ଭୁବନେଶ୍ଵର: ରାଜ୍ୟରେ ଜାରି ରହିବ ବର୍ଷା। ଆଗାମୀ ୩ ଦିନ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଗତ ୨୪ ଘଣ୍ଟାରେ ଅନେକ ଜିଲ୍ଲାରେ ରେକର୍ଡ ପରିମାଣର ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦେଇଛି ବିଭାଗ।

ଆଜି ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା ଓ କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଆନୁଗୁଳ, କନ୍ଧମାଳ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ପାଇଁ ହଳଦିଆ ୱାର୍ଣ୍ଣିଂ ରହିଛି। ଆସନ୍ତାକାଲି ପାଇଁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ବାକି ରାଜ୍ୟରେ କୌଣସି ଚେତାବନୀ ନାହିଁ।

Also Read: ଫୁଲୁଛି ବୈତରଣୀ, ବଢ଼ୁଛି ଜଳସ୍ତର ! ଆସିବ ଛୋଟ ବନ୍ୟା, ପ୍ରଭାବିତ ହେବ ତଳିଆ ଅଞ୍ଚଳ

ସେହିପରି ୯ ତାରିଖ ପାଇଁ ସାରା ରାଜ୍ୟରେ କୌଣସି ପ୍ରକାର ୱାର୍ଣ୍ଣିଂ ନାହିଁ। ବର୍ଷାର ପ୍ରଭାବ କମିବ। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୫୮.୫ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସାଧାରଣଠାରୁ ୪୮୯ ପ୍ରତିଶତ ଅଧିକ। ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ବର୍ଷା ୩୨୫.୪ ମିମି ଓ ଉଲୁଣ୍ଡାରେ ୨୯୦ ମିମି ବର୍ଷା ରେକର୍ଡ ହୋଇଛି। ବଲାଙ୍ଗୀର ବେଲଗାଁରେ ୨୭୯ ମିମି, କେନ୍ଦୁଝର ତେଲକୋଇରେ ୨୭୬.୬ ମିମି ବର୍ଷା ରେକର୍ଡ ହୋଇଛି। ବୌଦ୍ଧ ଖଇରମାଳରେ ୨୫୮ ମିମି, ସମ୍ବଲପୁର ବୁର୍ଲାରେ ୨୫୬.୪ ମିମି ବର୍ଷା ହୋଇଛି।

ମୋଟ ୧୨ଟି ଷ୍ଟେସନରେ ଅତି ପ୍ରବଳ ବର୍ଷା, ୨୪ଟିରେ ପ୍ରବଳ ବର୍ଷା ଓ ୩୭ଟିରେ ମଧ୍ୟମ ବର୍ଷା ହୋଇଛି। ଟ୍ୱିନ୍ ସିଟି ପାଇଁ ଆଗାମୀ 7 ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକରେ ବର୍ଷା ଜାରି ରହିବ। ଆକାଶ ମେଘୁଆ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।