ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡ଼ା ସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଶାଖାରେ ଦେଖାଦେଇଛି ତୀବ୍ର ନଗଦ ଟଙ୍କା (କ୍ୟାସ) ଅଭାବ। ଲଗାତାର ସରକାରୀ ଛୁଟି ଏବଂ ବ୍ୟାଙ୍କରେ ପର୍ଯ୍ୟାପ୍ତ ପରିମାଣର କ୍ୟାସ ନ ଥିବା କାରଣରୁ ଶହ ଶହ ଗ୍ରାହକ ଚରମ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି।

ଖୋଲା ଅଛି ବ୍ୟାଙ୍କ, କିନ୍ତୁ ମିଳୁନି ଟଙ୍କା

ବ୍ୟାଙ୍କ ନିୟମିତ ଭାବେ ଖୋଲା ରହୁଥିଲେ ସୁଦ୍ଧା କାଉଣ୍ଟରରୁ ଆବଶ୍ୟକ ମୁତାବକ ଟଙ୍କା ମିଳିପାରୁ ନାହିଁ। ମେଡିକାଲ ଖର୍ଚ୍ଚ, ଔଷଧ କିଣିବା, ପିଲାମାନଙ୍କ ପାଠପଢ଼ା, ଦୈନନ୍ଦିନ ଖର୍ଚ୍ଚ ତଥା ଜରୁରୀ ଆବଶ୍ୟକତା ପାଇଁ ନିଜ ଜମାଖାତାରୁ ଟଙ୍କା ଉଠାଇବାକୁ ଆସୁଥିବା ଲୋକେ ନିରାଶ ହୋଇ ଖାଲି ହାତରେ ଫେରୁଛନ୍ତି। ବ୍ୟାଙ୍କ ସମ୍ମୁଖରେ ଲମ୍ବା ଲାଇନ ଲାଗୁଥିବା ବେଳେ ଟଙ୍କା ନ ମିଳିବାରୁ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଓ ଅସନ୍ତୋଷ ପ୍ରକାଶ ପାଉଛି।

Also Read: ଦଶହରା ମେଢ଼ ଦେଖିବାକୁ ଯାଇଥିଲେ ପରିବାର, ତାଲା ଭାଙ୍ଗି ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସହ ସୁନା ଗହଣା ଲୁଟ୍

ଦୁର୍ଗମ ଅଞ୍ଚଳର ଲୋକେ ବେଶି ପ୍ରଭାବିତ

ବୁଡ଼ାଗୁଡ଼ା ଶାଖା ଉପରେ ଆଖପାଖ ବହୁ ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳର ହଜାର ହଜାର ହିତାଧିକାରୀ ନିର୍ଭର କରନ୍ତି। ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସମେତ ସରକାରୀ ସହାୟତା ରାଶି ଉଠାଇବା ପାଇଁ ବୃଦ୍ଧ, ବୃଦ୍ଧା, ମହିଳା ଓ ଦିବ୍ୟାଙ୍ଗମାନେ ବହୁ କଷ୍ଟରେ ଗାଡ଼ି ଭଡ଼ା କରି ୧୦ ରୁ ୨୦ କିଲୋମିଟର ଦୂରରୁ ବ୍ୟାଙ୍କକୁ ଆସୁଛନ୍ତି। କିନ୍ତୁ ଦିନ ତମାମ ଖରା-କାକରରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଶେଷରେ "କ୍ୟାଶ୍ ନାହିଁ" ଶୁଣି ନିରାଶରେ ଫେରୁଛନ୍ତି। ଏହାଦ୍ୱାରା ଗରିବ ଲୋକଙ୍କ ସମୟ ଓ ଅର୍ଥ ଉଭୟ ନଷ୍ଟ ହେଉଛି।

ଶାଖା ପରିଚାଳକଙ୍କ ପ୍ରତିକ୍ରିୟା

ଏହି ସମସ୍ୟା ସମ୍ପର୍କରେ ବୁଡ଼ାଗୁଡ଼ା ଶାଖା ପରିଚାଳକ ଭବତୋଷ ଛୋଟରାୟଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, "ଲଗାତାର ସରକାରୀ ଛୁଟି ପଡ଼ିଥିବାରୁ କ୍ୟାସ ସରିଯାଇଛି ଏବଂ ଏହି ଅସ୍ଥାୟୀ ସମସ୍ୟା ସୃଷ୍ଟି ହୋଇଛି। ଗ୍ରାହକଙ୍କ ଜମା  ଟଙ୍କା ଆସିବା ମାତ୍ରେ କିମ୍ବା ଉପରୁ ନୂଆ କ୍ୟାଶ୍ ବ୍ୟବସ୍ଥା ହେବା କ୍ଷଣି ସମସ୍ତ ଗ୍ରାହକଙ୍କୁ ତୁରନ୍ତ ଟଙ୍କା ପ୍ରଦାନ କରାଯିବ।" ସେ ଆହୁରି ମଧ୍ୟ ସ୍ଥିତି ଖୁବ୍ ଶୀଘ୍ର ସ୍ୱାଭାବିକ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Also Read: CJPକୁ ନବୀନଙ୍କ ସମର୍ଥନ ନେଇ ପ୍ରଶ୍ନ ଉଠାଇଲେ ମନମୋହନ, ବିଜେଡିକୁ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଆହ୍ୱାନ

ତୁରନ୍ତ ସମାଧାନ ପାଇଁ ଦାବି

ପାର୍ବଣ ଋତୁ ତଥା ଦୈନନ୍ଦିନ କାରବାର ସମୟରେ ଏଭଳି ସଙ୍କଟ ସାଧାରଣ ଖାତାଧାରୀଙ୍କ ଚିନ୍ତା ବଢ଼ାଇ ଦେଇଛି। ତେଣୁ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବୁଡ଼ାଗୁଡ଼ା ଶାଖାକୁ ପର୍ଯ୍ୟାପ୍ତ ପରିମାଣର ନଗଦ ଅର୍ଥ ଯୋଗାଇ ଦେବା ସହ ଗ୍ରାହକଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ତଥା ଜନସାଧାରଣ ଦୃଢ଼ ଦାବି କରିଛନ୍ତି।