କାଠମାଣ୍ଡୁ: ନେପାଳ ବନ୍ୟା ପରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ଏହି ଭୀଷଣ ପ୍ରକୃତିକ ବିପର୍ଯ୍ୟୟରେ ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି, ଏମାନଙ୍କ ମଧ୍ୟରେ ଅନେକ ଭାରତୀୟ ନାଗରିକ ମଧ୍ୟ ଅଛନ୍ତି। ନିଖୋଜ ଭାରତୀୟଙ୍କ ମଧ୍ୟରେ ଦିଗ୍ଗଜ ଆଇଟି କମ୍ପାନୀ ଇନଫୋସିସ୍ ର ସହାୟକ କମ୍ପାନୀ ଇନଫୋସିସ୍ ପବ୍ଲିକ ସର୍ଭିସେସ୍ ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଲକ୍ସ ଗୋପୀସେଟ୍ଟୀ ମଧ୍ୟ ଅଛନ୍ତି। ଏ ନେଇ ଇନଫୋସିସ୍ ଏକ ଅଧିକାରୀକ ବୟାନ ଜାରି କରି ଲକ୍ସ ଗୋପୀସେଟ୍ଟୀ ବ୍ୟକ୍ତିଗତ ଅଥବା ବ୍ୟବସାୟିକ ଗସ୍ତରେ ନେପାଳ ଯାଇଥିଲେ ଓ ବନ୍ୟା ପରଠାରୁ ତାଙ୍କ ସହ କୌଣସି ସମ୍ପର୍କ ହୋଇ ପାରୁନଥିବା କହିଛି।

କମ୍ପାନୀ କହିଛି ଯେ ଆମର ପ୍ରଥମ ପ୍ରାଥମିକତା ଗୋପୀସେଟ୍ଟୀଙ୍କ ସହ ତୁରନ୍ତ ସମ୍ପର୍କ ସ୍ଥାପନା କରିବା ଓ ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା। ଆମ ଟିମ୍ ସ୍ଥାନୀୟ ଏଜେନ୍ସୀଙ୍କ ସହ ମିଶି ଲଗାତାର ତାଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରୁଛି। ଏଥି ପାଇଁ ଆମେ ନିରନ୍ତର ତାଙ୍କ ପରିବାର ସହ ସମ୍ପର୍କରେ ଥିବା ଓ ଏହି କଠିନ ସମୟରେ ପରିବାରକୁ ଯଥାସମ୍ଭବ ସହାୟତା କରୁଥିବା କହିଛି। ଇନଫୋସି୍ ଏହି ଭୀଷଣ ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା ଧନଜୀବନ ହାନୀକୁ ନେଇ ଗଭୀର ଦୁଃଖ ବ୍ୟକ୍ତ କରିଛି।

ଲକ୍ସ ଗୋପୀସେଟ୍ଟୀ କିଏ?
ଲକ୍ସ ଗୋପୀସେଟ୍ଟୀ ଇନଫୋସିସ୍ ପବ୍ଲିକ ସର୍ଭିସେସର ସିଇଓ ଅଟନ୍ତି। ସେ ଆମେରିକା ଓ କାନାଡ଼ାରେ ସାର୍ବଜନୀକ କ୍ଷେତ୍ରରେ ରଣନୈତିକ ବିକାଶ, ଟେକନିକ୍ ଓ ଅପରେସନସ୍ ର ନେତୃତ୍ୱ ନିଅନ୍ତି। ଏହା ପୂର୍ବରୁ ସେ ଇନଫୋସିସ୍ ରେ ଗ୍ଲୋବାଲ ଭାଇସପ୍ରେସିଡେଣ୍ଟ ଥିଲେ। ଇନଫୋସିସରେ ଜଡିତ ହେବା ପୂର୍ବରୁ ଏକ୍ସେଞ୍ଚରରେ ମ୍ୟାନେଜିଂ ଡାଇରେକ୍ଟର ପଦବୀରେ ଥିଲେ। ଏଠାରେ ସେ ଉତ୍ତର ଆମେରିକାରେ ହେଲଥ୍ ଆଣ୍ଡ ପବ୍ଲିକସର୍ଭିସେସ ବିଜନେସ୍ ର ନେତୃତ୍ୱ ନେଇଥିଲେ। ଏହାଛଡା ସେ ଆଇବିଏମ, ପିଡବ୍ଲୁସି,ଏଚସିଏଲ ଓ ବିୟରିଂ ପଏଣ୍ଟ ଭଳି ଦିଗ୍ଗଜ କମ୍ପାନୀମାନଙ୍କରେ ବରିଷ୍ଠ ପଦପଦବୀରେ କାମ କରିଥିଲେ।

ଉଦ୍ଧାର ଅଭିଯାନରେ ଭାରତ ସରକାରଙ୍କ ପଦକ୍ଷେପ
ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଭାରତ ସରକାର କାଠମାଣ୍ଡୁ ପ୍ରଶାସନ ସହ ମିଶି ଲଗାତାର କାମ କରୁଛନ୍ତି। ଆଶ୍ୱସ୍ତିର କଥା ହେଉଛି ଚୀନ ସୀମାରେ ଅଟକି ରହିଥିବା ୧୫୩ ଜଣ ଭାରତୀୟ ସୁରକ୍ଷିତ ନେପାଳ ପହଞ୍ଚି ଯାଇଛନ୍ତି। ମନ୍ତ୍ରାଳୟ ଅନୁସାରେ ବନ୍ୟା ପ୍ରଭାବିତ ଅଞ୍ଚଳରୁ ସୁରକ୍ଷିତ ଉଦ୍ଧାର ୨୧ ଭାରତୀୟ ନାଗରିକ କାଠମାଣ୍ଡୁ ରାସ୍ତାରେ ଶୁକ୍ରବାର ନୂଆଦିଲ୍ଲୀ ପହଞ୍ଚିଛନ୍ତି। ଏବେ ଉଦ୍ଧାର ଏଜେନ୍ସୀ ନିଖୋଜ ୩୨୦ ଜଣଙ୍କ ସନ୍ଧାନ ନିମନ୍ତେ ବ୍ୟାପକ ଅଭିଯାନ ଚଳାଇଛନ୍ତି।