ଭୁବନେଶ୍ବର ୨୭।୧୨: ହାତୀ ପାଇଁ ଶିଖରଚଣ୍ଡୀ ବନ୍ଦ । ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରେ ବୁଲୁଥିବା ୨ ଦନ୍ତା ହାତୀ ନଯିବା ପର୍ଯ୍ୟନ୍ତ ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ଏଭଳି ପଦକ୍ଷେପ ନେଇଛନ୍ତି । ମନ୍ଦିର ପ୍ରବେଶ ଗେଟ୍‌ରେ ବନ ବିଭାଗ ତାଲା ପକାଇଛି ।

​​​​​​​

ପର୍ଯ୍ୟଟନ ଋତୁ ଥିବାରୁ ଶିଖରଚଣ୍ଡୀରେ ପର୍ଯ୍ୟଟକଙ୍କ ଭିଡ଼ ହେଉଥିଲା । ଲୋକଙ୍କ ସୁରକ୍ଷା ନେଇ ଇନ୍ଫୋସିଟି ଥାନାକୁ ବନ ବିଭାଗ ଅବଗତ କରିଥିଲା । ଗତ ୫ ଦିନ ହେଲା ଶିଖରଚଣ୍ଡୀ ପାହାଡ଼ରେ ବୁଲୁଛନ୍ତି ହାତୀ । ପାହାଡ଼ ଉପରକୁ ନଯାଇ ମେନ୍ ଗେଟ୍ ବାହାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ଇନ୍ଫୋସିଟି ଥାନା ପୋଲିସ ଏବଂ ସୁରକ୍ଷା କର୍ମୀ ମାନେ ମେନ୍ ଗେଟ୍‌ରେ ଜଗିଥିବା ଦେଖିବାକୁ ମିଳିଛି ।

​​​​​​​

ଶିଖରଚଣ୍ଡୀରେ ଦୁଇଟି ଦନ୍ତା ହାତୀ ବୁଲିବା ପରେ ହାଇ ଟେନସନ୍ । ସହରବାସୀଙ୍କ ସୁରକ୍ଷା ପାଇଁ ହାତୀ ଜଗିଛନ୍ତି ବନ ବିଭାଗ । ଶୁକ୍ରବାର ସନ୍ଧ୍ୟାରୁ ରାତି ତମାମ ଓ ସକାଳ ପର୍ଯ୍ୟନ୍ତ ପାହାଡ଼ ଉପରେ ଓ ତଳ ଚାରିପଟେ ପଇଁତରା ମାରୁଥିଲେ ଜଙ୍ଗଲ ବିଭାଗ ସହ ବିଦ୍ୟୁତ ବିଭାଗ ଟିମ୍ । ପାହାଡ଼ ଉପରେ ଦନ୍ତା ହାତୀ ଥିବା ବେଳେ ଲୋକେ ଭୋଜି କରୁଛନ୍ତି । ଯାହାକୁ ନେଇ ବନ ବିଭାଗ ଟେନସନ୍‌ରେ ରହିଛି । ସେଥିପାଇଁ ଚନ୍ଦକା ଡିଏଫଓ, ରେଞ୍ଜର ଏବଂ ତାଙ୍କ ଟିମ୍ ଡ଼ାକବାଜି ଯନ୍ତ୍ର ବ୍ୟବହାର କରି ଲୋକଙ୍କୁ ପାହାଡ଼ରୁ ବାହାର କରିବା ସହ ପାହାଡ଼ ଉପରକୁ ଆସିବାକୁ ବାରଣ କରିଛନ୍ତି । ସେପଟେ ଚାରିଦିନ ହେବ ଡେରା ପକାଇଛନ୍ତି ହାତୀ । ସ୍ଥାନୀୟ ଲୋକେ ଓ ସୁରକ୍ଷା କର୍ମୀ ଭୟଭୀତ ଅବସ୍ଥାରେ ଅଛନ୍ତି ।