ନୂଆଦିଲ୍ଲୀ ୦୩।୧୦; ପୁଣି ଚର୍ଚ୍ଚାରେ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ବ୍ୟକ୍ତିଗତ ଜୀବନ। ସୋସିଆଲ ମିଡିଆଠାରୁ ଆରମ୍ଭ କରି ମିଡିଆ ରିପୋର୍ଟ ସବୁଠି ଏବେ ତାଙ୍କର ଚତୁର୍ଥ ବିବାହକୁ ନେଇ ଚର୍ଚ୍ଚା। କୁହାଯାଉଛି, ମଡେଲ ତଥା ଅଭିନେତ୍ରୀ ୱାନିଜା ସତ୍ତାରଙ୍କୁ ବିବାହ କରିପାରନ୍ତି ଶୋଏବ । ତେବେ ଏହି ଖବର ଉପରେ ଏଯାଏଁ ଶୋଏବ ମଲିକ କିମ୍ବା ୱାନିଜା ସତ୍ତାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ଆସନ୍ତୁ ୱାନିଜାଙ୍କ ବିଷୟରେ ଅଧିକ ଜାଣିବା, ଯାହାଙ୍କ ନାମ ଏହି କ୍ରିକେଟରଙ୍କ ସହ ଯୋଡ଼ା ଯାଉଛି।

କିଏ ଏହି ୱାନିଜା ସତ୍ତାର?

କରାଚିରେ ଜନ୍ମିତ ୩୧ ବର୍ଷୀୟ ୱାନିଜା ପାକିସ୍ତାନର ଜଣେ ମଡେଲ, ଟିଭି ଅଭିନେତ୍ରୀ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର। ୱାନିଜା କରାଚିରେ ନିଜର ସ୍କୁଲ ଶିକ୍ଷା ଶେଷ କରିଥିଲେ ଏବଂ କରାଚି ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଶିକ୍ଷା ସମାପ୍ତ କରିବା ପରେ ସେ ମଡେଲିଂ ଦୁନିଆରେ ପ୍ରବେଶ କରିଥିଲେ । ଏହା ପରେ ୱାନିଜା ଅଭିନୟ କ୍ଷେତ୍ରରେ ପାଦ ଥାପିଥିଲେ।

କହିବାକୁ ଗଲେ ୱାନିଜା ୧୮ ବର୍ଷ ବୟସରେ ମଡେଲିଂ କ୍ଷେତ୍ରରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଅହମ୍ମଦ ଜାହାନଜେବଙ୍କ ମ୍ୟୁଜିକ୍ ଭିଡିଓ 'ତେରା ମେରା ହୈ ପ୍ୟାର ଅମର' ଜରିଆରେ ସେ ପ୍ରଥମ ବଡ଼ ସୁଯୋଗ ପାଇଥିବା ୱାନିଜା, 'ଲାଡଲି' ଡ୍ରାମାରେ 'ନାଜୋ' ଚରିତ୍ର ପାଇଁ ବେଶ୍ ଚର୍ଚ୍ଚାକୁ ଆସିଥିଲେ। ଏହାଛଡ଼ା 'ମରହମ୍', 'ଏହଦ-ଏ-ୱଫା', 'କୁଛ ଅନକହି' ଏବଂ 'ଟୁଟା ହୁଆ ଦିଲ' ଭଳି ଶୋ'ରେ ମଧ୍ୟ ସେ ଅଭିନୟ କରିଛନ୍ତି। ୱାନିଜା ସତ୍ତାର ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ୍। ଇନଷ୍ଟାଗ୍ରାମରେ ତାଙ୍କର ୧ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି, ଯେଉଁଠାରେ ସେ ନିୟମିତ ଭାବେ ନିଜ ଶୋ’ର ଅପଡେଟ୍ ଓ ବ୍ୟକ୍ତିଗତ ଜୀବନର ଝଲକ ସେୟାର କରନ୍ତି।

ଶୋଏବଙ୍କ ବିଷୟରେ କହିବାକୁ ଗଲେ ତାଙ୍କର ପ୍ରଥମ ବିବାହ ୨୦୦୨ ଆୟଶା ଶିଦିକିଙ୍କ ସହ ହୋଇଥିଲା। ୮ ବର୍ଷ ପରେ ଦୁହେଁ ଅଲଗା ହୋଇଥିଲେ । ଶୋଏବ୍ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ୨୦୧୮ ମସିହାରେ ସେମାନଙ୍କର ଇଝାନ୍ ମିର୍ଜା ନାମକ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।ପୁଅଙ୍କ ଜନ୍ମ ପରେ ଏହି ଦମ୍ପତିଙ୍କ ମଧ୍ୟରେ ଦୂରତା ବଢ଼ିବାକୁ ଲାଗିଲା। ଶୋଏବ୍ ଏବଂ ସାନିଆ ୨୦୨୪ ମସିହାରେ ସେମାନଙ୍କ ଛାଡ଼ପତ୍ର ବିଷୟରେ ଘୋଷଣା କରିଥିଲେ।

ବର୍ତ୍ତମାନ, ସନାଙ୍କ ସହ ବିବାହର ମାତ୍ର ଦୁଇ ବର୍ଷ ପରେ, ତାଙ୍କର ଚତୁର୍ଥ ବିବାହକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ଉପରେ ସେ କିପରି ପ୍ରତିକ୍ରିୟା ରଖିବେ, ତାହା ଦେଖିବାକୁ ବାକି ରହିଲା। ଏବେ ୱାନିଜା ସତ୍ତାରଙ୍କ ସହ ତାଙ୍କ ନାମ ଯୋଡ଼ାଯିବା ପରେ ପୁଣିଥରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଖବର ପଛରେ ସତ୍ୟତା କେତେ? ଶୋଏବ ମଲିକ କିମ୍ବା ୱାନିଜା ଏନେଇ କେବେ ମୁହଁ ଖୋଲୁଛନ୍ତି-ଏବେ ତାହାକୁ ହିଁ ଅପେକ୍ଷା।