ମୁମ୍ବାଇ: ବଲିଉଡର ଭେଟେରାନ୍ ଅଭିନେତ୍ରୀ ଶର୍ମିଳା ଟାଗୋର ଏବଂ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମନସୁର ଅଲୀ ଖାନ୍ ପଟୌଦି(ସୈଫ ଅଲି ଖାନଙ୍କ ବାପା)ଙ୍କ ପ୍ରେମ ଓ ବିବାହ କାହାଣୀ ସବୁ ବେଳେ ଚର୍ଚ୍ଚାରେ ରହି ଆସିଛି। ବିଶେଷକରି ଏହି ଯୋଡ଼ିର ଧର୍ମୀୟ ଭାବନାକୁ ନେଇ ଅଧିକ ଚର୍ଚ୍ଚା ହୋଇଥାଏ। ୧୯୬୮ ମସିହାରେ ଶର୍ମିଲା ଓ ମନସୁରଙ୍କ ବିବାହ ହୋଇଥିଲା। ବିବାହ ପରେ ଶର୍ମିଲା ଟାଗୋର ଇସଲାମ ଧର୍ମ ଗ୍ରହଣ କରିଥିଲେ। ତାଙ୍କ ଘରେ ଶାହରୁଖ ଓ ସଲମାନଙ୍କ ପରିବାର ପରି କୌଣସି ପୂଜା ହେଉ ନଥିଲା କି ହିନ୍ଦୁ ଧର୍ମ ପାଳନ ହେଉ ନଥିଲା।

ଆଉ ଏବେ ଶର୍ମିଲାଙ୍କ ଝିଅ ସବା ଅଲୀ ଖାନ୍ ପରିବାରର ଧାର୍ମିକ ପରିବେଶକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି, ଯାହାକୁ ନେଇ ମିଡିଆରେ ଖବର ପ୍ରକାଶ ପାଇଛି। ଏକ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଦେଇଥିବା ସାକ୍ଷାତକାରରେ ସବା କହିଛନ୍ତି ଯେ, ତାଙ୍କ ମାଆ ଛୋଟବେଳୁ ତାଙ୍କୁ ଇସଲାମ ଧର୍ମ ବିଷୟରେ ଶିକ୍ଷା ଦେଇଥିଲେ। ତାଙ୍କ ପାଇଁ ଇସଲାମ ହିଁ ଧର୍ମ ଏବଂ ସେ ଏହା ସହ ଗଭୀର ଭାବେ ଜଡ଼ିତ ବୋଲି କହିଛନ୍ତି।

Also Read- Saif Ali Khan Birthday: ସୈଫ୍ଙ୍କ ଜନ୍ମଦିନରେ ପ୍ରେମ ବର୍ଷା କଲେ କରୀନା କପୁର, ଫଟୋ ସେୟାର କରି ଲେଖିଲେ-ତୁମ ବିନା ମୋ ଜୀବନ...

‘ମୋ ପାଇଁ ମୋ ଧର୍ମ ଇସଲାମ’

ସବାଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ମାଆ ହିନ୍ଦୁ ଏବଂ ବାପା ମୁସଲିମ୍ ହୋଇଥିବାରୁ ସେ କେଉଁ ଧର୍ମକୁ ଅଧିକ ଅନୁସରଣ କରନ୍ତି, ସେତେବେଳେ ସେ ସ୍ପଷ୍ଟ ଭାବେ କହିଥିଲେ ‘ମୋ ପାଇଁ ମୋ ଧର୍ମ ଇସଲାମ। ମୁଁ ଏହା ସହ ଜଡ଼ିତ ଅନୁଭବ କରେ।’ ସେ ଆହୁରି କହିଥିଲେ ଯେ, ଭଗବାନଙ୍କ ବିଷୟରେ ଭାବିଲେ ତାଙ୍କ ମନକୁ ‘ଅଲ୍ଲାହ’ଙ୍କ ବିଚାର ଆସେ। ତେବେ ଏହାର ଅର୍ଥ ଯେ ଅନ୍ୟ ଧର୍ମ ପ୍ରତି ତାଙ୍କର ସମ୍ମାନ ନାହିଁ, ତାହା ନୁହେଁ। ସେ ସମସ୍ତ ଧର୍ମକୁ ସମ୍ମାନ କରନ୍ତି ବୋଲି ସବା ଅଲୀ ଖାନ ସ୍ପଷ୍ଟ କରିଛନ୍ତି।

ଘରେ ନଥିଲା ମନ୍ଦିର, ମିଳିଥିଲା ଇସଲାମର ଶିକ୍ଷା

ସବାଙ୍କ କହିବା ଅନୁସାରେ, ମନସୁର ଅଲୀ ଖାନ୍ ପଟୌଦିଙ୍କ ସହ ବିବାହ ପରେ ଶର୍ମିଲା ଟାଗୋର ଇସଲାମ ଧର୍ମମ ଗ୍ରହଣ କରି ନେଇଥିଲେ। ପରେ ସେ ନିଜ ପିଲାମାନଙ୍କୁ ମଧ୍ୟ ଇସଲାମ ଏବଂ ରମଜାନ ଭଳି ଧାର୍ମିକ ପରମ୍ପରା ବିଷୟରେ ଶିକ୍ଷା ଦେଇଥିଲେ। ଇଣ୍ଟରଭ୍ୟୁରେ ସବା କହିଛନ୍ତି, ପିଲାଦିନରୁ ତାଙ୍କ ଘରେ କୌଣସି ମନ୍ଦିର ନଥିଲା କି ସେମାନେ ହିନ୍ଦୁ ଧର୍ମ ପାଳନ କରୁନଥିଲେ। ମୁସ୍ଲିମ ଧର୍ମ ପାଳନ କରିବା ସହି ଶର୍ମିଲା ଟାଗୋର ତାଙ୍କ ପିଲାମାନଙ୍କୁ ଅନ୍ୟ ଧର୍ମକୁ ସମ୍ମାନ କରିବା ମଧ୍ୟ ଶିଖାଇଥିଲେ।

ଧର୍ମ ଥିଲା ବ୍ୟକ୍ତିଗତ ପସନ୍ଦ

ସବା ଆଉ ଏକ କଥା ସ୍ପଷ୍ଟ କରିଥିଲେ ଯେ ପଟୌଦି ପରିବାରରେ ଧର୍ମକୁ ନେଇ କୌଣସି ଚାପ ନଥିଲା। ସେ କହିଛନ୍ତି ଯେ, ଆସ୍ଥା ଜଣେ ବ୍ୟକ୍ତିର ଅତ୍ୟନ୍ତ ବ୍ୟକ୍ତିଗତ ବିଷୟ। ସିଏ କେଉଁ ଧର୍ମକୁ ଅନୁସରଣ କରିବେ, ତାହା ତାଙ୍କର ନିଜସ୍ୱ ନିଷ୍ପତ୍ତି। ଏ କ୍ଷେତ୍ରରେ ସବା ତାଙ୍କ ଭାଇ ସୈଫ୍ ଅଲୀ ଖାନ୍ ଏବଂ ଭଉଣୀ ସୋହା ଅଲୀ ଖାନଙ୍କ ଅନ୍ତଃଧର୍ମୀୟ ବିବାହର ଉଦାହରଣ ମଧ୍ୟ ଦେଇଛନ୍ତି। ସବାଙ୍କ ଭାଇ ବଲିଉଡ୍ର ବଡ଼ ଷ୍ଟାର ସୈଫ ଅଲି ଖାନ ହିନ୍ଦୁ ପରିବାର ବିବାହ କରିଛନ୍ତି। ସେ କରୀନା କପୁରଙ୍କୁ ବିବାହ କରିଛନ୍ତି। ସେହିପରି ତାଙ୍କ ଭଉଣୀ ସୋହା ଅଲୀ ଖାନ କୁନାଲ ଖେମୁଙ୍କୁ ବିବାହ କରିଛନ୍ତି। ସବାଙ୍କ ମତରେ, ପରିବାରରେ ଧର୍ମ ନେଇ ଭିନ୍ନତା ଥିଲେ ମଧ୍ୟ ପରସ୍ପର ପ୍ରତି ସମ୍ମାନ ରହିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଶର୍ମିଲା ଟାଗୋରଙ୍କ ପରିବାରରେ ଧର୍ମର ଶିକ୍ଷା ଥିଲା, କିନ୍ତୁ ଧର୍ମ ବାଛିବାର ସ୍ୱାଧୀନତା ମଧ୍ୟ ଥିଲା। ସବାଙ୍କ ଏହି କଥା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।