ରିୟାଦ: ପାକିସ୍ତାନ ଠାରୁ ଧୋକା ଖାଇବା ପରେ ଏବେ ଇସ୍ରାଏଲ୍ ମୁହାଁ ସାଉଦି ଆରବ। ୟେମେନରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ ପରେ ଗଭୀର ସଙ୍କଟରେ ପଡ଼ିଯାଇଛି ପାକିସ୍ତାନର ଜିଗ୍ରୀ ଦୋସ୍ତ ସାଉଦି ଆରବ। ହୁଥି ଯୋଦ୍ଧାମାନେ ୟେମେନର ରେଡ୍ ସି ଉପକୂଳର ବଡ଼ ଅଞ୍ଚଳ ସହ ବାବ୍-ଏଲ୍-ମାଣ୍ଡେବ୍ ଷ୍ଟ୍ରେଟର କିଛି ଅଞ୍ଚଳ ନିଜ ନିୟନ୍ତ୍ରଣକୁ ନେଇଥିବା ଦାବି କରାଯାଉଛି। ଏହି ଘଡ଼ି ସନ୍ଧି ମୁହୂର୍ତ୍ତରେ ମକ୍କା ଚୁକ୍ତିର ବନ୍ଧୁମାନଙ୍କର ଦେଖା ନାହିଁ। କି ପାକିସ୍ତାନ ଧରାଛୁଆଁ ଦେଉ ନାହିଁ। ତେଣୁ ଅନ୍ୟ ଉପାୟ ନ ପାଇ ସାଉଦି ଆରବ ନିଜ ସୁରକ୍ଷା ପାଇଁ ଇସ୍ରାଏଲର ସହାୟତା ନେବାକୁ ପରୋକ୍ଷ ଭାବେ ପଦକ୍ଷେପ ନେଇଥିବା ରିପୋର୍ଟ ସମ୍ନାକୁ ଆସିଛି।

ଇସ୍ରାଏଲ ସହ ଗୁପ୍ତ ଆଲୋଚନା!

‘ଦ ଜେରୁଜେଲମ୍ ପୋଷ୍ଟ’ ଅନୁସାରେ, ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ (CENTCOM) ମଧ୍ୟସ୍ଥତାରେ ସାଉଦି ଆରବ ଓ ଇସ୍ରାଏଲ ମଧ୍ୟରେ ଆଲୋଚନା ହୋଇଛି। ହୁଥିଙ୍କ ସମ୍ଭାବ୍ୟ ସାମରିକ ବିପଦ ଏବଂ ବାବ୍-ଏଲ୍-ମାଣ୍ଡେବ୍ ଷ୍ଟ୍ରେଟ୍ ସମ୍ପର୍କରେ ସାଉଦି ଆରବ ଇସ୍ରାଏଲଠାରୁ ଗୁଇନ୍ଦା ସୂଚନା ସହାୟତା ଚାହିଥିବା ଜଣାପଡ଼ିଛି।

‘ଇସ୍ରାଏଲ ହାୟୋମ୍’ ରିପୋର୍ଟ ଅନୁସାରେ, ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍ (MBS) ଅନ୍ୟ ଗଲ୍ଫ ଦେଶ ଏବଂ ଇଜିପ୍ଟଠାରୁ ମଧ୍ୟ ସହାୟତା ମାଗିଛନ୍ତି। ଇସ୍ରାଏଲ ସହ ସାଉଦି ଆରବର କୌଣସି କୂଟନୈତିକ ସମ୍ପର୍କ ନଥିବା ସତ୍ତ୍ୱେ ଏପରି ପରୋକ୍ଷ ଯୋଗାଯୋଗକୁ ସଙ୍କଟର ଗମ୍ଭୀରତାର ସଙ୍କେତ ବୋଲି ଦେଖାଯାଉଛି।

ପାକିସ୍ତାନର ‘ନା’, ଆମେରିକା-ବ୍ରିଟେନର ସୀମିତ ସହାୟତା

ସାଉଦି ଆରବର ପ୍ରମୁଖ ସହଯୋଗୀ ପାକିସ୍ତାନ ହୁଥିଙ୍କ ବିରୋଧରେ ୟେମେନରେ ସିଧାସଳଖ ସାମରିକ ଅଭିଯାନରେ ନିଜ ସେନା କିମ୍ବା ସାମରିକ ସମ୍ପତ୍ତି ମୁତୟନ କରିବାକୁ ମନା କରିଥିବା ରିପୋର୍ଟ ଆସିଛି। ତେବେ ସାଉଦି ଭୂଖଣ୍ଡ ଉପରେ ଆକ୍ରମଣ ହେଲେ ପାକିସ୍ତାନ ସୁରକ୍ଷା ଦେବ ବୋଲି ସଙ୍କେତ ଦେଇଛି।

Also Read- ଟ୍ରମ୍ପଙ୍କ କଥା ମାନିବ ୟୁକ୍ରେନ୍, ଋଷ ତୈଳ ରିଫାଇନାରୀ ଉପରେ କରିବନି ଆକ୍ରମଣ

ଅନ୍ୟପଟେ ଆମେରିକା ଓ ବ୍ରିଟେନ୍ ମଧ୍ୟ ହୁଥିଙ୍କ ବିରୋଧରେ ସିଧାସଳଖ ଆକ୍ରମଣ କରିବାରୁ ଦୂରେଇ ରହିଛନ୍ତି। ଆମେରିକା ଗୁଇନ୍ଦା ସହାୟତା ଏବଂ ବ୍ରିଟେନ୍ ସାମରିକ ପରାମର୍ଶଦେବା ଦିଗରେ ସୀମିତ ସହଯୋଗ କରୁଥିବା ରିପୋର୍ଟ ରହିଛି।

ତେଲ ରପ୍ତାନି ଉପରେ ବଡ଼ ବିପଦ

ଗତ କିଛି ସପ୍ତାହ ଧରି ହୁଥିମାନେ ସାଉଦିର ଶକ୍ତି ଭିତ୍ତିଭୂମି ଉପରେ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ କରୁଥିଲେ। କିନ୍ତୁ ଗତ ସପ୍ତାହର ହଠାତ୍ ଆକ୍ରମଣରେ ସାଉଦି ସମର୍ଥିତ ନ୍ୟାସନାଲ୍ ରେଜିଷ୍ଟାନ୍ସ ଫ୍ରଣ୍ଟ୍କୁ ପଛକୁ ଠେଲି ହୁଥିମାନେ ରେଡ୍ ସି ଉପକୂଳ ଓ ବାବ୍-ଏଲ୍-ମାଣ୍ଡେବ୍ ଅଞ୍ଚଳର କିଛି ଅଂଶ ନିୟନ୍ତ୍ରଣକୁ ନେଇଥିବା ଦାବି ହୋଇଛି।

ଏହି ଅଞ୍ଚଳକୁ ‘ଗେଟ୍ ଅଫ୍ ଟିଅର୍ସ’ ମଧ୍ୟ କୁହାଯାଏ। ଏହା ବନ୍ଦ ହେବା ସହ ସାଉଦିର ପାଇପଲାଇନ୍ ନେଟୱର୍କ ଉପରେ ଆକ୍ରମଣ ଜାରି ରହିଲେ ଦେଶର ତେଲ ରପ୍ତାନି କ୍ଷମତା ଗୁରୁତର ଭାବେ ପ୍ରଭାବିତ ହୋଇପାରେ।

ଏପରି ସ୍ଥିତିରେ ଇସ୍ରାଏଲର ସମ୍ଭାବ୍ୟ ସହାୟତା ସାମରିକ ଆକ୍ରମଣ ଅପେକ୍ଷା ଗୁଇନ୍ଦା ସୂଚନା ଯୋଗାଣ ମଧ୍ୟରେ ସୀମିତ ରହିପାରେ। ହୁଥିଙ୍କ ପକ୍ଷରୁ ଇସ୍ରାଏଲୀ ସହର ଉପରେ ରକେଟ୍ ଆକ୍ରମଣ ଏବଂ ରେଡ୍ ସି ବାଣିଜ୍ୟ ପଥରେ ଆହୁରି ବାଧା ସୃଷ୍ଟି ହେବା ନେଇ ଇସ୍ରାଏଲ ମଧ୍ୟ ଚିନ୍ତିତ ଥିବା ରିପୋର୍ଟ ହୋଇଛି।