ନୂଆଦିଲ୍ଲୀ: ଲୋକପ୍ରିୟ ଭିଡିଓ ଗେମ୍ ସିରିଜ୍ ‘ଗ୍ରାଣ୍ଡ ଥେଫ୍ଟ ଅଟୋ’ (GTA)ର ନୂଆ ସଂସ୍କରଣକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜାରି ରହିଛି । କାରଣ ଗେମ୍ ପ୍ରାୟ ୧୨ ବର୍ଷ ପରେ ରିଲିଜ୍ ହୋଇଛି । ଏମିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଗେମ୍‌ର ଉଦାହରଣ ଦେଇ ଗୁରୁବାର ଏକ ଭିନ୍ନ ଅନ୍ଦାଜରେ ଭାରତର ବିକାଶ ଯାତ୍ରାକୁ ଉପସ୍ଥାପନ କରିଛନ୍ତି । ସୋସିଆଲ୍ ମିଡିଆରେ ‘GTA-5’ ଓ ‘GTA-6’ ସମୟର ତୁଳନାତ୍ମକ ଗ୍ରାଫିକ୍ସ ସେୟାର୍ କରି ସେ ଦେଶର ଅର୍ଥନୀତି, ଭିତ୍ତିଭୂମି ଓ ସାମାଜିକ କ୍ଷେତ୍ରରେ ଆସିଥିବା ପରିବର୍ତ୍ତନକୁ ଦର୍ଶାଇଛନ୍ତି ।

"ଭାରତ ଏବେ ଏକ ସମ୍ପୂର୍ଣ୍ଣ ନୂଆ ଗେମ୍ ଖେଳୁଛି"

ନିଜ ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ, "ଭାରତ ଏବେ ଏକ ସମ୍ପୂର୍ଣ୍ଣ ନୂଆ ଗେମ୍ ଖେଳୁଛି!"* ଗେମିଂ ଦୁନିଆର ଏହି ଲୋକପ୍ରିୟ ରେଫରେନ୍ସ ଜରିଆରେ ସେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ଯେ, ସମୟ ବଦଳିବା ସହ ଦେଶର ସ୍ଥିତି ଓ ସାମର୍ଥ୍ୟରେ ବଡ଼ ଧରଣର ଉନ୍ନତି ଘଟିଛି।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସେୟାର୍ କରାଯାଇଥିବା ‘ତତ୍କାଳୀନ ଓ ବର୍ତ୍ତମାନ’ (Then vs Now) ଗ୍ରାଫିକ୍ସରେ ବିଭିନ୍ନ କ୍ଷେତ୍ରର ତଥ୍ୟ ରଖାଯାଇଛି:

ପ୍ରଧାନମନ୍ତ୍ରୀ କହିଛନ୍ତି ପୂର୍ବରୁ ଭାରତକୁ ବିଶ୍ୱର ‘ଦୁର୍ବଳ ପାଞ୍ଚ’ ଅର୍ଥନୀତି ମଧ୍ୟରେ ଗଣାଯାଉଥିଲା। ବର୍ତ୍ତମାନ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବେ ପରିଚିତ ହୋଇଛି। ପିଏମ ଆହୁରି କହିଛନ୍ତି ଭାରତର ଅତ୍ୟଧିକ ଦାରିଦ୍ର୍ୟ ହାର ୨୭ ପ୍ରତିଶତରୁ କମି ୨.୬ ପ୍ରତିଶତରେ ପହଞ୍ଚିଛି। ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ପରିମଳ କଭରେଜ୍ ୩୯ ପ୍ରତିଶତରୁ ବୃଦ୍ଧି ପାଇ ୧୦୦ ପ୍ରତିଶତ ହୋଇଥିବା ଦର୍ଶାଯାଇଛି।

ଦେଶର ସୌର ଶକ୍ତି କ୍ଷମତା ୨.୮୨ ଗିଗାୱାଟ୍‌ରୁ ବଢ଼ି ୧୭୫ ଗିଗାୱାଟ୍ରେ ପହଞ୍ଚିଛି। ରେଳପଥ ବିଦ୍ୟୁତିକରଣ ୨୦ ପ୍ରତିଶତରୁ ବୃଦ୍ଧି ପାଇ ୯୯.୬ ପ୍ରତିଶତ ହୋଇଛି। ମହାକାଶ କ୍ଷେତ୍ରରେ ଷ୍ଟାର୍ଟଅପ୍ ସଂଖ୍ୟା ୧ରୁ ବଢ଼ି ୪୪୦ ହୋଇଥିବା ବେଳେ, ୧ ଜିବି ମୋବାଇଲ୍ ଡାଟା ଦର ୩୦୮ ଟଙ୍କାରୁ କମି ୭.୫୧ ଟଙ୍କାକୁ ଖସି ଆସିଛି। ଭାରତ ପ୍ରତିରକ୍ଷା ଆମଦାନୀକାରୀରୁ ଆଗକୁ ବଢ଼ି ୮୦ରୁ ଅଧିକ ଦେଶକୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରୁଛି। ଏହାସହ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୮୨ରୁ ଶୂନକୁ ଖସି ଆସିଥିବା ମଧ୍ୟ ଏହି ଗ୍ରାଫିକ୍ସରେ ଦାବି କରାଯାଇଥିବା ନେଇ ପିଏମ ମୋଦୀଙ୍କ ଦ୍ବାରା ସେୟାର କରାଯାଇଥିବା ଗ୍ରାଫିକ୍ସରେ ଉଲ୍ଲେଖ ରହିଛି।

Also Read: ସମ୍ପର୍କୀୟଙ୍କୁ ଛାଡ଼ିବାକୁ ବନ୍ଦେ ଭାରତ ଟ୍ରେନରେ ଚଢ଼ିଥିଲେ ୧୨ ଜଣ, ବନ୍ଦ ହୋଇଗଲା ଅଟୋମେଟିକ୍ ଗେଟ୍

ଡିଜିଟାଲ୍ ଟ୍ରେଣ୍ଡ୍ ଓ ରାଜନୈତିକ ଚର୍ଚ୍ଚା

ତେବେ ଯୁବପିଢ଼ିଙ୍କ ମଧ୍ୟରେ ‘GTA-6’କୁ ନେଇ ରହିଥିବା ଉତ୍ସାହ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହି ପୋଷ୍ଟ୍ ଅନଲାଇନରେ ଖୁବ୍ ଭାଇରାଲ୍ ହେଉଛି। ଗୋଟିଏ ପଟେ ସମର୍ଥକମାନେ ଏହାକୁ ବିକାଶର ନୂଆ ବାର୍ତ୍ତା ଭାବେ ଦେଖୁଥିବା ବେଳେ, ଅନ୍ୟପଟେ ବିରୋଧୀ ଦଳ ପକ୍ଷରୁ ଏହି ପୋଷ୍ଟକୁ ନେଇ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।