କତିହାର : ଆଲୋକର ପର୍ବ ଦୀପାବଳି । ସମସ୍ତଙ୍କ ଘରକୁ ଆଣିଥାଏ ଖୁସି, ଆଲୋକ ଓ ମା' ଲକ୍ଷ୍ମୀଙ୍କ ଆଶୀର୍ବାଦ । ଦୀପାବଳି ଆସିଲେ ସବୁଠୁ ଅଧିକ ଚାହିଦା ବଢିଥାଏ ମାଟି ଦୀପର । ଯାହାକୁ ଗୋଟେ ସାଧାରଣ କୁମ୍ଭାରଟିଏ ନିଜ ହାତରେ ଗଢିଥାଏ । କିନ୍ତୁ ଆଜି ସେହି ମାଟି ଦୀପ ଲୋକଙ୍କ ପାଇଁ ପାଲଟିଯାଇଛି ଅଲୋଡା । ଆଜିକାଲି ଆଉ କେହି ବି ମାଟି ଦୀପକୁ ବେଶୀ ପସନ୍ଦ କରୁନାହାନ୍ତି । ରଙ୍ଗବେରଙ୍ଗ ଲାଇଟ୍ ଆଗରେ ଫିକା ପଡ଼ିଯାଇଛି କୁମ୍ଭାରର ପରିଶ୍ରମ । ଦୀପାବଳି ପୂର୍ବରୁ ବିକ୍ରି ନ ହେବା ଆଶଙ୍କାରେ ଚିନ୍ତାରେ ମାଟି ଦୀପ କାରିଗର ।

ଦିନ ଥିଲା, ଦୀପାବଳି ଆସିଲେ କୁମ୍ଭାର ଘରେ ଲାଗୁଥିଲା ଗ୍ରାହକଙ୍କ ଭିଡ଼। ମାଟିର ଦୀପ କିଣିବାକୁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁଥିଲା କେତେ ଉତ୍ସାହ। ହେଲେ ସମୟ ବଦଳିବା ସହ ବଦଳିଛି ଲୋକଙ୍କ ପସନ୍ଦ ଓ ଚାହିଦା । ପାରମ୍ପରିକ ମାଟି ଦୀପ ବଦଳରେ ଏବେ ଲୋକେ ଅଧିକ ପସନ୍ଦ କରୁଛନ୍ତି ଚାଇନାର ରଙ୍ଗବେରଙ୍ଗର ଇଲେକ୍ଟ୍ରିକ୍ ଲାଇଟ୍ ଓ ଝାଲେରି । ଯାହାର ସିଧାସଳଖ ପ୍ରଭାବ ପଡ଼ିଛି କୁମ୍ଭାରଙ୍କ ଜୀବିକା ଉପରେ। ଏହାର ଜୀବନ୍ତ ଉଦାହରଣ ବିହାରର କଟିହାରରେ ଦେଖାଯାଇଛି ।କଟିହାରର କୁର୍ସେଲା ଏବଂ ଆଖପାଖ ଅଞ୍ଚଳରେ ମାଟି ଦୀପ ତିଆରି କରୁଥିବା କାରିଗରଙ୍କ ମୁହଁରେ ଏବେ ଆଉ ନାହିଁ ଆଗଭଳି ହସ । କାରିଗରଙ୍କ ମୁହଁରୁ ହସ ଛଡାଇ ନେଇଛି ଏହି ଚାଇନିଜ ଲାଇଟ ଓ ଝାଲେରି । ଦୀପାବଳିକୁ ଆଖି ଆଗରେ ରଖି ଦିନରାତି ପରିଶ୍ରମ କରି ଦୀପ ତିଆରି କରୁଛନ୍ତି। କିନ୍ତୁ ବଜାରରେ ଆଶାନୁରୂପ ଚାହିଦା ନଥିବାରୁ ମନରେ ପଶିଚି ଛନକା।

ଆମ ଭାରତୀୟ ସଂସ୍କୃତିରେ, ଦୀପାବଳିରେ ମାଟି ଦୀପ ଜଳାଇବାର ବିଶେଷ ଧାର୍ମିକ ଏବଂ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି। ଏହି ମାଟି ଦୀପଗୁଡ଼ିକ କେବଳ ପ୍ରକୃତି ସହିତ ସଂଯୋଗର ପ୍ରତୀକ ନୁହେଁ ବରଂ ଏହା ପରିବେଶ ପ୍ରତି ଅନୁକୂଳ ମଧ୍ୟ। ଏହାକୁ ସବୁଠୁ ପବିତ୍ର ଏବଂ ମା' ଲକ୍ଷ୍ମୀଙ୍କ ପର୍ବ ବୋଲି ମାନାଯାଏ । କାରଣ ଏହିଦିନ ଘରେ ସୁଖ ଓ ସମୃଦ୍ଧି ପାଇଁ ମା' ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଆଉ ସବୁଠୁ ବଡ କଥା ହେଲା ଏହିଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସ ସାରି ଫେରିବା ପରେ ସମଗ୍ର ଅଯୋଧ୍ୟାବାସୀ ତାଙ୍କ ସ୍ୱାଗତରେ ଘରେ ଘରେ ମାଟିଦୀପ ଜଳାଇ ଖୁସି ମନାଇଥିଲେ । ଆଉ ସେଥିପାଇଁ ଦୀପାବଳିରେ ମାଟିଦୀପ ଜଳାଇବା ଶୁଭ ମାନାଯାଏ । 

 

କିଛି କାରିଗରଙ୍କ କହିବା ଅନୁଯାଇ, ମାଟି ଦୀପ ତିଆରି କରିବାରେ ମାଟି, ଶ୍ରମ ଓ ସମୟ ସବୁକିଛି ଲାଗୁଛି। ହେଲେ ବଜାରରେ ଶସ୍ତା ଓ ଆକର୍ଷଣୀୟ ଚାଇନିଜ୍ ଲାଇଟ୍ ମିଳୁଥିବାରୁ ଲୋକେ ସେଥିପ୍ରତି ଆକୃଷ୍ଟ ହେଉଛନ୍ତି। ଫଳରେ ତିଆରି ହୋଇଥିବା ଦୀପ ବିକ୍ରି ହୋଇପାରୁନାହିଁ । ଏହା କେବଳ ଦୀପ ବିକ୍ରି କଥା ନୁହେଁ, ବରଂ ଏହା ସହ ଜଡ଼ିତ ରହିଛି ଅନେକ ପରିବାରର ଜୀବିକା। ପିଢ଼ି ପରେ ପିଢ଼ି ମାଟିକୁ ଆକାର ଦେଇ ଦୀପ ତିଆରି କରୁଥିବା କୁମ୍ଭାରଙ୍କ ପାଇଁ ଦୀପାବଳି ହେଉଛି ରୋଜଗାରର ବଡ଼ ସୁଯୋଗ। ହେଲେ ବଦଳୁଥିବା ବଜାର ଓ ଗ୍ରାହକଙ୍କ ପସନ୍ଦ ଏବେ ସେମାନଙ୍କ ରୋଜଗାର ଉପରେ ବଡ଼ ଛାଟ ପକାଇଛି।