ନୂଆଦିଲ୍ଲୀ: ଭାରତୀୟ ଗଣତନ୍ତ୍ରକୁ ନେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ମନ୍ତବ୍ୟକୁ କେନ୍ଦ୍ର କରି ଦେଶର ରାଜନୀତି ସରଗରମ ହୋଇଛି। ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନାଚକ୍ରରେ ଯୋଗଦେଇ ରାହୁଲ ଭାରତୀୟ ଗଣତନ୍ତ୍ରକୁ 'ସାକ୍ରେଡ୍' ବୋଲି କହିଥିଲେ। କିନ୍ତୁ ତାଙ୍କ ମନ୍ତବ୍ୟକୁ ନେଇ ବିଜେପି ପକ୍ଷରୁ 'ସିକ୍' (ଅସୁସ୍ଥ) ବୋଲି ଦାବି କରାଯିବା ପରେ ନୂଆ ବିବାଦ ସୃଷ୍ଟି ହୋଇଛି। ରାହୁଲଙ୍କ ମୂଳ ମନ୍ତବ୍ୟ ଏବଂ ବିଜେପିର ଅଭିଯୋଗ ମଧ୍ୟରେ ଥିବା ପାର୍ଥକ୍ୟକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ବୁଧବାର ଚିକାଗୋ ବିଶ୍ୱବିଦ୍ୟାଳୟରେ ପ୍ରଫେସର ରବର୍ଟ ପେପ୍ଙ୍କ ସଂଯୋଜନାରେ ଆୟୋଜିତ ଏକ ଆଲୋଚନା କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଥିଲେ। ଏହି ସମୟରେ ତାଙ୍କୁ ପଚରାଯାଇଥିଲା ଯେ, ନିର୍ବାଚନରେ ଅନିୟମିତତା ହେଉଥିବା ନେଇ ବିରୋଧୀ ଦଳ ଯଦି ଏତେ ନିଶ୍ଚିତ, ତେବେ ସେମାନେ ନିର୍ବାଚନ ବର୍ଜନ କାହିଁକି କରୁନାହାନ୍ତି?

ଏହାର ଉତ୍ତରରେ ରାହୁଲ କହିଥିଲେ, ଭାରତୀୟ ଗଣତନ୍ତ୍ର ତାଙ୍କ ପାଇଁ ଅତ୍ୟନ୍ତ ପବିତ୍ର। ଗଣତନ୍ତ୍ରରେ ସମସ୍ୟା ରହିଛି ବୋଲି କହିବା ପୂର୍ବରୁ ମଧ୍ୟ ତାଙ୍କୁ ଶହେ, ଦୁଇଶହ କିମ୍ବା ତିନିଶହ ପ୍ରତିଶତ ପ୍ରମାଣ ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

ରାହୁଲଙ୍କ କହିବା ଅନୁଯାୟୀ, ନିର୍ବାଚନ ବର୍ଜନ କରିବା ଦ୍ୱାରା ଗଣତନ୍ତ୍ରର ସୁରକ୍ଷା ହେବ ନାହିଁ; ବରଂ ଏହା ଭାରତୀୟ ଗଣତନ୍ତ୍ରର ଅନ୍ତ ଘଟାଇବ। ଯଦି କଂଗ୍ରେସ ନିର୍ବାଚନରେ ଭାଗ ନନେବାକୁ ନିଷ୍ପତ୍ତି ନିଏ, ତେବେ ଦଳର ହଜାର ହଜାର କର୍ମୀ ଓ ସମର୍ଥକଙ୍କ ଭବିଷ୍ୟତ କ'ଣ ହେବ ବୋଲି ସେ ପ୍ରଶ୍ନ କରିଥିଲେ। ସେ ଆହୁରି କହିଥିଲେ, "ଆମେ ଯଦି ନିର୍ବାଚନ ଲଢ଼ିବୁ ନାହିଁ ବୋଲି ଘୋଷଣା କରୁ, ତେବେ ସେହି ମୁହୂର୍ତ୍ତରେ ଭାରତୀୟ ଗଣତନ୍ତ୍ରର ଅନ୍ତ ଘଟିବ। ଆମେ ଗଣତାନ୍ତ୍ରିକ ବ୍ୟବସ୍ଥାର ଏହି ଢାଞ୍ଚାକୁ ଶେଷ କରିବାକୁ ଚାହୁଁନାହୁଁ।"

ତେଣୁ ନିର୍ବାଚନ ବର୍ଜନ କରିବା ପରିବର୍ତ୍ତେ ଦେଶରେ କ'ଣ ଘଟୁଛି, ତାହା ଲୋକଙ୍କ ସାମ୍ନାକୁ ଆଣିବା ଏବଂ ଲୋକେ ବାସ୍ତବ ସ୍ଥିତି ବୁଝିବା ପର୍ଯ୍ୟନ୍ତ ରାଜନୈତିକ ଚାପ ଓ ପରାଜୟକୁ ସାମ୍ନା କରିବା ହିଁ କଂଗ୍ରେସର ରଣନୀତି ବୋଲି ସେ ସ୍ପଷ୍ଟ କରିଥିଲେ।

ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟ ପରେ ବିଜେପି ପକ୍ଷରୁ ତାଙ୍କୁ ଟାର୍ଗେଟ୍ କରାଯାଇଛି। ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ରାହୁଲଙ୍କ ଆଲୋଚନାର ଭିଡିଓ ସେୟାର କରି ଦାବି କରିଥିଲେ ଯେ, ରାହୁଲ ଭାରତୀୟ ଗଣତନ୍ତ୍ରକୁ 'ସିକ୍' ବୋଲି କହିଛନ୍ତି।

ସେ ନିଜ ପୋଷ୍ଟରେ ରାହୁଲଙ୍କୁ ଟାର୍ଗେଟ୍ କରି ଲେଖିଥିଲେ ଯେ, ବିଦେଶ ମାଟିରୁ ଭାରତୀୟ ଗଣତନ୍ତ୍ରକୁ ଅସୁସ୍ଥ ବୋଲି କହି ରାହୁଲ ପୁଣିଥରେ ପ୍ରମାଣ କରିଛନ୍ତି ଯେ ସେ ନିଜ ପରିବାରକୁ ଭଲ ପାଆନ୍ତି, କିନ୍ତୁ ଗଣତନ୍ତ୍ରକୁ ଘୃଣା କରନ୍ତି। ଏଥିସହ ସେ ରାହୁଲଙ୍କୁ ଭାରତ ବିରୋଧୀ ପ୍ରଚାରର ନେତା ବୋଲି ମଧ୍ୟ ଆକ୍ଷେପ କରିଥିଲେ। ତେବେ ରାହୁଲଙ୍କ ଆଲୋଚନାର ଭିଡିଓକୁ ଧ୍ୟାନର ସହ ଶୁଣିଲେ ସେ 'ସାକ୍ରେଡ୍' ବା ପବିତ୍ର ବୋଲି କହିଥିବା ସ୍ପଷ୍ଟ ହେଉଛି, 'ସିକ୍' ବୋଲି ନୁହେଁ। ଖବର ପ୍ରସ୍ତୁତ ହେବା ସମୟ ପର୍ଯ୍ୟନ୍ତ ପ୍ରଦୀପ ଭଣ୍ଡାରୀ ନିଜର ଏହି ପୋଷ୍ଟକୁ ହଟାଇ ନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ, ବିଦେଶ ମାଟିରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ବିଜେପି ପୂର୍ବରୁ ମଧ୍ୟ ଅନେକଥର ଆପତ୍ତି ଉଠାଇଛି। ରାହୁଲ ଭାରତର ଗଣତନ୍ତ୍ର ଓ ରାଜନୈତିକ ବ୍ୟବସ୍ଥାକୁ ବିଦେଶରେ ସମାଲୋଚନା କରି ଦେଶର ଛବିକୁ କ୍ଷତି ପହଞ୍ଚାଉଥିବା ବିଜେପି ଅଭିଯୋଗ କରିଆସୁଛି l ଏହାପୂର୍ବରୁ ନ୍ୟୁୟର୍କର କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନା ସମୟରେ ରାହୁଲ 'ଭୋଟ୍ ଚୋରି' ପ୍ରସଙ୍ଗ ଉଠାଇଥିଲେ। ସେତେବେଳେ ମଧ୍ୟ ବିଜେପି ତାଙ୍କୁ ଭାରତ ଓ ଦେଶର ଗଣତନ୍ତ୍ରକୁ ଅପମାନିତ କରୁଥିବା ଅଭିଯୋଗରେ ଘେରିଥିଲା।

ALSO READ- 

ରାହୁଲ ଗାନ୍ଧୀ ଦୁଇ ଦିନିଆ ଆମେରିକା ଗସ୍ତରେ ଯାଇଥିଲେ। ଏହି ଗସ୍ତ ସମୟରେ ସେ ମଙ୍ଗଳବାର ନ୍ୟୁୟର୍କର କଲମ୍ବିଆ ବିଶ୍ୱବିଦ୍ୟାଳୟ ଏବଂ ବୁଧବାର ଚିକାଗୋ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।ରାହୁଲଙ୍କ 'ସାକ୍ରେଡ୍' ମନ୍ତବ୍ୟକୁ 'ସିକ୍' ବୋଲି ଦର୍ଶାଇ ବିଜେପିର ଆକ୍ରମଣ ଏବେ ଦେଶର ରାଜନୈତିକ ବିତର୍କକୁ ଆହୁରି ତୀବ୍ର କରିଛି।