ମୁମ୍ବାଇ: ବଲିଉଡ୍ ବାଦଶାହା ଶାହରୁଖ୍ ଖାନ୍ ଅଭିନେତା ରଣବୀର ସିଂହଙ୍କ ବ୍ଲକ୍‌ବଷ୍ଟର୍ ସିନେମା ‘ଧୂରନ୍ଧର’କୁ ଭୂୟସୀ ପ୍ରଶଂସା କରିଛନ୍ତି। ନିକଟରେ ସୋସିଆଲ୍ ମିଡିଆରେ ଅନୁଷ୍ଠିତ ଆସ୍କ ଏସଆରକେ ସେସନରେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇ ଶାହରୁଖ୍ ଏହି ଫିଲ୍ମର ଦୁଇଟିଯାକ ଭାଗକୁ ‘ମାଷ୍ଟରପିସ୍’ ଏବଂ ‘ଚମତ୍କାର’ ବୋଲି ଅଭିହିତ କରିଛନ୍ତି ।

ଶାହରୁଖ୍ ଖାନ୍ ପ୍ରାୟତଃ ଏକ୍ସରେ ଆସ୍କ ଏସଆରକେ ସେସନ୍ ମାଧ୍ୟମରେ ନିଜ ପ୍ରଶଂସକମାନଙ୍କ ସହ କଥାବାର୍ତ୍ତା କରନ୍ତି। ଜଣେ ପ୍ରଶଂସକ ତାଙ୍କୁ ପଚାରିଥିଲେ ଯେ, ସେ ରଣବୀର ସିଂହଙ୍କ ଅଭିନୀତ ‘ଧୂରନ୍ଧର’ ଦେଖିଛନ୍ତି କି ନାହିଁ ? ଏହାର ଉତ୍ତର ଦେଇ ଏସଆରକେ ଲେଖିଥିଲେ,‘ଦୁଇଟିଯାକ ଭାଗ ମୋତେ ଖୁବ୍ ପସନ୍ଦ ଆସିଛି... ସମ୍ପୂର୍ଣ୍ଣ ଟିମ୍ ପକ୍ଷରୁ ଏକ ଚମତ୍କାର କାମ !’

 ୩୦୦୦ କୋଟିର ଐତିହାସିକ ରେକର୍ଡ 
ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ସ୍ପାଏ-ଥ୍ରୀଲର୍ ବକ୍ସ ଅଫିସରେ ନୂଆ ଇତିହାସ ରଚିଛି । ‘ଧୂରନ୍ଧର’ ଏବଂ ‘ଧୂରନ୍ଧର: ଦି ରିଭେଞ୍ଜ’ - ଏହି ଦୁଇଟି ଭାଗ ମିଶି ବିଶ୍ୱବ୍ୟାପୀ ୩,୦୦୦ କୋଟିରୁ ଅଧିକ ଟଙ୍କା ବ୍ୟବସାୟ କରିସାରିଛି । ଏହି ବିଶାଳ ସଫଳତା ସହ ଏହା ଭାରତୀୟ ସିନେମା ଜଗତର ପ୍ରଥମ ଫ୍ରାଞ୍ଚାଇଜି ଭାବରେ ୩,୦୦୦ କୋଟି ଟଙ୍କା ଆୟ କରିବାର ମାଇଲଖୁଣ୍ଟ ଛୁଇଁଛି। ସିନେମାରେ ରଣବୀର ସିଂହଙ୍କ ‘ହମ୍‌ଜା’ଚରିତ୍ରକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଛନ୍ତି । 

ଅମ୍ବାନୀ ପରିବାର ଓ ଜିଓ ଷ୍ଟୁଡିଓଜକୁ ରଣବୀରଙ୍କ କୃତଜ୍ଞତା
ଏହି ସଫଳତା ପରେ ରଣବୀର ସିଂହ ଜିଓ ଷ୍ଟୁଡିଓଜ୍ ଏବଂ ନିର୍ମାତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, କ୍ୟାରିୟରର ଏକ କଠିନ ସମୟରେ ତାଙ୍କ ଉପରେ ବିଶ୍ୱାସ ପ୍ରକଟ କରି ଏତେ ବଡ଼ ବଜେଟର ପ୍ରୋଜେକ୍ଟକୁ ସମର୍ଥନ କରିଥିବାରୁ ସେ ପ୍ରଯୋଜକ ଏବଂ ଅମ୍ବାନୀ ପରିବାର ନିକଟରେ କୃତଜ୍ଞ। ସେହିଭଳି ଶାହରୁଖ୍ ଖାନ୍‌ଙ୍କ ପରି ବଲିଉଡର ସୁପରଷ୍ଟାରଙ୍କଠାରୁ ଏପରି ପ୍ରଶଂସା ମିଳିବା ପରେ ‘ଧୂରନ୍ଧର’ ଟିମ୍‌ର ଉତ୍ସାହ ଦ୍ୱିଗୁଣିତ ହୋଇଛି ।