ନୂଆଦିଲ୍ଲୀ: ଆମେରିକାରେ ପୁଣି ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆକ୍ଷେପ କରିଛନ୍ତି କି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ? ଆମେରିକା ଗସ୍ତରେ ଥିବା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ରକୁ ‘ଅସୁସ୍ଥ’ କହିଥିବା ନେଇ ବିଜେପି ଅଭିଯୋଗ କରିବା ସହ ତାଙ୍କୁ ସମାଲୋଚନା କରିଛି । ରାହୁଲ ଭାରତ ଏବଂ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାର ବିରୋଧୀ ବୋଲି ଅଭିଯୋଗ କରିଛି ବିଜେପି । ରାହୁଲ ଗାନ୍ଧୀ ବୁଧବାର ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଯୋଗଦେଇ  ଭାରତୀୟ ଗଣତନ୍ତ୍ରର ସ୍ଥିତି ଉପରେ ପ୍ରଶ୍ନ ଉଠାଇଥିଲେ। ଏହି କାର୍ଯ୍ୟକ୍ରମର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ କହୁଥିବାର ଶୁଣିବାକୁ ମିଳୁଛି ଯେ ଭାରତୀୟ ଗଣତନ୍ତ୍ର ଅସୁସ୍ଥ ହୋଇପଡ଼ିଛି। 

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ଶତପ୍ରତିଶତ କିମ୍ବା ଠୋସ୍ ପ୍ରମାଣ ବିନା ଭାରତୀୟ ଗଣତନ୍ତ୍ରରେ ସମସ୍ୟା ଥିବା କଥା କହିବା ତାଙ୍କ ପାଇଁ କଷ୍ଟକର । କିନ୍ତୁ ଦେଶରେ ବିରୋଧୀ ଦଳର କର୍ମୀମାନଙ୍କ ସହ କ’ଣ ଘଟୁଛି ତାହା ସମସ୍ତେ ଦେଖୁଛନ୍ତି। ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା  ଦେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କଂଗ୍ରେସ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, କଂଗ୍ରେସ ଦଳ ଭାରତୀୟ ଗଣତନ୍ତ୍ରକୁ ନକାରାତ୍ମକ ଭାବରେ ଚିତ୍ରଣ କରୁଛି। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' (X) ରେ ପ୍ରଦୀପ ଭଣ୍ଡାରୀ ପୋଷ୍ଟ କରିଛନ୍ତି, କଂଗ୍ରେସ ଭାରତୀୟ ଗଣତନ୍ତ୍ରକୁ ଅସୁସ୍ଥ ବୋଲି କହୁଛି ଏବଂ ରାହୁଲ ଗାନ୍ଧୀ ପୁଣିଥରେ ପ୍ରମାଣିତ କରିଛନ୍ତି ଯେ, ସେ ଗଣତାନ୍ତ୍ରିକ ମୂଲ୍ୟବୋଧ ଅପେକ୍ଷା ନିଜ ପରିବାରର ସ୍ୱାର୍ଥକୁ ଅଧିକ ସମ୍ମାନ ଜଣାନ୍ତି । 

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ ବାରମ୍ବାର ଏଭଳି ବୟାନ ଦେଉଛନ୍ତି, ଯାହା ଭାରତ, ଦେଶର ଜନସାଧାରଣ ଏବଂ ଏହାର ଗଣତାନ୍ତ୍ରିକ ଢାଞ୍ଚା ପ୍ରତି ତାଙ୍କର ବିରୋଧାଭାସକୁ ଦର୍ଶାଉଛି। ନିଜ ଆକ୍ରମଣକୁ ଆହୁରି ତୀବ୍ର କରି ବିଜେପି ମୁଖପାତ୍ର ରାହୁଲ ଗାନ୍ଧୀଙ୍କୁ 'ଭାରତ ବିରୋଧୀ ଅପପ୍ରଚାରର ନେତା' ବୋଲି ଅଭିହିତ କରିଛନ୍ତି। ଏହା ପୂର୍ବରୁ ବୁଧବାର ଦିନ ମଧ୍ୟ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ନେଇ ବିଜେପି ତାଙ୍କୁ ସମାଲୋଚନା କରିଥିଲା। ବିଦେଶ ଗସ୍ତ ସମୟରେ ରାହୁଲ ଗାନ୍ଧୀ ବାରମ୍ବାର ଭାରତର ପ୍ରଗତି ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ସମାଲୋଚନା କରୁଥିବା ବିଜେପି ଅଭିଯୋଗ କରିଛି। 

କଲମ୍ବିଆ ବିଶ୍ୱବିଦ୍ୟାଳୟର ଏକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଦେଶର ଆର୍ଥିକ ସ୍ଥିତି ଉପରେ ଚିନ୍ତା ପ୍ରକଟ କରିଥିଲେ ।  ଭାରତ ଏକ ବଡ଼ ଧରଣର ଆର୍ଥିକ ବିପର୍ଯ୍ୟୟର ଦ୍ୱାରଦେଶରେ ଠିଆ ହୋଇଛି ବୋଲି କହିଥିଲେ ରାହୁଲ । ଏହା ସହିତ ଦେଶରେ ବ୍ୟାପକ ବେକାରୀ ସମସ୍ୟା ରହିଥିବା ଏବଂ ଶିକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଥିବା ନେଇ ସେ ଅଭିଯୋଗ କରିଥିଲେ। ରାହୁଲ ଗାନ୍ଧୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରି ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି ଯେ, ଭାରତର ପ୍ରଗତି ଏବଂ ଗଣତନ୍ତ୍ର ପ୍ରତି ଥିବା ଘୃଣାଭାବ ଯୋଗୁଁ ସେ ଯେତେବେଳେ ବି ବିଦେଶ ଯାଆନ୍ତି, ସେତେବେଳେ ଭାରତ ବିରୋଧରେ ଅପପ୍ରଚାର କରନ୍ତି। ସମଗ୍ର ବିଶ୍ୱ ଆଜି ଭାରତକୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ସ୍ୱୀକାର କରୁଛି । କିନ୍ତୁ ରାହୁଲ ଗାନ୍ଧୀ ବିଶ୍ବ ମଞ୍ଚରେ ଭାରତ ବିରୋଧରେ ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପ୍ରଦୀପ ଭଣ୍ଡାରୀ ।