ୱାସିଂଟନ: ଆମେରିକା ସଂସଦର ନିମ୍ନ ସଦନ ପ୍ରତିନିଧି ସଭାରେ ଋଷିଆ କଟକଣା ବିଧେୟକ ଗୃହୀତ ହୋଇଛି। ଆମେରିକୀୟ ନେତା ରାଜା କୃଷ୍ଣମୂର୍ତ୍ତି ଏହି ବିଲ୍ ସପକ୍ଷରେ ଭୋଟ ଦେବାରେ ଏକମାତ୍ର ଭାରତ-ଆମେରିକୀୟ ସାଂସଦ ଥିଲେ। ସେ ନିଜ ଡେମୋକ୍ରାଟିକ୍ ପାର୍ଟିର ଆଭିମୁଖ୍ୟରୁ ଦୂରେଇ ଯାଇ ବିଧେୟକ ସପକ୍ଷରେ ଭୋଟ ଦେଇଛନ୍ତି। ହାଉସ୍ ଅଫ ରିପ୍ରେଜେଣ୍ଟେଟିଭରେ ଭାରତୀୟ ମୂଳର ମୋଟ ୬ ଜଣ ସାଂସଦ ଅଛନ୍ତି ଓ ସମସ୍ତ ୬ ଜଣ ଡେମୋକ୍ରାଟ।

‘ଲିଣ୍ଡସେ ଓ ଗ୍ରାହମ ସାଂକ୍ସନିଂ ଋଷ ଆଣ୍ଡ ଇରାନ ଆକ୍ଟ’କୁ ପ୍ରତିନିଧି ସଭା ୧୫୯ ତୁଳନାରେ ୨୬୨ ଭୋଟରେ ଗୃହୀତ କରିଛି। ଏଥିରେ ଡେମୋକ୍ରାଟିକ ପାର୍ଟିର ୫୮ ଜଣ ସାଂସଦ ବିଧେୟକ ସପକ୍ଷରେ ଭୋଟ ଦେଇଛନ୍ତି। ବିଧେୟକରେ ଋଷିଆରୁ ତୈଳ ଓ ଗ୍ୟାସ୍ କ୍ରୟ କରୁଥିବା ୫ ବଡ଼ ଦେଶଙ୍କ ଉପରେ ୧୦୦% ଟାରିଫ ଲଗାଇବାର ପ୍ରାବଧାନ ମଧ୍ୟ ରହିଛି। ଏହାର ପ୍ରଭାବ ଚୀନ୍ ଓ ଭାରତ ଉପରେ ପଡିବାର ଆଶଙ୍କା କରାଯାଉଛି। ଏହି ବିଧେୟକ ସଂସଦର ଉଚ୍ଚ ସଦନ ସିନେଟ୍ ରେ ପୂର୍ବରୁ ଗୃହୀତ ହୋଇ ସାରିଛି।

କୃଷ୍ଣ ମୂର୍ତ୍ତି ବିଧେୟକ ପାଇଁ ଭୋଟିଂରେ ଅଂଶଗ୍ରହଣ କରିବା ପୂର୍ବରୁ ୟୁକ୍ରେନ ସମର୍ଥକ ଏକ ସମୂହକୁ ଭେଟିଥିଲେ। ଏହି ସାକ୍ଷାତ ପରେ ସେ ଏକ୍ସରେ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ ୟୁକ୍ରେନୀୟମାନେ ସେମାନଙ୍କ ସାର୍ବଭୌମତ୍ୱ ଓ ସ୍ୱାଧୀନତା ପାଇଁ ସାହସର ସହିତ ଲଢୁଛନ୍ତି। ଏଣୁ ଆମେରିକାକୁ ସେମାନଙ୍କ ସହ ଛିଡା ହେବାକୁ ପଡିବ। ଇଲିନୋଇସ୍ ରୁ ସାଂସଦ କୃଷ୍ଣ ମୂର୍ତ୍ତି ସିନେଟ୍ ଲାଗି ଗତ ମାର୍ଚ୍ଚ ମାସରେ ଡେମୋକ୍ରାଟିକ ପାର୍ଟିର ପ୍ରାଇମେରୀ ନିର୍ବାଚନରେ ଅଂଶଗ୍ରହଣ କରିଥିଲେ। ହେଲେ ଏଥିରେ ତାଙ୍କୁ ସଫଳତା ମିଳିନଥିଲା। ପ୍ରତିନିଧି ସଭାରେ ତାଙ୍କ କାର୍ଯ୍ୟକାଳ ଆସନ୍ତାବର୍ଷ ଜାନୁୟାରୀରେ ସମାପ୍ତ ହେବ।