ପୋଲାଭରମ: ଆନ୍ଧ୍ରପ୍ରଦେଶର ରାମପାଚୋଡାଭରମ ଜିଲ୍ଲା ବନାଞ୍ଚଳରେ ମାଓବାଦୀ ବିରୋଧୀ ଅଭିଯାନ କାଳରେ ପୋଲିସ ଓ ସୁରକ୍ଷା ବଳ ବିପୁଳ ମାତ୍ରାରେ ବିସ୍ଫୋରକ ଓ ମାଓବାଦୀଙ୍କ ସମ୍ପର୍କିତ ସାମଗ୍ରୀ ଜବତ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆନ୍ଧ୍ରପ୍ରଦେଶ ସ୍ପେଶାଲ ପୋଲିସ ଓ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଏକ ମିଳିତ ଅଭିଯାନରେ ୬୭୦ଟିରୁ ଅଧିକ ଜୀବନ୍ତ ବ୍ୟାରେଲ ଗ୍ରେନେଡ ଲଞ୍ଚର (ବିଜିଏଲ) ସେଲ୍, ୪୨ରୁ ଅଧିକ ନନ୍-ଇଲେକ୍ଟ୍ରୋନିକ୍ ଡିଟୋନେଟର, ୨୫୦ ଗ୍ରାମ ବିସ୍ଫୋରକ, ୨୫ ଖଣ୍ଡ କାର୍ଡିକ୍ସ, ୧୨ଟି ବିସ୍ଫୋରକ ରିଂ, ୭ଟି ଜୀବନ୍ତ କାଟ୍ରିଜ, ୧୬ଏମଏମ ମୋର୍ଟାରର ୧୬ଟି ଖାଲି ଖୋଳ, ୬ ମିଟର ଫ୍ୟୁଜ ଓ ଚିକିତ୍ସା ସାମଗ୍ରୀ ଜବତ କରାଯାଇଛି।

ଜନୈକ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ମାଓବାଦୀ କ୍ୟାଡରମାନେ କଥିତ ରୂପେ ଏହି ସବୁ ସାମଗ୍ରୀକୁ ସେମାନଙ୍କ ଅଭିଯାନରେ ସାମିଲ କରିବା ପାଇଁ ଲୁଚାଇ ରଖିଥିଲେ। ପୋଲାଭରମ ଜିଲ୍ଲାର ବନାଞ୍ଚଳରେ ଚଳାଯାଇଥିବା ତଲାସୀ ଅଭିଯାନ କାଳରେ ଅନ୍ୟକେତେକ ଜିନିଷ ମଧ୍ୟ ଜବତ କରାଯାଇଛି। ଏହି ଅଭିଯାନରେ ଆନ୍ଧ୍ରପ୍ରଦେଶ ସ୍ପେଶାଲ ପୋଲିସ ସମେତ ସିଆରପିଏଫ ଓ ଅନ୍ୟ ସୁରକ୍ଷା ବଳ ଜବାନଙ୍କୁ ମଧ୍ୟ ସାମିଲ କରାଯାଇଛି। ଏକ ପୃଥକ ଘଟଣାରେ ତେଲେଙ୍ଗାନା ପୋଲିସ ଭଦ୍ରାଦୀ କୋଠାଗୁଡେମ ଜିଲ୍ଲାରେ ତେଲେଙ୍ଗାନା-ଛତିଶଗଡ଼ ସୀମା ନିକଟ ବନାଞ୍ଚଳରୁ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାଓବାଦୀ) ର ପ୍ୟୁପିଲସ୍ ଲବରେସନ ଆର୍ମି (ପିଏଲଜିଏ) ବଟାଲିୟନ ଦ୍ୱାରା ଲୁଚାଇ ରଖାଯାଇଥିବା ୨୮୦ଟି ବିଜିଏଲ ସେଲ ଜବତ ହୋଇଛି।

ଏହାପୂର୍ବରୁ ନଭେମ୍ବର ୧୬ ତାରିଖ ଦିନ ପୂଜାରୀ କାଙ୍କେର ଗାଁ ନିକଟରେ ଚାର୍ଲା ପୋଲିସ ଦ୍ୱାରା ଚଳାଯାଇଥିବା ତଲାସୀ ଅଭିଯାନ କାଳରେ ଏହା ସବୁ ଜବତ ହୋଇଥିଲା। ଏହି ଅଭିଯାନରେ ସ୍ପେଶାଲ ପାର୍ଟି ଜବାନ ଓ ବୋମା ନିରୋଧକ ସ୍କ୍ୱାର୍ଡ ମଧ୍ୟ ସାମିଲ ଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହି ଅଭିଯାନ ଚଳାଯାଇଥିଲା। ପୋଲିସ ଅଧିକାରୀ କହିଛନ୍ତି ଯେ ନିଷିଦ୍ଧ ସଙ୍ଗଠନ ଗୋପନରେ କେଉଁଠି କେଉଁଠି ଜିନିଷ ଲୁଚାଇ ରଖିଛି ପୋଲିସ ପିଏଲଜିଏ ବଟାଲିୟନ ସମ୍ପର୍କିତ ଏପରି ୩ଟି ଆଡ୍ଡାର ସନ୍ଧାନ ପାଇଛି।