କୋରାପୁଟ ୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ଅବପାତ ଘନୀଭୂତ । ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୮ କି.ମି. ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି । ବର୍ତ୍ତମାନ ଏହା ଓଡ଼ିଶାର ଗୋପାଳପୁର ଠାରୁ ପ୍ରାୟ ୧୮୦ କି.ମି. ଦକ୍ଷିଣ-ପୂର୍ବ, ବିଶାଖାପାଟଣା ଠାରୁ ୨୭୦ କି.ମି. ପୂର୍ବରେ ରହିଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।

ପରବର୍ତ୍ତୀ ସମୟରେ ମଧ୍ୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖି ଏହା ୨୩ ସେପ୍ଟେମ୍ବର ରାତି ବା ୨୪ ସେପ୍ଟେମ୍ବର ଭୋର ମଧ୍ୟରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ ରୁ ୬୦ କି.ମି. ରହିପାରେ । ୨୩ ଓ ୨୪ ତାରିଖ ଦକ୍ଷିଣ ଓଡିଶାରେ ଅତି ପ୍ରବଳ ବର୍ଷା ହେବାକୁ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Also Read:- ରେଡ୍ ୱାର୍ଣ୍ଣିଂ ପରେ ଗଞ୍ଜାମରେ ବଡ଼ ନିଷ୍ପତ୍ତି, ଦିନକ ପାଇଁ ବନ୍ଦ ରହିବ ସବୁ କଲେଜ

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୋରାପୁଟ ଜିଲ୍ଲାରେ ୨୨ରୁ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ିର ପୂର୍ବାନୁମାନ କରାଯାଇଛି । ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାର ସମସ୍ତ ବର୍ଗର ସ୍କୁଲକୁ ୨୩ ଓ ୨୪ ସେପ୍ଟେମ୍ବର ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟାଳୟରେ ଏହି ଦୁଇ ଦିନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହିବେ ବୋଲି ଚିଠି ମାଧ୍ୟମରେ ନିର୍ଦ୍ଦେଶନାମା ଜାରି କରିଛନ୍ତି କୋରାପୁଟ ଜିଲ୍ଲାପାଳ ।

Watch Video: