ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନରେ ଦାବି କରାଯାଇଛି ଯେ ଜୀବନ ଏବଂ ମୌଳିକ ଅଧିକାର ସହ ଜଡ଼ିତ ମାମଲାଗୁଡ଼ିକର ଶୁଣାଣି ପାଇଁ ଏଭଳି ଏକ ବ୍ୟବସ୍ଥା ପ୍ରସ୍ତୁତ କରାଯାଉ, ଯାହାଦ୍ୱାରା ତୁରନ୍ତ ଶୁଣାଣି ସମ୍ଭବ ହୋଇପାରିବ।

ନୂଆଦିଲ୍ଲୀ: ଜରୁରି ମାମଲାର ଶୁଣାଣି ପାଇଁ ଅଦାଲତଗୁଡ଼ିକ ଚବିଶ ଘଣ୍ଟା ଖୋଲା ରହିପାରିବେ କି ? ଏହାକୁ ନେଇ ସୁପ୍ରିମକୋର୍ଟ ଦେଶର ସମସ୍ତ ହାଇକୋର୍ଟଙ୍କୁ ନୋଟିସ୍ ପଠାଇଛନ୍ତି । ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି ଯେ ଏପରି କୌଣସି ପ୍ରୋଟୋକଲ୍ ପ୍ରସ୍ତୁତ କରାଯାଇପାରିବ କି, ଯାହାଦ୍ୱାରା ଜୀବନ କିମ୍ବା ବ୍ୟକ୍ତିଗତ ସ୍ୱାଧୀନତା ପ୍ରତି ବିପଦ ଥିବା ଜରୁରି ମାମଲାଗୁଡ଼ିକର ଶୁଣାଣି କୋର୍ଟର ନିୟମିତ କାର୍ଯ୍ୟ ସମୟ ପରେ ମଧ୍ୟ କରାଯାଇପାରିବ ।

ଏହି ପ୍ରସଙ୍ଗରେ ଆଇନଜୀବୀ ମହେରଭିଶ୍ ରେନ୍ ଏକ ଆବେଦନ ଦାଖଲ କରିଥିଲେ । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚି ଏବଂ ଜଷ୍ଟିସ୍ ଭି.ମୋହନାଙ୍କ ଖଣ୍ଡପୀଠ ତାଙ୍କ ଆବେଦନ ଉପରେ ନୋଟିସ୍ ଜାରି କରିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଏକ ସମ୍ଭାବ୍ୟ ଏସଓପି ପ୍ରସ୍ତୁତ କରିବା ପ୍ରସଙ୍ଗରେ ହାଇକୋର୍ଟଗୁଡ଼ିକୁ ନୋଟିସ୍ ଜାରି କରାଯାଉ ବୋଲି କୋର୍ଟ କହିଛନ୍ତି ।

ଆବେଦନରେ କଣ ଦାବି କରାଯାଇଛି ?

'ବାର୍ ଆଣ୍ଡ୍ ବେଞ୍ଚ୍'ର ରିପୋର୍ଟ ଅନୁଯାୟୀ, ରେନ୍ ଆବେଦନରେ ଦାବି କରିଥିଲେ ଯେ, ଏଭଳି ଏକ ବ୍ୟବସ୍ଥା ପ୍ରସ୍ତୁତ କରାଯାଉ ଯାହାଦ୍ୱାରା ବିଳମ୍ବିତ ରାତିରେ ଗିରଫଦାରୀ, ସକାଳୁ ସକାଳୁ ଉଚ୍ଛେଦ କିମ୍ବା ସପ୍ତାହାନ୍ତରେ ଦେଶାନ୍ତରର ସାମ୍ନା କରୁଥିବା ନାଗରିକମାନେ କୋର୍ଟ ଖୋଲିବା ସମୟକୁ ଅପେକ୍ଷା ନକରି ତୁରନ୍ତ ସାମ୍ବିଧାନିକ ପ୍ରତିକାର ପାଇପାରିବେ । ଆବେଦନରେ କୁହାଯାଇଛି ଯେ ବର୍ତ୍ତମାନର ବ୍ୟବସ୍ଥାରେ ନ୍ୟାୟିକ ପ୍ରତିକାର ମିଳିବା ସୀମିତ କାର୍ଯ୍ୟ ଦିବସ, ନିର୍ଦ୍ଧାରିତ କୋର୍ଟ ସମୟ ଏବଂ ଅବକାଶ ଖଣ୍ଡପୀଠ ମଧ୍ୟରେ ହିଁ ସୀମିତ ରହିଛି ।

ଆବେଦନରେ ଦର୍ଶାଯାଇଛି ଯେ ସ୍ୱାଧୀନତା ଏବଂ ମୌଳିକ ଅଧିକାର ଉଲ୍ଲଂଘନ ମାମଲାରେ ଲୋକଙ୍କୁ ପ୍ରାୟତଃ ରାତି, ସପ୍ତାହାନ୍ତ, ସରକାରୀ ଛୁଟି ଏବଂ କୋର୍ଟ ଛୁଟି ସମୟରେ କୌଣସି ପ୍ରଭାବଶାଳୀ ନ୍ୟାୟିକ ସହାୟତା ମିଳିପାରୁ ନାହିଁ । ଏଭଳି ମାମଲାରେ ଠିକ୍ ସମୟରେ ନ୍ୟାୟ ସୁନିଶ୍ଚିତ କରିବାକୁ ଏଥିରେ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି । ଅନ୍ୟ ଦାବି ମଧ୍ୟରେ, ଆବେଦନକାରୀ ମୌଳିକ ଅଧିକାର ସହ ଜଡ଼ିତ ଜରୁରି ମାମଲାର ଶୁଣାଣି ପାଇଁ ଉପଯୁକ୍ତ ପ୍ରକ୍ରିୟା କିମ୍ବା ରୋଷ୍ଟର ପ୍ରସ୍ତୁତ କରିବାକୁ ଦାବି କରିଛନ୍ତି । ଏହାଦ୍ୱାରା ନିୟମିତ କୋର୍ଟ ସମୟ ପରେ ମଧ୍ୟ ଶୁଣାଣି ହୋଇପାରିବ ।

ଆବେଦନରେ ଏଭଳି ଜରୁରି ମାମଲାଗୁଡ଼ିକର ଶୁଣାଣି ପାଇଁ 'ଇମର୍ଜେନ୍ସି କନଷ୍ଟିଚ୍ୟୁସନାଲ ବେଞ୍ଚ୍' କିମ୍ବା ନିର୍ଦ୍ଦିଷ୍ଟ ଡ୍ୟୁଟି ଜଜ୍ ନିଯୁକ୍ତି ପାଇଁ ମଧ୍ୟ ଦାବି କରାଯାଇଛି । ଡିଜିଟାଲ୍ ପ୍ଲାଟଫର୍ମ ଜରିଆରେ ମଧ୍ୟ ଏହି ବେଞ୍ଚ୍ ନିକଟରେ ପହଞ୍ଚି ହେବ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି ।

ଆବେଦନକାରୀ ରେନ୍ କହିଛନ୍ତି, "ଯଦି ମୁଁ ସନ୍ଧ୍ୟା ୬ଟା ପରେ କୌଣସି ଜରୁରି ମାମଲା ପାଇଁ କିଛି ଫାଇଲ୍ କରେ... ତେବେ ପରଦିନ ସକାଳେ ହିଁ ମୋ କ୍ଲର୍କ ରେଜିଷ୍ଟ୍ରି ସାମ୍ନାକୁ ଯାଇ ଏହା କେତେ ଜରୁରି ତାହା ଜଣାଇଥାନ୍ତି । ଟିକେ ଆବେଦନକାରୀଙ୍କ ବିଷୟରେ ଚିନ୍ତା କରନ୍ତୁ । ମୁଁ ଜୀବନ ଏବଂ ସ୍ୱାଧୀନତା ସହ ଜଡ଼ିତ ମାମଲାରେ କାମ କରୁଛି ।"

ସୁପ୍ରିମକୋର୍ଟ କ’ଣ କହିଲେ ?

ଆବେଦନକାରୀଙ୍କ ଦାବି ସହ ସୁପ୍ରିମକୋର୍ଟ ମଧ୍ୟ ସହମତି ପ୍ରକାଶ କରିଛନ୍ତି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ସିଷ୍ଟମେଟିକ୍ ସଲ୍ୟୁସନ ଉପରେ ବିଚାର କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କହିଥିଲେ ନିୟମିତ କାର୍ଯ୍ୟ ସମୟ ବ୍ୟତୀତ ଅନ୍ୟ ସମୟରେ କେଉଁ ମାମଲାଗୁଡ଼ିକର ଜରୁରି ଶୁଣାଣି ହେବା ଉଚିତ ତାହା ସ୍ଥିର କରିବା କଷ୍ଟକର । ଏହାପରେ ସର୍ବୋଚ୍ଚ ଅଦାଲତ ମଧ୍ୟ ଏହି କଥାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ । କୋର୍ଟ ଆଶଙ୍କା ବ୍ୟକ୍ତ କରିଛନ୍ତି, ଚବିଶ ଘଣ୍ଟା ଖୋଲା ରହିଲେ ଏହାର ଅପବ୍ୟବହାର ହେବ । ଅଣ-ଜରୁରି ମାମଲାଗୁଡ଼ିକର ଶୁଣାଣି ପାଇଁ ମଧ୍ୟ ଚାପ ପକାଯାଇପାରେ । 

ଏହି ମାମଲାରେ ହାଇକୋର୍ଟଗୁଡ଼ିକୁ ନୋଟିସ୍ ଜାରି କରିବା ପୂର୍ବରୁ ସିଜେଆଇ କହିଥିଲେ ଯେ ଏହାର ଅପବ୍ୟବହାର ମଧ୍ୟ ହୋଇପାରେ । ସେ ସ୍ପଷ୍ଟ କରିଛନ୍ତି ଯେ ଏହି ସୁବିଧା କେବଳ ଜୀବନ ଏବଂ ସ୍ୱାଧୀନତା ସହ ଜଡ଼ିତ ମାମଲା ପାଇଁ ହିଁ ଉଦ୍ଦିଷ୍ଟ ହେବା ଉଚିତ ।