ନୂଆଦିଲ୍ଲୀ ୧୫।୦୯: ୯୦ ଦଶକର ବଲିଉଡ୍ ଅଭିନେତ୍ରୀ ନୀଲମ୍ କୋଠାରୀ । ନିକଟରେ ଅଭିନେତା ଗୋବିନ୍ଦାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଦୀର୍ଘଦିନ ଧରି ଚାଲିଆସୁଥିବା ଗୁଜବ ଉପରେ ମୁହଁ ଖୋଲିଛନ୍ତି। ଦୁହେଁ ଅନେକ ଫିଲ୍ମରେ ଏକାଠି କାମ କରିଥିଲେ। ପରଦାରେ ଦୁହିଁଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରୁଥିବାରୁ ସେମାନଙ୍କ ମଧ୍ୟରେ ବାସ୍ତବ ଜୀବନରେ ମଧ୍ୟ ଘନିଷ୍ଠ ସମ୍ପର୍କ ଥିବା ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା।

ତେବେ ଦୀର୍ଘ ବର୍ଷ ପରେ ଏହି ଗୁଜବ ଉପରେ ନୀଲମ୍ ସ୍ପଷ୍ଟୀକରଣ ଦେଇଛନ୍ତି। ଏକ ସାକ୍ଷାତକାରରେ ଯେତେବେଳେ ତାଙ୍କୁ କୁହାଗଲା ଯେ ଗୋବିନ୍ଦା ତାଙ୍କୁ ପରଦା ବାହାରେ ଭଲ ପାଉଥିଲେ, ସେତେବେଳେ ନୀଲମ୍ କହିଥିଲେ ଯେ ସେହି ସମୟରେ ସେ ବହୁତ ଛୋଟ ଥିଲେ। ଏପରିକି ଗୋବିନ୍ଦା ବିବାହିତ ଥିଲେ ବୋଲି ମଧ୍ୟ ସେ ଜାଣି ନଥିଲେ।

ନୀଲମ୍ କହିଛନ୍ତି, ସେ ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ, ସେତେବେଳେ ତାଙ୍କ ସମ୍ପୂର୍ଣ୍ଣ ଧ୍ୟାନ କ୍ୟାରିୟର ଉପରେ ଥିଲା। ହିନ୍ଦୀ ଭାଷା ଶିଖିବା ସହ ଅଭିନୟ କ୍ଷେତ୍ରରେ ନିଜର ସ୍ଥାନ ମଜବୁତ କରିବା ହିଁ ତାଙ୍କ ପ୍ରାଥମିକତା ଥିଲା। ସେହି ବୟସରେ ପ୍ରେମ କିମ୍ବା ସମ୍ପର୍କ ବିଷୟରେ ଚିନ୍ତା କରିବା ତାଙ୍କ ପାଇଁ ଅସମ୍ଭବ ଥିଲା।

‘ସେ ବିବାହିତ ବୋଲି ମୁଁ ଜାଣି ନଥିଲି’

ନୀଲମ୍ କହିଛନ୍ତି ଯେ ଗୋବିନ୍ଦା ବିବାହିତ ବୋଲି ସେ ସେତେବେଳେ ଜାଣି ନଥିଲେ। ପରବର୍ତ୍ତୀ ସମୟରେ ହିଁ ସେ ଏହି କଥା ଜାଣିବାକୁ ପାଇଥିଲେ। ତେଣୁ ସେହି ସମୟର ଘଟଣାକୁ ଆଜିର ଦୃଷ୍ଟିକୋଣରୁ ଦେଖିବା ଠିକ୍ ହେବ ନାହିଁ ବୋଲି ତାଙ୍କ ମତ।ଏହି ସାକ୍ଷାତକାର ସମୟରେ ନୀଲମଙ୍କ ସ୍ୱାମୀ ତଥା ଅଭିନେତା ସମୀର ସୋନି ମଧ୍ୟ ଉପସ୍ଥିତ ଥିଲେ। ସମୀରଙ୍କ କହିବା ଅନୁଯାୟୀ, ସେହି ସମୟରେ ପ୍ରକୃତରେ କ’ଣ ଘଟିଥିଲା କିମ୍ବା କ’ଣ ଘଟିଥାଇପାରେ, ସେ ବିଷୟରେ ତାଙ୍କର ବ୍ୟକ୍ତିଗତ ଭାବେ କୌଣସି ଧାରଣା ନାହିଁ। ତେଣୁ ଏହା ଉପରେ ମତାମତ ଦେବାର ମଧ୍ୟ କୌଣସି କାରଣ ନାହିଁ ବୋଲି ସେ କହିଥିଲେ।