ମୁମ୍ବାଇ : ଟେଲିଭିଜନ ଅଭିନେତା ଗୌରବ ଖାନ୍ନା ଏବଂ ତାଙ୍କ ପତ୍ନୀ ଆକାଂକ୍ଷା ଚମୋଲାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କିଛି ଦିନ ତଳେ ଦୁହେଁ ପରସ୍ପରକୁ ଛାଡପତ୍ର ଦେବା ନେଇ ଖବର ଭାଇରଲ ହେଉଥିବାବେଳେ ଏବେ ଆକାଂକ୍ଷା ସୋସିଆଲ ମିଡିଆରେ ଗୌରବ ଖାନ୍ନାଙ୍କୁ ଅନଫଲୋ କରିଥିବା ଖବର ସାମ୍ନାକୁ ଆସିଛି। ଏହା ସହିତ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ଗୌରବଙ୍କ ସହ ଥିବା କିଛି ଫଟୋ ମଧ୍ୟ ହଟାଇଥିବା ଦାବି କରାଯାଉଛି।

ଏହି ଘଟଣା ପରେ ଉଭୟଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଛି। ଫ୍ୟାନମାନେ ମଧ୍ୟ ଏହା ପଛର କାରଣ କ'ଣ ହୋଇପାରେ ବୋଲି ଚର୍ଚ୍ଚା କରୁଛନ୍ତି। ତେବେ ଏହି ଘଟଣାକୁ ନେଇ ଗୌରବ ଖାନ୍ନାଙ୍କ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଫଟୋ ଡିଲିଟ୍ କରିବା କିମ୍ବା ଅନଫଲୋ କରିବାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଗୌରବ ଏହାକୁ ନେଇ ନିଜ ମତ ରଖିଛନ୍ତି। ତାଙ୍କ କହିବା ଅନୁସାରେ, ସୋସିଆଲ ମିଡିଆରେ କୌଣସି ଫଟୋ ରହିବା କିମ୍ବା ନ ରହିବା ହିଁ ସମ୍ପର୍କର ପରିଭାଷା ନୁହେଁ।

ଗୌରବ ଓ ଆକାଂକ୍ଷା ଦୀର୍ଘଦିନ ଧରି ପରସ୍ପରଙ୍କ ସହ ଜଡ଼ିତ ଅଛନ୍ତି। ଉଭୟଙ୍କ ବିବାହ ପରେ ମଧ୍ୟ ସେମାନଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଛି। ଏବେ ଆକାଂକ୍ଷାଙ୍କ ସୋସିଆଲ ମିଡିଆ ଆକ୍ଟିଭିଟିକୁ ନେଇ ହଠାତ୍ ଚର୍ଚ୍ଚା ଆରମ୍ଭ ହେବାରୁ ଫ୍ୟାନ୍ମାନଙ୍କ ମଧ୍ୟରେ କୌତୂହଳ ବଢ଼ିଛି। ତେବେ ଅନଫଲୋ କରିବା ଏବଂ ଫଟୋ ହଟାଇବା ପଛରେ ପ୍ରକୃତ କାରଣ କ'ଣ, ସେନେଇ ଆକାଂକ୍ଷାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ବୟାନ ଆସିନାହିଁ। ତେଣୁ ସୋସିଆଲ ମିଡିଆର ଏହି ଖବରକୁ ଆଧାର କରି ଉଭୟଙ୍କ ସମ୍ପର୍କକୁ ନେଇ କୌଣସି ଆଲୋଚନା କରିହେବନାହିଁ । ଏହି ଘଟଣା ପରେ ଗୌରବ ଖାନ୍ନାଙ୍କ ପ୍ରତିକ୍ରିୟା ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି।