ଭୁବନେଶ୍ବର ୧୯।୧୧: ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବାହିନୀର ବଡ଼ ପ୍ରସ୍ତୁତି । ଅଗ୍ନିଶମ ବିଭାଗର ୩୮୮ ଟିମ୍ ରଖିଛି ସଜାଗ । ଭୂସ୍ଖଳନ ଏବେ ଓଡ଼ିଶା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ପୂର୍ବ ବାତ୍ୟା ସମୟରେ ଭୂସ୍ଖଳନ ଯୋଗୁଁ ଲୋକଙ୍କ ଜୀବନ ଯାଇଥିବା ଘଟଣାକୁ ନଜରରେ ରଖି ଏଥର ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ଓଡ଼ିଶା ଅଗ୍ନିଶମ ବିଭାଗ । ଘୂର୍ଣ୍ଣିଝଡ଼ ‘ଅକଭାନ୍‌’ର ସମ୍ଭାବ୍ୟ ପ୍ରଭାବ ଓ ଉଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ୩୮୮ଟି ଟିମ୍ ପ୍ରସ୍ତୁତ ରଖାଯାଇଛି । ସେଥିମଧ୍ୟରୁ ୨୧୬ଟି ଟିମ୍ ମୁତୟନ ହୋଇଛନ୍ତି ।

ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ୧୮୧ଟି ରବର ବୋଟ୍, ୨୩୩ଟି ଆସ୍କା ଲାଇଟ୍, ୧୦୨ଟି ଡିୱାଟରିଂ ପମ୍ପ ଏବଂ ୬୪୦ଟି ପାୱାର ଚେନ୍‌ସ ରଖାଯାଇଛି । ରାସ୍ତାରେ ଗଛ ପଡ଼ିଲେ ତୁରନ୍ତ ହଟାଇବା, ଜଳବନ୍ଦୀ ଅଞ୍ଚଳରୁ ପାଣି ନିଷ୍କାସନ ଏବଂ ବିପଦରେ ଥିବା ଲୋକଙ୍କୁ ଉଦ୍ଧାର ପାଇଁ ଟିମ୍‌ଗୁଡ଼ିକ ପ୍ରସ୍ତୁତ ଅଛନ୍ତି । ବିଶେଷକରି ପୁରୀ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଜପତି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, ରାୟଗଡ଼ା ଓ ଖୋର୍ଦ୍ଧା ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ୍‌ରେ ରଖାଯାଇଛି । ପାହାଡ଼ ତଳେ ଥିବା ବିପଦପୂର୍ଣ୍ଣ ଗାଁ ଗୁଡ଼ିକୁ ଚିହ୍ନଟ କରି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

Also Read:- ଆକ୍ସନ୍ ମୋଡ୍‌ରେ ଜଳ ସମ୍ପଦ ବିଭାଗ, ଜଳଭଣ୍ଡାର ଓ ନଦୀବନ୍ଧରେ ସାରାରାତି ଜଗିଛନ୍ତି କର୍ମଚାରୀ

ଅନ୍ୟପଟେ ପୁରୀ ସମୁଦ୍ରକୂଳରେ ମଧ୍ୟ ସତର୍କତା ବଢ଼ାଯାଇଛି । ସମୁଦ୍ରର ଅଶାନ୍ତ ସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନରେ ଲାଇଫ୍‌ଗାର୍ଡଙ୍କ ପକ୍ଷରୁ ଲାଲ୍ ପତାକା ଲଗାଯାଇଛି । ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କୁ ସମୁଦ୍ର ଭିତରକୁ ନଯିବା ଏବଂ ସ୍ନାନ ନକରିବାକୁ କଡ଼ା ଚେତାବନୀ ଦିଆଯାଇଛି । ବାତ୍ୟା ପରବର୍ତ୍ତୀ ସ୍ଥିତିରେ ପ୍ରଥମ ୧୫ରୁ ୩୦ ମିନିଟ୍ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ହିଁ ଜୀବନ ବଞ୍ଚାଇବାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ବ୍ଲକ୍ ସ୍ତରରେ ଥିବା ଅଗ୍ନିଶମ ଟିମ୍‌ଗୁଡ଼ିକୁ ସକ୍ରିୟ ରଖାଯାଇଛି । ଜରୁରୀକାଳୀନ ସହାୟତା ପାଇଁ ୧୧୨ ନମ୍ବରକୁ ଫୋନ୍ କରିବାକୁ ଲୋକଙ୍କୁ ଅପିଲ୍ କରାଯାଇଛି । ବାତ୍ୟାର ଗତିବିଧି ଉପରେ ନଜର ରଖାଯିବ ସହ ଆବଶ୍ୟକ ସ୍ଥଳକୁ ଟିମ୍‌ ମୁଭ୍ ପାଇଁ ଆଲର୍ଟ ରଖାଯାଇଛି ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

Watch Video: