ଭୁବନେଶ୍ୱର : ଖାଦ୍ୟ ସାମଗ୍ରୀ ପ୍ୟାକେଟରେ ଭେଜ୍ ଓ ନନ୍-ଭେଜ୍ ଚିହ୍ନ ଦେଖିବାକୁ ମିଳେ। ଏବେ ସେହିଭଳି ଚିହ୍ନ ଦେଖିବାକୁ ମିଳିବ ସାବୁନ, ସାମ୍ପୁ, ଟୁଥପେଷ୍ଟ ଓ ଅନ୍ୟାନ୍ୟ କସମେଟିକ୍ସ ଏବଂ ପର୍ସନାଲ୍ କେୟାର୍ ପ୍ରଡକ୍ଟରେ । କେନ୍ଦ୍ର ସରକାର ପ୍ୟାକେଜିଂ ନିୟମରେ ସଂଶୋଧନ କରି ଏହି ନୂଆ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହାଦ୍ୱାରା ଉତ୍ପାଦରେ ପ୍ରାଣୀଜ ଉତ୍ପତ୍ତିର ଉପାଦାନ ରହିଛି କି ନାହିଁ, ତାହା ପ୍ୟାକେଟରେ ଥିବା ଚିହ୍ନରୁ ଜାଣିବା ସହଜ ହେବ ।

କେନ୍ଦ୍ର ଖାଉଟି ମନ୍ତ୍ରାଳୟ ପକ୍ଷରୁ ଏ ନେଇ ନୂଆ ନିୟମ ପ୍ରସ୍ତୁତ କରାଯାଇଛି। ଏହାଦ୍ବାରା ସାବୁନ, ସାମ୍ପୁ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ଯତ୍ନ ସାମଗ୍ରୀଗୁଡ଼ିକ କେଉଁ ପ୍ରକାର ଉପାଦାନରେ ପ୍ରସ୍ତୁତ ହୋଇଛି ଗ୍ରାହକମାନେ ତାହା ଜାଣିପାରିବେ। ବିଶେଷକରି ପ୍ରାଣୀଙ୍କଠାରୁ ସଂଗୃହୀତ ଉପାଦାନ ବ୍ୟବହୃତ ହୋଇଛି କି ନାହିଁ ତାହା ଜାଣିହେବ ଗତ ୨୧ ତାରିଖରେ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ୟାକେଜିଂ ନିୟମରେ ଏକ ନୂଆ ବିଷୟ ଯୋଡ଼ାଯାଇଛି। ଯେଉଁ ସାମଗ୍ରୀଗୁଡ଼ିକ ନିରାମିଷ ସାମଗ୍ରୀରେ ପ୍ରସ୍ତୁତ ହୋଇଛି ସେଥିରେ ଉତ୍ପାଦନକାରୀ ଓ ଆମଦାନିକାରୀମାନେ ସବୁଜ ବିନ୍ଦୁ ରଖିବେ । ପ୍ରାଣୀରୁ ସଂଗୃହୀତ ଉପାଦାନରେ ନିର୍ମିତ ପଦାର୍ଥ ଉପରେ ନାଲି ବା ବାଦାମୀ ରଙ୍ଗର ବିନ୍ଦୁ ରହିବ । ତାହା ପୁଣି ଉତ୍ପାଦ ପ୍ୟାକେଟର ପ୍ରମୁଖ ପ୍ରଦର୍ଶନ ପ୍ୟାନେଲରେ ଭଲ ଭାବେ ଛପାଯିବ । ନୂଆ ସଂଶୋଧନରେ ୨୦୧୧ର ପ୍ୟାକେଜ୍ଡ କମୋଡିଟିଜ୍ ନିୟମର ରୁଲ୍ ୬ରେ ନୂଆ ବ୍ୟବସ୍ଥା ଯୋଡ଼ାଯାଇଛି। ସେହି ସହ ପୂର୍ବରୁ ଥିବା ରୁଲ୍ ୬ର ସବ୍-ରୁଲ୍ ୮କୁ ହଟାଇ ଦିଆଯାଇଛି।

ଏହି ବ୍ୟବସ୍ଥାର ପ୍ରଭାବ ସାବୁନ, ସାମ୍ପୁ, ଟୁଥପେଷ୍ଟ, କସ୍ମେଟିକ୍ସ ଏବଂ ଅନ୍ୟାନ୍ୟ ଟଏଲେଟ୍ରିଜ୍ର ନିର୍ମାତା ଓ ପ୍ୟାକର୍ଙ୍କ ଉପରେ ପଡ଼ିବ। ସେମାନଙ୍କୁ ପ୍ୟାକେଜିଂ ଓ ଲେବେଲିଂରେ ନୂଆ ନିୟମ ଅନୁସାରେ ଚିହ୍ନ ଦେବାକୁ ହେବ। ଏହି ନିୟମର ଉଦ୍ଦେଶ୍ୟ ହେଉଛି ପ୍ରଡକ୍ଟ ସମ୍ପର୍କରେ ଗ୍ରାହକଙ୍କୁ ପ୍ୟାକେଟ୍ରେ ଅଧିକ ସ୍ପଷ୍ଟ ସୂଚନା ଦେବା। ଏଣିକି ସାବୁନ, ସାମ୍ପୁ କିମ୍ବା ଟୁଥପେଷ୍ଟ କିଣିବା ବେଳେ ମଧ୍ୟ ପ୍ୟାକେଟର ଉପରି ଭାଗରେ ଥିବା ସବୁଜ, ଲାଲ କିମ୍ବା ବାଦାମୀ ବିନ୍ଦୁ ଉପରେ ନଜର ରଖିବାକୁ ପଡ଼ିବ। ତେବେ ସରକାରଙ୍କ ଏହି ନୂଆ ନିୟମ କମ୍ପାନି, ଉତ୍ପାଦନକାରୀ ଓ ଆମଦାନିକାରୀଙ୍କୁ ପ୍ରଭାବିତ କରିପାରେ । କାରଣ ସେମାନଙ୍କୁ ଉତ୍ପାଦଗୁଡ଼ିକୁ ଅତି ନିକଟରୁ ନିରୀକ୍ଷଣ କରିବାକୁ ହେବ । ଯେଉଁସବୁ ଉପାଦାନକୁ ନେଇ ସାମଗ୍ରୀ ପ୍ରସ୍ତୁତ ହୋଇଛି ତାହାର ବର୍ଷ ଠିକ୍ ଭାବେ ପ୍ୟାକେଟରେ ଦିଆଯାଇଛି ବୋଲି ସେମାନଙ୍କୁ ନିଶ୍ଚିତ କରିବାକୁ ହେବ ।