ବ୍ରହ୍ମପୁର ୨୨।୯: ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୮ କିମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି। ବର୍ତ୍ତମାନ ଏହା ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୧୮୦ କିମି ଦକ୍ଷିଣ-ପୂର୍ବ, ବିଶାଖାପାଟଣାଠାରୁ ୨୭୦ କିମି ପୂର୍ବରେ ରହିଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଗଭୀର ଅବପାତ ରେ ପରିଣତ ହେବାର ଅତ୍ୟଧିକ ସମ୍ଭାବନା ରହିଛି ।

ପରବର୍ତ୍ତୀ ସମୟରେ ମଧ୍ୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖି ଏହା ୨୩ ସେପ୍ଟେମ୍ବର ରାତି ବା ୨୪ ସେପ୍ଟେମ୍ବର ଭୋର ମଧ୍ୟରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ ରୁ ୬୦ କି.ମି. ରହିପାରେ । ୨୩ ଓ ୨୪ ତାରିଖ ଦକ୍ଷିଣ ଓଡିଶାରେ ଅତି ପ୍ରବଳ ବର୍ଷା ହେବା କୁ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Also Read:- ଅବପାତ ପ୍ରଭାବରେ ବଢ଼ିବ ବର୍ଷା ଓ ପବନ, ଏସବୁ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ; ସମ୍ବେଦନଶୀଳ ଜିଲ୍ଲାରେ ଓଡ୍ରାଫ୍ ଟିମ୍ ମୁତୟନ

ତେବେ ଗଭୀର ଅବପାତ ଆଶଙ୍କାରେ ଗଞ୍ଜାମ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଦିଆଯାଇଛି । ଫଳରେ ୨୩ ତାରିଖ ଗଞ୍ଜାମ ଜିଲ୍ଲାର ସମସ୍ତ କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରହିବ l ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା, ଜଳବନ୍ଦୀ ପରିସ୍ଥିତି ଓ ଯାତାୟାତରେ ସମ୍ଭାବ୍ୟ ବାଧାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲାର ସମସ୍ତ ଡିଗ୍ରୀ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟର ଅଧୀନସ୍ଥ ବିଭାଗ ଗୁଡ଼ିକୁ ୨୩ ସେପ୍ଟେମ୍ବର ୨୦୨୬ ଦିନ ବନ୍ଦ ରଖିବାକୁ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି । ଦୁର୍ବିପାକ ପରିଚାଳନା ଆଇନ, ୨୦୦୫ର ଧାରା ୩୪ ଅନୁଯାୟୀ ପ୍ରଦତ୍ତ କ୍ଷମତା ବଳରେ ଏହି ଆଦେଶ ଜାରି କରାଯାଇଥିବା ସୂଚନା ଦେଇଛନ୍ତି ।