ତେହେରାନ, ୧୦/୦୯ : ଆମେରିକା ଏବଂ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । କେହି କାହାରିକୁ ଛାଡିବାକୁ ନାରାଜ । ପରସ୍ପର ଉପରେ ମିସାଇଲ ଏବଂ ଡ୍ରୋନରେ ଆକ୍ରମଣ କରୁଛନ୍ତି । ଏହାରି ଭିତରେ ଜୋର୍ଡାନରେ ଥିବା ୟୁଏସ ସାମରିକ ବେସକୁ ତେହେରାନ ଟାର୍ଗେଟ୍ କରିଛି । ବାଲିଷ୍ଟିକ୍ ମିସାଇଲରେ ଆଟାକ୍ କରିଛି । ଫଳରେ ୟୁଏସର ଭୟଙ୍କର କ୍ଷତି ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି ।

ସିବିଏସର ରିପୋର୍ଟ ଅନୁସାରେ, ଜୋର୍ଡାନରେ ୟୁଏସ ବେସର ଫଟୋ ଆକ୍ରମଣ ପରେ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି ଯେ, ଏକ ଥଣ୍ଡରବୋଲ୍ଟ ଏ-୧୦ର ଏକ ଡେଣା ଭାଙ୍ଗି ଯାଇଛି । ଅନେକ ଏଫ୍-୧୫ ବିମାନ କ୍ଷତିଗ୍ରସ୍ତ ହୋଇଛି । ଏପରି ଭାବେ ଅନେକ ଯୁଦ୍ଧ ବିମାନ ଆଉଟ୍ ଅଫ୍ ସର୍ଭିସ ହୋଇଯାଇଛି ।

ଇରାନର ଆକ୍ରମଣ ପରେ ଆମେରିକା ଚୁପ୍ ବସିନଥିଲା । ପାଟ୍ରିଅଟ୍ ମିସାଇଲ୍ ମାଡ଼ କରିଥିଲା । ପ୍ରଥମେ ୟୁଏସ ଫୋର୍ସ ଖାର୍ଗ ଦୀପ ନିକଟରେ ୫ଟି ଇରାନୀ ତୈଳ ଟ୍ୟାଙ୍କରୁ ଟାର୍ଗେଟ୍ କରି ଧ୍ୱଂସ କରିଦେଇଥିଲା । ଯାହା ପରେ ଇରାନର ଆଇଆରଜିସି ଅଧିକ ଆକ୍ରମଣାତ୍ମକ ହୋଇ ପ୍ରତି ଜବାବ ଦେଇଥିଲା । ଏହାସହ ଦୁଇଟି ୟୁଏସ ଓ୍ୱାରସିପ୍ ଏବଂ ୮ଟି ଟ୍ୟାଙ୍କରକୁ ସେମାନେ ନଷ୍ଟ କରିଦେଇଛନ୍ତି ।

Also Read :- ଫିଲିପାଇନ୍ସରେ ବଡ ଅଘଟଣ; ପର୍ଯ୍ୟଟନ ସ୍ଥଳରେ ଥିବା ଡଙ୍ଗାରେ ଭୟାବହ ଅଗ୍ନିକାଣ୍ତ, ୫ ମୃତ, ୮୦ରୁ ଅଧିକ ଆହତ

ଆଇଆରଏନଏର ରିପୋର୍ଟ ଅନୁସାରେ, ଆଇଆରଜିସି ଜୋର୍ଡାନରେ ଥିବା ଅଲ୍ ଅଜରକ୍ ବେସକୁ ଟାର୍ଗେଟ୍ କରିଥିଲା । ଭୟଙ୍କର ମିସାଇଲ୍ ମାଡ଼ କରାଯାଇଥିଲା । ଜୋର୍ଡାନ ମଧ୍ୟ ଘଟଣାକୁ ସ୍ପଷ୍ଟ କରିଥିଲା । ଅନେକ ଇରାନର ମିସାଇଲକୁ ଆକାଶାରେ ହିଁ ଇଣ୍ଟରସେପ୍ଟ୍ କରାଯାଇଥିବା ଜୋର୍ଡନ ସରକାର ପ୍ରକାଶ କରିଥିବା ରିପୋର୍ଟରେ କୁହାଯାଇଛି ।

ବୁଧବାର ସେପ୍ଟେମ୍ବର ୯ରେ ଜୋର୍ଡାନ ଉପରେ ଇରାନ ମିସାଇଲ୍ ମାଡ଼ କରିଥିଲା । ଆମେରିକୀୟ ସେନା ବ୍ୟବହାର କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଫ୍ୟାସିଲିଟି 'ମୁୱାଫାକ୍ ସାଲ୍ଟି ଏୟାର ବେସ'କୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା । IRNAର ରିପୋର୍ଟ ଅନୁଯାୟୀ, ଇରାନର ରିଭୋଲ୍ୟୁସନାରୀ ଗାର୍ଡସ୍ କହିଛନ୍ତି ଯେ ସେମାନେ ଏକ "ଦଣ୍ଡାତ୍ମକ ଅଭିଯାନ"ରେ "ଜୋର୍ଡାନରେ ଥିବା ଆମେରିକାର ଅଲ-ଅଜରାକ୍ ବେସ ଉପରେ ପ୍ରବଳ ମିସାଇଲ୍ ଆକ୍ରମଣ କରିଛନ୍ତି" ।

 

ଏହାର କିଛି ସମୟ ପରେ ଜୋର୍ଡାନ ସେନା କହିଥିଲା ଯେ ସେମାନେ ଇରାନରୁ ଆସିଥିବା ୧୮ଟି ମିସାଇଲକୁ ଖସାଇ ଦେଇଛନ୍ତି । ଜୋର୍ଡାନ ସେନା ଏକ ବିବୃତ୍ତିରେ କହିଛି, "ଜୋର୍ଡାନର ଏୟାର ଡିଫେନ୍ସ ସିଷ୍ଟମ୍ ଜୋର୍ଡାନ ସୀମା ଆଡ଼କୁ ଆସୁଥିବା ୨୦ଟି ବାଲିଷ୍ଟିକ୍ ମିସାଇଲକୁ ପ୍ରତିହତ କରିଥିଲା, ଯାହା ମଧ୍ୟରୁ ୧୮ଟିକୁ ସଫଳତାର ସହ ନଷ୍ଟ କରାଯାଇଥିବା ବେଳେ ଦୁଇଟି ମିସାଇଲ ଜନଶୂନ୍ୟ ଅଞ୍ଚଳରେ ପଡ଼ିଥିଲା ।"

ଆମେରିକା ନୌସେନା ଯୁଦ୍ଧପୋତ ଉପରେ ଇରାନର ମିସାଇଲ୍ ଆକ୍ରମଣ ଉଦ୍ୟମର ଜବାବରେ ସେପ୍ଟେମ୍ବର ୮ରେ ଆମେରିକା ସେନା ଆଇଆରଜିସି ସହ ଜଡ଼ିତ ପାଞ୍ଚଟି ଇରାନୀୟ ଟ୍ୟାଙ୍କର ଉପରେ ଆକ୍ରମଣ କରିଥିଲା । ପରେ ଇରାନ ପକ୍ଷରୁ ଏହି ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ ହୋଇଥିଲା ବୋଲି ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି ।