ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର ବଡ଼ଗାମରେ ଭାରତୀୟ ସେନା ଦ୍ୱାରା ଲସ୍କର-ଇ-ତୋଏବା (LeT) କମାଣ୍ଡର ହାସିମ୍ ମୁସା ନିହତ । ଏହାକୁ ନେଇ ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ନୂଆ ବିବାଦ ଆରମ୍ଭ ହୋଇଛି। ସେପ୍ଟେମ୍ବର ୩୦, ୨୦୨୬ରେ ଅପରେସନ୍ ଶେରୁୱାଲି ଅଧୀନରେ ଭାରତୀୟ ସୁରକ୍ଷା ବାହିନୀ ମୁସାକୁ ନିପାତ କରିଥିଲା। 

ସୂଚନା ଅନୁଯାୟୀ, ମୁସା ପାକିସ୍ତାନ ସେନାର ପୂର୍ବତନ ସ୍ୱତନ୍ତ୍ର ସେବା ଗ୍ରୁପ୍ କମାଣ୍ଡୋ ଥିଲା । ସେ ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫଙ୍କ ସୁରକ୍ଷା ଦଳରେ ମଧ୍ୟ କାର୍ଯ୍ୟ କରିଥିଲା। ସେ ଏପ୍ରିଲ୍ ୨୦୨୫ର ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ସମେତ ଅନେକ ନାଗରିକ ଓ ସୁରକ୍ଷା କର୍ମୀଙ୍କ ହତ୍ୟାକାଣ୍ଡରେ ସାମିଲ ଥିଲା । ସେ ଲସ୍କରର ଚାରିଜଣିଆ ସଦସ୍ୟ ଦଳର ଶେଷ ଜୀବିତ ଆତଙ୍କବାଦୀ ଥିଲା।

ଏହି ଘଟଣାର ପରଦିନ, ଅକ୍ଟୋବର ୧ ତାରିଖରେ ପାକିସ୍ତାନ ସେନା ଏକ ସାମ୍ବାଦିକ ସମ୍ମିଳନୀ କରି ମହମ୍ମଦ ଆସିଫ୍ ନାମକ ଜଣେ ଅବସରପ୍ରାପ୍ତ ଏସଏସଜି ସୈନିକଙ୍କୁ ଗଣମାଧ୍ୟମ ସମ୍ମୁଖକୁ ଆଣିଥିଲା । ପାକିସ୍ତାନ ଦାବି କରୁଛି ଯେ, ଆସିଫ୍ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ଜୀବିତ ଅଛନ୍ତି । ତେଣୁ ଭାରତୀୟ ସେନା ଗୁଳିରେ ନିହତ  ଆତଙ୍କବାଦୀ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। 

ଏହାକୁ ନେଇ ଭାରତୀୟ ସୋସିଆଲ ମିଡିଆ ଏବଂ ପୂର୍ବତନ ସେନା ଅଧିକାରୀମାନେ ପାକିସ୍ତାନର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମେଜର ଜେନେରାଲ ହର୍ଷ କାକର (ଅବସରପ୍ରାପ୍ତ)ଙ୍କ ଭଳି ପ୍ରତିରକ୍ଷା ବିଶେଷଜ୍ଞମାନେ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ଜଣେ ନକଲି ବ୍ୟକ୍ତିଙ୍କୁ ସାମ୍ନାକୁ ଆଣି ନିଜ ଆତଙ୍କବାଦୀ ଲିଙ୍କକୁ ଲୁଚାଇବାକୁ ଚେଷ୍ଟା କରୁଛି।