ଜଳେଶ୍ବର: ପଶ୍ଚିମବଙ୍ଗର ଏକ ଆରଟିଓ ନାଁରେ କରୁଥିଲେ ଠକେଇ । ଆରଟିଓ ନାଁରେ ନକଲି କାଗଜପତ୍ର ଦେଇ କାଟୁଥିଲେ ଚାଲାଣ । ଆଉ ଏହି ନକଲି ପେପର ପ୍ରିଣ୍ଟ କରି ବିକ୍ରି କରୁଥିବା ଯୁବକକୁ ଗିରଫ କରି କୋର୍ଟ ପଠାଇଛି ପୋଲିସ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ।

ସୂଚନା ଅନୁଯାୟୀ, ଲକ୍ଷ୍ମଣନାଥ ଟୋଲପ୍ଲାଜା ଠାରେ କିଛି ଅସାମାଜିକ ଯୁବକ ନିଜକୁ RTOର ପରିଚୟ ଦେଇ ଟ୍ରକ-ବସରୁ ମୋଟା ଅଙ୍କର ଫାଇନ୍ କାଟୁଥିଲେ । ଆଉ ସେମାନଙ୍କୁ ନକଲି RTO ପେପର ଦେଉଥିଲେ ।

ଏହାରି ମଧ୍ୟରେ ପୋଲିସ ଖବର ପାଇଥିଲା ଯେ, ଝାଡ଼ଖଣ୍ଡ ପୂର୍ବ ସିଂହଭୂମି ଜିଲ୍ଲା ବାରସୋଲ ଥାନା ନନ୍ଦଡିହା ଗ୍ରାମର ଶମ୍ଭୁ ସାହୁ ନାମକ ଜଣେ ଯୁବକ ସେହି ଅଞ୍ଚଳରେ ରହି ପଶ୍ଚିମବଙ୍ଗ RTOର ନକଲି କାଗଜ ପତ୍ର ପ୍ରିଣ୍ଟ କରି ସେଥିରେ ନକଲି ମୋହର ଲଗାଇ ବିକ୍ରି କରୁଛି । ଯାହାକୁ ଏହି ଅସାମାଜିକ ବ୍ୟକ୍ତିମାନେ କିଣି ଫାଇନ୍ ନାଁରେ ଲୁଟ୍ କରୁଛନ୍ତି।

Also Read: ଗୋମାଂସ ବିକ୍ରିକୁ ନେଇ ଗାଁରେ ଉତ୍ତେଜନା, ୭ ଯୁବକଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଏମିତିରେ ଶୁକ୍ରବାର ଜଳେଶ୍ୱର IIC ଅଶୋକ ବାରିକ ଉକ୍ତ ଅଞ୍ଚଳରେ ଚଢ଼ାଉ କରି ଶମ୍ଭୁକୁ ଗିରଫ କରିଛି । ଶମ୍ଭୁ ଠିକଣାରୁ ଗୋଟିଏ ପ୍ରିଣ୍ଟର ମେସିନ, ରିସିପ୍ଟ ପ୍ରିଣ୍ଟର ମେସିନ, ଗୋଟିଏ କମ୍ପ୍ୟୁଟର, ପଶ୍ଚିମବଙ୍ଗ RTOର ନକଲି ଫାଇନ ଆଦାୟ ବହି ଓ କିଛି ନକଲି ସିଲ୍ ଜବତ କରିଛି। ଅନ୍ୟପଟେ ଗିରଫ ଶମ୍ଭୁର ସହଯୋଗୀ ଜଳେଶ୍ୱର ଥାନା ନହଞ୍ଜରା ଗ୍ରାମର ତୁଷାର ରଞ୍ଜନ ପରିଡ଼ା ଘଟଣାସ୍ଥଳରୁ ଫେରାର ମାରିଛି । ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।