ଭୁବନେଶ୍ବର: ନୟାପଲ୍ଲୀରେ ଯୁବତୀଙ୍କ ସହ ବୀଭତ୍ସ କାଣ୍ଡ ସମସ୍ତଙ୍କୁ ଚକିତ କରିଛି । ଘଟଣାକୁ ଦୁଇ ଦିନ ପୂରିଲାଣି । ହେଲେ ଏପର୍ଯ୍ୟନ୍ତ ଧରାପଡ଼ିନାହିଁ ଅଭିଯୁକ୍ତ । ଅବଶ୍ୟ ପୋଲିସ ପୂରା ଦମ୍‌ରେ ଲାଗି ପଡ଼ିଛି ଅଭିଯୁକ୍ତକୁ ଖୋଜି ବାହାର କରିବାକୁ । ଆଉ ଏହାରି ମଧ୍ୟରେ ଆସିଛି ଅଭିଯୁକ୍ତର ସିସିଟିଭି ଫୁଟେଜ । ବର୍ବରୋଚିତ କାଣ୍ଡ ଘଟାଇବା ପରେ କେଉଁଆଡ଼େ ସେ ଯାଉଛି ? ତାହା ରେକର୍ଡ ହୋଇଛି ସିସିଟିଭିରେ ।

ପୀଡ଼ିତାଙ୍କ ଘର ଏବଂ ସ୍ଥାନୀୟ ଅଞ୍ଚଳର ସିସିଟିଭିରେ ରେକର୍ଡ ହୋଇଥିବା ଦୃଶ୍ୟରେ ଅଭିଯୁକ୍ତ ରାତି ପ୍ରାୟ ୮ଟାରୁ ସାଢ଼େ ୮ ମଧ୍ୟରେ ଯୁବତୀଙ୍କ ଘରୁ ବାହାରି ଚାଲି ଚାଲି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆସିଥିଲା। ସେଠାରୁ ଆମ ବସ୍‌ରେ ଫାୟାରଷ୍ଟେସନ ଛକ ପର୍ଯ୍ୟନ୍ତ ଯାଇଥିଲା । ଏହାପରେ ବସ୍‌ରୁ ଓହ୍ଲାଇ ଏକ ବାଇକ୍ ଯୋଗେ ଯାଉଥିବା ସିସିଟିଭି ଫୁଟେଜରୁ ପୋଲିସ୍ ପାଇଛି। ବାଇକ୍ ନମ୍ବର ପ୍ଲେଟ ଯାଞ୍ଚ କରିବା ପରେ ତାହା ଏକ ଚୋରା ବାଇକ୍ ବୋଲି ଜଣାପଡ଼ିଛି। ପୋଲିସ୍ ୧୨୦ଟି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି।

Also Read: ଶୌଚ ହେବାକୁ ଯାଇ ଭାସିଯାଇଥିଲେ, ଦୁଇ ଦିନ ଧରି ଖୋଜାଖୋଜି ପରେ ଭାସିଲା ମୃତଦେହ

ଉଲ୍ଲେଖଯୋଗ୍ୟ, ପୋଲିସ ଏପର୍ଯ୍ୟନ୍ତ ଘଟଣାସ୍ଥଳରୁ ୪୦ ଜଣଙ୍କ ବୟାନ ରେକର୍ଡ କରିଛି । ସାଇଣ୍ଟିଫିକ ଟିମ୍‌ର ତଦନ୍ତ ବେଳେ ଅନେକ ସୁରାକ୍ ମଧ୍ୟ ମିଳିଛି । ସିସିଟିଭି ଯାଞ୍ଚ ଓ ପଡ଼ୋଶୀଙ୍କୁ ପଚରାଉଚରା ବେଳେ ଅଭିଯୁକ୍ତ ଜଣଙ୍କ ଦୁଇ ଦିନ ପୂର୍ବରୁ କ୍ରାଇମ ସ୍ପଟରେ ବୁଲୁଥିବା ଜାଣିବାକୁ ପାଇଛି ପୋଲିସ । ତେଣୁ ଯୁବତୀଙ୍କ ସହ ପୂର୍ବରୁ ତାଙ୍କର ସମ୍ପର୍କ ନେଇ ଖୋଳତାଡ଼ ହେଉଛି । ସେହିଭଳି ମହିଳା କମିଶନ ଟିମ୍ ମଧ୍ୟ ଶୁକ୍ରବାର ନୟାପଲ୍ଲୀ ଥାନାରେ ପହଁଞ୍ଚି ପୀଡ଼ିତାଙ୍କୁ ଆଶ୍ବାସନା ଦେବା ସହ ୧୫ ଦିନ ଭିତରେ ରିପୋର୍ଟ ତଲବ ପାଇଁ ଭୁବନେଶ୍ବର ଡିସିପିଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ଆଉ ଏଭଳି ସମ୍ବେଦନଶୀଳ ଘଟଣାରେ ତୁରନ୍ତ ଅଭିଯୁକ୍ତକୁ ଧରିବାକୁ ତାଗିଦ କରିଛନ୍ତି କମିଶନ ସଦସ୍ୟା ଟିମ ।