ଭୁବନେଶ୍ବର ୧୯।୧୧: ଭୀଷଣ ବାତ୍ୟା ‘ଅକଭାନ୍’ ବର୍ତ୍ତମାନ ଉତ୍ତର ଦିଗ ଦେଇ ଗତି କରୁଛି । ଗତ ୬ ଘଣ୍ଟାରେ ଏହା ଘଣ୍ଟାପ୍ରତି ୧୭ କି.ମି. ବେଗରେ ସ୍ଥଳଭାଗ ଆଡକୁ ମୁହାଁଉଛି । ବର୍ତ୍ତମାନ ଏହା ଦକ୍ଷିଣରେ ଗୋପାଳପୁରଠାରୁ ୪୩୦ ଓ ପୁରୀଠାରୁ ୪୯୦ କି.ମି. ଦୂରରେ ଦକ୍ଷିଣରେ କେନ୍ଦ୍ରୀଭୂତ ରହିଛି । ବର୍ତ୍ତମାନ ଆକଳନ ସୁଦ୍ଧା ବତ୍ୟାଟି ନରସାପୁର ଓ ପୁରୀ ମଧ୍ୟରେ, ଗୋପାଳପୁର ପାଖାପାଖି ସ୍ଥାନରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୯୦ ରୁ ୧୦୦ କି.ମି. ପର୍ଯ୍ୟନ୍ତ ଘଣ୍ଟା ପ୍ରତି ରହିପାରେ ଏବଂ ଝଟକା ପବନ ବେଗ ୧୧୦ କି.ମି. ପର୍ଯ୍ୟନ୍ତ ଛୁଇଁପାରେ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି ।

ବାତ୍ୟାକୁ ଦୃଷ୍ଟିରେ ରଖି ୨୧ ତାରିଖ ସକାଳ ଯାଏଁ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ତେବେ ବାତ୍ୟା ‘ଅକଭାନ୍’ ପାଇଁ ବନ୍ଦର ଗୁଡିକୁ ମଧ୍ୟ ଆଲର୍ଟ ଜାରି କରାଯାଇଛି । ଗୋପାଳପୁର ଏବଂ ପୁରୀ ବନ୍ଦର ପାଇଁ ୧୦ ନମ୍ବର ମହାବିପଦ ସଙ୍କେତ ଗ୍ରେଟ୍ ଡେଞ୍ଜର ସିଗ୍ନାଲ୍-୧୦ ଜାରି କରାଯାଇଛି । ସେହିଭଳି ପାରାଦୀପ ବନ୍ଦର ପାଇଁ ୯ ନମ୍ବର ମହାବିପଦ ସଙ୍କେତ ଗ୍ରେଟ୍ ଡେଞ୍ଜର ସିଗ୍ନାଲ୍-୯ ଦିଆଯାଇଛି । ଅନ୍ୟପଟେ ଧାମରା ଏବଂ ଚାନ୍ଦବାଲି ବନ୍ଦର ପାଇଁ ୩ ନମ୍ବର ସ୍ଥାନୀୟ ସତର୍କ ସଙ୍କେତ ଲୋକାଲ୍ କସନାରୀ ସିଗ୍ନାଲ୍-୩ ଜାରି କରାଯାଇଛି ।

Also Read:- ଗଛ କାଟିବାଠୁ ଉଦ୍ଧାର ପର୍ଯ୍ୟନ୍ତ, ସବୁଥି ପାଇଁ ପ୍ରସ୍ତୁତ ଅଗ୍ନିଶମ ବାହିନୀ

ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବାକୁ ଥିବାବେଳେ ପାରାଦୀପ ବନ୍ଦର ପାଖରେ ୭୦ରୁ ୮୦ ବେଗରେ ପବନ ବହିପାରେ । ଧାମରାରେ ମଧ୍ୟ ୫୫ ରୁ ୬୫ କି.ମି. ପର୍ଯ୍ୟନ୍ତ ଘଣ୍ଟା ପ୍ରତି ପବନର ବେଗ ରହିପାରେ । ଗୁରୁବାର ରାତିରେ ପୂରା ରାତି ବର୍ଷା ଲାଗି ରହିବ । ଯାଜପୁର, କଟକ, କେନ୍ଦ୍ରାପଡ଼ା, ନୟାଗଡ଼ ଆଦି ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷା ରହିବ । ଏଥିପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ଏବଂ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ସେହିପରି ବର୍ତ୍ତମାନ ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ମଧ୍ୟ ଅରେଞ୍ଜ ଆଲର୍ଟ ଦିଆଯାଇଛି । ଗୁରୁବାର ବର୍ଷା ରହିବ ଏବଂ ଶୁକ୍ରବାର ମଧ୍ୟ ବର୍ଷା ଜାରି ରହିବ । ଶୁକ୍ରବାର ଓ ଶନିବାର ଅର୍ଥାତ୍ ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

Watch Video: