ୱାଶିଂଟନ୍: ମହାକାଶରେ ପ୍ରତିରକ୍ଷା ଓ ସାମରିକ ଶକ୍ତିର ପ୍ରତିଯୋଗିତା ଏକ ନୂଆ ମୋଡ଼ ନେଇଛି। ଆମେରିକା ମହାକାଶର କକ୍ଷପଥରେ ନିଜର ପ୍ରଥମ ଅନ୍-ଅର୍ବିଟ୍ ଯୁଦ୍ଧାସ୍ତ୍ର ମୁତୟନ କରିଥିବା ନେଇ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସ୍ବୀକାର କରିଛି । ଆମେରିକା ମହାକାଶ ସେନା (US Space Force) ପକ୍ଷରୁ ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦିଆଯାଇଛି।

ମେରିଲ୍ୟାଣ୍ଡଠାରେ ଆୟୋଜିତ ବାର୍ଷିକ ‘ଏୟାର, ସ୍ପେସ୍, ଆଣ୍ଡ୍ ସାଇବର କନ୍‌ଫରେନ୍ସ’ରେ ଆମେରିକା ଏୟାରଫୋର୍ସ ସେକ୍ରେଟାରୀ ଟ୍ରୋୟ ମିଙ୍କ୍ ଏହି ବିଷୟରେ ସୂଚନା ଦେଇଛନ୍ତି। ଆମେରିକାର ସେନା ଓ ଆମେରିକୀୟ ସ୍ବାର୍ଥକୁ ଶତ୍ରୁପକ୍ଷଙ୍କ ଆକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ଏହି କକ୍ଷପଥ ଯୁଦ୍ଧାସ୍ତ୍ରର ମୁତୟନ ଅତ୍ୟନ୍ତ ଜରୁରୀ ଥିଲା। ଏହା ଦ୍ବାରା ଆମେରିକା, ଚୀନ୍ ଏବଂ ଶତ୍ରୁରାଷ୍ଟ୍ରଙ୍କୁ କଡ଼ା ଚେତାବନୀ ଦେବାକୁ ଚେଷ୍ଟା କରିଛି ।

ଏହି ଅସ୍ତ୍ରଗୁଡ଼ିକ ମହାକାଶରେ ପ୍ରତିରକ୍ଷା ଏବଂ ଆକ୍ରମଣ ପାଇଁ ବ୍ୟବହୃତ ହୋଇପାରିବ। ଏହା ମାଧ୍ୟମରେ ଶତ୍ରୁଙ୍କ ଉପଗ୍ରହ କିମ୍ବା ସାମରିକ କ୍ଷମତାକୁ ନିଷ୍କ୍ରିୟ କରାଯାଇପାରିବ। ମହାକାଶର ସାମରିକୀକରଣ ବହୁ ପୁରୁଣା। ୧୯୬୭ ମସିହାରେ ସ୍ବାକ୍ଷରିତ 'ଆଉଟର ସ୍ପେସ୍ ଟ୍ରିଟି' ଅନୁଯାୟୀ, ମହାକାଶ କକ୍ଷପଥରେ ଅସ୍ତ୍ର (WMDs)ମୁତୟନ କରିବା ଉପରେ କଟକଣା ରହିଛି।

ଏହି ଚୁକ୍ତିପତ୍ର ପାରମ୍ପରିକ ସାମରିକ କ୍ଷମତା, ଉପଗ୍ରହ-ବିରୋଧୀ ଅସ୍ତ୍ର କିମ୍ବା ଲେଜର-ଆଧାରିତ ବୈଷୟିକ ଜ୍ଞାନକୌଶଳକୁ ସମ୍ପୂର୍ଣ୍ଣ ବାରଣ କରେ ନାହିଁ। ତେଣୁ ଆମେରିକା, ରୁଷ, ଚୀନ୍ ଏବଂ ଭାରତ ଭଳି ପ୍ରମୁଖ ଶକ୍ତିଶାଳୀ ଦେଶଗୁଡ଼ିକ ନିଜ ନିଜ ସାଟେଲାଇଟ୍ ସୁରକ୍ଷା ଏବଂ ନଜର ରଖିବା ପାଇଁ ଏହିପରି ବୈଷୟିକ ଜ୍ଞାନକୌଶଳର ବିକାଶ କରୁଛନ୍ତି।

‘ୟୁଏସ୍ ସ୍ପେସ୍ ଫୋର୍ସ’ ଅନୁଯାୟୀ:, ଚୀନ୍ ନିଜ ସେନାର ଆଧୁନିକୀକରଣ ପାଇଁ ମହାକାଶ ଓ କାଉଣ୍ଟର-ସ୍ପେସ୍ (Counterspace) କ୍ଷମତାର ବ୍ୟାପକ ବିକାଶ କରୁଛି। ରୁଷ ମହାକାଶକୁ ଏକ ଯୁଦ୍ଧକ୍ଷେତ୍ର ଭାବରେ ବିବେଚନା କରେ ଏବଂ ଭବିଷ୍ୟତ ଯୁଦ୍ଧରେ ମହାକାଶରେ ଆଧିପତ୍ୟ ନିର୍ଣ୍ଣାୟକ ହେବ ବୋଲି ବିଶ୍ୱାସ କରେ। ଏହି ସବୁ ବିପଦକୁ ଆଖିଆଗରେ ରଖି ଆମେରିକା ନିଜର ମିସାଇଲ୍ ପ୍ରତିରକ୍ଷା ବ୍ୟବସ୍ଥାର ଅଂଶସ୍ୱରୂପ ମହାକାଶରେ ଯୁଦ୍ଧାସ୍ତ୍ର ମୁତୟନ କରିଛି ।