ମୁମ୍ବାଇ: ମହାରାଷ୍ଟ୍ରରେ ବିରୋଧୀ ଦଳ ପକ୍ଷରୁ ଶରଦ ପାୱାରଙ୍କ ରାଜ୍ୟସଭା ଆସନ ପ୍ରାୟ ନିଶ୍ଚିତ ହୋଇଛି। କଂଗ୍ରେସ ଦଳ, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର)ର ମୁଖ୍ୟ ଶରଦ ପାୱାରଙ୍କୁ ସମର୍ଥନ ଦେଇଛି। ମହାରାଷ୍ଟ୍ରରେ ୭ଟି ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି । ସେଥିମଧ୍ୟରୁ ଏମଭିଏ ଗୋଟିଏ ଜିତିବାର ସମ୍ଭାବନା ଅଛି। ଏଆଇସିସି ସାଧାରଣ ସମ୍ପାଦକ ରମେଶ ଚେନ୍ନିଥଲା କହିଛନ୍ତି ଯେ, କଂଗ୍ରେସ ନେତୃତ୍ୱ ତାଙ୍କୁ ମାର୍ଚ୍ଚ ୧୬ ନିର୍ବାଚନରେ ପାୱାରଙ୍କୁ ସମର୍ଥନ କରିବାର ନିଷ୍ପତ୍ତି ବିଷୟରେ ଜଣାଇବାକୁ କହିଛନ୍ତି। ପାୱାର ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ଅଛନ୍ତି ।

ମାର୍ଚ୍ଚ ୫ ତାରିଖ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖର ଗୋଟିଏ ଦିନ ପୂର୍ବରୁ ଏହି ନିଷ୍ପତ୍ତି ନେଇଛି କଂଗ୍ରେସ । ପୂର୍ବରୁ MVA (କଂଗ୍ରେସ, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର) ଏବଂ ଶିବସେନା (ୟୁବିଟି) ) ଏହି ଆସନ ପାଇଁ ସେମାନଙ୍କର ଦାବି ଉପସ୍ଥାପନ କରିଥିଲେ। ମହା ବିକାଶ ଅଘାଡ଼ି ୭ଟି ଆସନରୁ ଗୋଟିଏ ଜିତିପାରେ । ଏହି ଆସନ ଏପ୍ରିଲରେ ଖାଲି ହେବ।

ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସ ନେତା ହୁସେନ ଦଲୱାଇ କହିଥିଲେ, ‘କଂଗ୍ରେସ କହୁଛି ଯେ, ବର୍ତ୍ତମାନର ରାଜ୍ୟସଭା ଆସନ ଆମକୁ ଦିଆଯିବା ଉଚିତ । ବିଧାନସଭା ପରିଷଦ ଆସନ ଶିବସେନା ନେବା ଉଚିତ । ଏପର୍ଯ୍ୟନ୍ତ କୌଣସି ସହମତି ହୋଇନାହିଁ। ସମୟକ୍ରମେ ଏକ ସମାଧାନ ମିଳିଯିବ। ମେଣ୍ଟ ଭାଙ୍ଗିବ ନାହିଁ।’ କିନ୍ତୁ ଏବେ କଂଗ୍ରେସ ଶରଦ ପାୱାରଙ୍କୁ ସମର୍ଥନ କରିବାକୁ ରାଜି ହୋଇଛି।

ସେପଟେ ସପ୍ତମ ଆସନ ଲାଗି ଯଦି ଶରଦ ପାଓ୍ବାର ପ୍ରାର୍ଥୀ ହୁଅନ୍ତି, ତେବେ ବିଜେପି ମଧ୍ୟ ସମର୍ଥନ କରପାରେ । କିନ୍ତୁ ଯଦି ଶିବସେନା (ୟୁବିଟି) କିମ୍ବା କଂଗ୍ରେସରୁ କେହି ପ୍ରାର୍ଥୀ ହୁଅନ୍ତି, ତେବେ ବିଜେପି ନିଜର ପ୍ରାର୍ଥୀ ଦେଇପାରେ ବୋଲି କୁହାଯାଉଛି । ଶରଦ ପାଓ୍ବାରଙ୍କୁ ବିଜେପିର ସମର୍ଥନ ମିଳିଳେ, ତାଙ୍କର ରାଜ୍ୟସଭା ଯିବା ନିଶ୍ଚିତ ହୋଇଯିବ ।