ସାଲେପୁର: ଭାରସାମ୍ୟ ହରାଇ କେନାଲକୁ ଖସିଲା ସ୍କୁଲ୍ ଭ୍ୟାନ। ଏଥିରେ ପ୍ରାୟ ୧୫ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ, ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଟକ ଜିଲ୍ଲା ସାଲେପୁର ଥାନା ଅଧୀନ କୋଲଣପୁର ଠାରେ ଭାରସାମ୍ୟ ହରାଇ କେନାଲକୁ ଖସିପଡ଼ିଛି ଏହି ସ୍କୁଲ ଭ୍ୟାନ।

ମିଳିଥିବା ସୂଚନା ଅନୁସାରେ, ସାଲେପୁର ଶିଶୁ ବିଦ୍ୟାମନ୍ଦିରର ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଭ୍ୟାନଟି କୋଲଣପୁର ଯାଉଥିଲା। ହେଲେ ହଠାତ୍ ଭାରସାମ୍ୟ ହରାଇ ଭ୍ୟାନଟି କେନାଲକୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ। ପରେ ସମସ୍ତଙ୍କୁ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ସମସ୍ତ ଆହତ ଛାତ୍ରଛାତ୍ରୀ ଘରକୁ ଫେରିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀଙ୍କ ହାତ ଭାଙ୍ଗିଥିବା ସୂଚନା ମିଳିଛି। ଆଉ କିଛି ଛାତ୍ରଛାତ୍ରୀ ଘରୋଇ ନର୍ସିଂହୋମରେ ଚିକିତ୍ସା ହେଉଥିବା ନେଇ  ଜଣାପଡ଼ିଛି।

Also Read: ଏମିତି ବି ଆସେ ବିପଦ, ଯୁବକଙ୍କ ପେଟରେ ପଶିଗଲା ଗଛ ଡ଼ାଳ​​​​​​​

ସେପଟେ ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଭ୍ୟାନଟି ବିପଜ୍ଜନକ ଭାବେ ଆବଶ୍ୟକତା ଠାରୁ ଅଧିକ ଛାତ୍ରଛାତ୍ରୀ ନେଇ ଯାଉଥିବାରୁ ଏଭଳି ଅଘଟଣ ଦେଖାଦେଇଛି। ଗାଡ଼ିର ସମସ୍ତ କାଗଜପତ୍ର ଓ ଫିଟନେସ ପୋଲିସ ଓ ଆରଟିଓ ଯାଞ୍ଚ କଲେ ଦୁର୍ଘଟଣାର ପ୍ରକୃତ କାରଣ ସମ୍ନାକୁ ଆସିବ। ସାଲେପୁର ପୋଲିସ ଗାଡ଼ିକୁ ଜବତ କରି ତଦନ୍ତ କରୁଥିବା ନେଇ ସୂଚନା ମିଳିଛି।