ୍ନ ଯାହାକୁ ନେଇ ହତ୍ୟା ସନ୍ଦେହ ଆହୁରି ଘନୀଭୂତ ହୋଇଛି l

ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ଧର୍ମଗଡ଼ SDPO । ସବୁଠୁ ବଡ଼ କଥା ହେଉଛି ଏଯାଏଁ ମିଳିନି ମୃତ ଯୁବକଙ୍କ କଟାମୁଣ୍ଡ । କିଏ ଓ କାହିଁକି ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଲା ? ହତ୍ୟା ପଛର କାରଣ କ'ଣ ? ଏସବୁ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି l

Also Read:- ମାଟିରୁ ଆକାଶକୁ ଉଡ଼ାଇନେବ ଘରଦ୍ୱାର ! ଓଡ଼ିଶାରେ ବଢ଼ୁଛି ଟର୍ଣ୍ଣାଡୋ ଆଶଙ୍କା, ଜାଣନ୍ତୁ କାହିଁକି ସୃଷ୍ଟି ହୁଏ

ମୃତକଙ୍କ ପରିବାର ସୂଚନା ଅନୁଯାୟୀ ରାଜୁ ରାତିରେ ନାଟକ ଦେଖିବା ପାଇଁ ଯାଇଥିଲେ । ସକାଳୁ ଘରକୁ ଫେରି ନଥିବା ବେଳେ ତାଙ୍କ ପରିବାର ବହୁତ ଖୋଜାଖୋଜି କରିଥିଲେ l ଏହାପରେ ବିଲରୁ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳକୁ ଆସି ପରିବାର ଲୋକ ମୃତଦେହ ଚିହ୍ନଟ କରିଥିଲେ । ତାଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଧରିବା ପାଇଁ ଦାବି କରିଛନ୍ତି ପରିବାର ଲୋକ l