ଭୁବନେଶ୍ବର: ଲଗାଣ ବର୍ଷାରେ ସମ୍ବଲପୁରର ହାଲ୍ ବେହାଲ। ସମ୍ବଲପୁରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ, ନାଳରେ ଭାସିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସିଛି। ଏହାରି ମଧ୍ୟରେ ହୀରାକୁଦରୁ ଡ୍ୟାମ୍‌ର ଗେଟ୍ ଖୋଲାଯିବା ନେଇ ସୂଚନା ଦିଆଯାଇଛି। ହୀରାକୁଦ ଡ୍ୟାମର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆସନ୍ତା ଜୁଲାଇ ୯ ତାରିଖରେ ହୀରାକୁଦରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ। ଗୁରୁବାର ଦିନ ୧୧ଟାରେ ଡ୍ୟାମ୍‌ର ଗେଟ୍ ଖୋଲାଯିବ, ତେଣୁ  ମହାନଦୀ ତଳିଆ ଅଞ୍ଚଳରେ ସତର୍କ ରହିବା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।

ଆହୁରି ମଧ୍ୟ ହୀରାକୁଦ ଜଲଭଣ୍ଡାର କର୍ତ୍ତୃପକ୍ଷ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି। ଗେଟ୍ ଖୋଲିବା ସମୟରେ ମହାନଦୀ ଭିତରକୁ କେହି ଯେପରି ନଯାନ୍ତି ସେଥିପାଇଁ ମଧ୍ୟ ସତର୍କ କରାଯାଇଛି। ବର୍ତ୍ତମାନ ପ୍ରତି ସେକେଣ୍ଡରେ ହୀରାକୁଦ ଜଳ ଭଣ୍ଡାରକୁ ୯୩ ହଜାର କ୍ୟୁସେକ ପାଣି ପ୍ରବେଶ କରୁଥିବାବେଳେ, ୨୩ ହଜାର କ୍ୟୁସେକ ପାଣି ନିଷ୍କାସିତ ହେଉଛି। ସେହିପରି ଜଳ ଭଣ୍ଡାର ଜଳସ୍ତର ବୃଦ୍ଧି ପାଇ ୬୦୩. ୮୯ ଫୁଟରେ ପହଞ୍ଚିଛି।

ସୂଚନାଥାଉକି, ଏପର୍ଯ୍ୟନ୍ତ ସମ୍ବଲପୁର ମହାନଗର ନିଗମ ଅଂଚଳରେ ୨୨୦ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଧନକଉଡ଼ା ବ୍ଲକରେ ୨୨୦ ମିମି ବର୍ଷା ରେକର୍ଡ ହୋଇଛି । ସେପଟେ ରେଙ୍ଗାଲି ଅଂଚଳରେ ୧୬୦ ମିମି ଓ ମାନେଶ୍ବର ୧୨୩ ମିମି ବର୍ଷା ହୋଇଛି। ଯାହା ଫଳରେ ସମ୍ବଲପୁର ସହରର ତଳିଆ ଅଞ୍ଚଳରେ ସ୍ଥିତି ବେହାଲ ହୋଇଛି। ସେପଟେ ଲଗାଣ ବର୍ଷା ଫଳରେ ପିଲାକନ୍ଦେଇପଡ଼ା, ପୁଟିବନ୍ଦ, ମଣ୍ଡଳିଆ, ସରସ୍ବତୀ ବିହାରରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୨୬୮ ଜଣଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀରେ ଆଶ୍ରୟ ଦିଆଯାଇଥିବାବେଳେ ରିଲିଫ ପ୍ରଦାନ କରାଯାଇଛି ।

Also Read: ଆଗାମୀ ୩ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି​​​​​​​