ପୁରୀ ୧୯।୧୧: ବାତ୍ୟା ‘ଅକଭାନ୍’କୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମୀକ୍ଷା। ସମସ୍ତ ବିଭାଗକୁ ଆଲର୍ଟରେ ରହିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ‘ଅକଭାନ୍’ ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ବେଳେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ହୋଇଛନ୍ତି। ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ପୁରୀ ଓସ୍ବାନା ଭିଡିଓ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିବା ପରେ ଏହି ସୂଚନା ଦେଇଛନ୍ତି।

ବୈଠକରେ ବାତ୍ୟାର ଗତିପଥ, ପ୍ରଭାବିତ ହେବାକୁ ଥିବା ଜିଲ୍ଲା, ବିଶେଷ କରି ପୁରୀ ସମେତ ଉପକୂଳ ଜିଲ୍ଲାର ପ୍ରସ୍ତୁତି ଉପରେ ଆଲୋଚନା ହୋଇଛି। ବାତ୍ୟା ଆଶ୍ରୟସ୍ଥଳୀ, ଖାଦ୍ୟ, ପାନୀୟ ଜଳ, ଔଷଧ, ବିଦ୍ୟୁତ୍ ଓ ଯୋଗାଯୋଗ ବ୍ୟବସ୍ଥା ପ୍ରସ୍ତୁତ ଥିବାବେଳେ ଜିଲ୍ଲାରେ ୨୪ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ପୁରୀ ସମୁଦ୍ର କୂଳରେ ନାଲି ପତାକା, ସମୁଦ୍ର ସ୍ନାନ ଉପରେ କଟକଣା, ହୋଟେଲ୍ ଗୁଡ଼ିକୁ ଆଡ୍ଭାଇଜରି ଜାରି କରାଯାଇଛି। ଏ ସମସ୍ତ ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଉପମୁଖ୍ୟମନ୍ତ୍ରୀ।

Also Read:- ରାୟଗଡ଼ାରୁ ଗଞ୍ଜାମ ଯାଏଁ ଭୂସ୍ଖଳନ ଭୟ, ସରକାରଙ୍କ ସ୍ୱତନ୍ତ୍ର ପ୍ରସ୍ତୁତି

ପୋଲିସ, NDRF, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ସମସ୍ତେ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଲୋକମାନେ ଭୟଭୀତ ନ ହୋଇ ସରକାରଙ୍କ ନିର୍ଦ୍ଦେଶ ମାନିବାକୁ ଅନୁରୋଧ କରିଛନ୍ତି। ଗୁଜବରୁ ଦୂରେଇ ରହିବାକୁ ମଧ୍ୟ ସଚେତନ କରାଇଛନ୍ତି। ତେବେ ମହାପ୍ରଭୁଙ୍କ ଆଶୀର୍ବାଦରୁ ବାତ୍ୟାର ପ୍ରଭାବ ପୁରୀ ଜିଲ୍ଲା ଉପରେ କିଭଳି ନପଡିବ ସେନେଇ ପ୍ରାର୍ଥନା କରିଛନ୍ତି।

Watch Video: