ରିୟାଦ: ମହଙ୍ଗା ପଡ଼ିଲା ହୁତୀ ଆକ୍ରମଣ। ଏବେ ପେଟ୍ରୋଲ-ଡିଜେଲ ବିନା ଅଟକିଯିବ ୟୁରୋପର ଆର୍ଥିକ ଗତି। ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ତେଲ ପାଇପ୍‌ଲାଇନ୍ ଉପରେ ଆକ୍ରମଣ ପରେ ୟୁରୋପୀୟ ଦେଶଗୁଡ଼ିକ ପାଇଁ ତେଲ ଯୋଗାଣକୁ ନେଇ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ସାଉଦିର ବଡ଼ ତୈଳ ବିପଣନ କମ୍ପାନୀ ସାଉଦି ଆରାମକୋ ୟୁରୋପୀୟ ରିଫାଇନିଂ ଗ୍ରାହକଙ୍କୁ ଆସନ୍ତା ମାସରେ କୌଣସି କ୍ରୁଡ୍ ତେଲ ଯୋଗାଇବ ନାହିଁ ବୋଲି କହିଦେଇଛି। ଅତି କମରେ ଦୁଇ ୟୁରୋପୀୟ ରିଫାଇନିଂ ଗ୍ରାହଙ୍କୁ ସାଉଦି ଆରାମକୋ ଏହି ସୂଚନା ଦେଇଥିବା ବ୍ଲୁମବର୍ଗ ରିପୋର୍ଟ ପ୍ରକାଶ କରିଛି।

ସାଧାରଣତଃ ୟୁରୋପୀୟ ଗ୍ରାହକମାନେ ସାଉଦି ଆରାମକୋ ସହ ଟର୍ମ କଣ୍ଟ୍ରାକ୍ଟ ଅଧୀନରେ କ୍ରୁଡ୍ ତେଲ କିଣିଥାନ୍ତି। ଏହି ଚୁକ୍ତିରେ ପ୍ରତିମାସ ନିର୍ଦ୍ଦିଷ୍ଟ ପରିମାଣର ତେଲ ଯୋଗାଣର ଗ୍ୟାରେଣ୍ଟି ରହିଥାଏ। କିନ୍ତୁ ପାଇପଲାଇନ୍ ଉପରେ ଆକ୍ରମଣ ପରେ ଆସନ୍ତା ମାସରେ ଏହି ଯୋଗାଣ ହେବ ନାହିଁ ବୋଲି ବିଷୟ ସମ୍ପର୍କରେ ଅବଗତ ବ୍ୟକ୍ତିମାନେ ବ୍ଲୁମ୍ବର୍ଗକୁ କହିଛନ୍ତି। ଏହି ନିଷ୍ପତ୍ତି ସମସ୍ତ ୟୁରୋପୀୟ ଗ୍ରାହକଙ୍କ ପାଇଁ ଲାଗୁ ହେବ ବୋଲି ମଧ୍ୟ ରିପୋର୍ଟରେ କୁହାଯାଇଛି।

୧,୨୦୦ କିମି ପାଇପ୍‌ଲାଇନ୍‌ରେ ଆକ୍ରମଣ

ସାଉଦି ଆରାମକୋ ୧,୨୦୦ କିଲୋମିଟର ଲମ୍ବା ଇଷ୍ଟ-ୱେଷ୍ଟ ପାଇପ୍ଲାଇନ୍ ପରିଚାଳନା କରେ। ଏହି ପାଇପ୍ଲାଇନ୍ ଆରବୀୟ ଉପଦ୍ୱୀପ ଦେଇ ଯାଇ ଲୋହିତ ସାଗର ଅଞ୍ଚଳ ସହ ଯୋଡ଼ିଛି। ଗତ ସପ୍ତାହରେ ହୋଇଥିବା ଆକ୍ରମଣରେ ଏହାର ତିନୋଟି ପମ୍ପିଂ ଷ୍ଟେସନ୍ କ୍ଷତିଗ୍ରସ୍ତ ହୋଇଥିବା ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି। ପୂର୍ବରୁ ଗୋଟିଏ ପମ୍ପିଂ ଷ୍ଟେସନ୍ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଥିଲା। ଆକ୍ରମଣ ପରେ କର୍ତ୍ତୃପକ୍ଷ ପାଇପ୍ଲାଇନ୍ର କାର୍ଯ୍ୟ ବନ୍ଦ କରିଦେଇଛନ୍ତି। ଏହି ଆକ୍ରମଣ ପାଇଁ ସାଉଦି ଆରବ ଇରାନ୍ ସମର୍ଥିତ ଇରାକୀ ମିଲିସିଆ ଦ୍ୱାରା ଛଡ଼ାଯାଇଥିବା ଡ୍ରୋନ୍କୁ ଦାୟୀ କରିଛି।

କେଉଁଠୁ ଆସିବ ତେଲ ? ଚିନ୍ତାରେ ୟୁରୋପ …

ପାଇପ୍‌ଲାଇନ୍ ବନ୍ଦ ହେବା ପରେ ଆରାମକୋର କିଛି ଗ୍ରାହକ ବିକଳ୍ପ ଉତ୍ସରୁ କ୍ରୁଡ୍ ତେଲ ଯୋଗାଡ଼ କରିବାକୁ ଦୌଡ଼ାଦୌଡ଼ି ଆରମ୍ଭ କରିଛନ୍ତି। ପୋଲାଣ୍ଡର Orlen SA ଶୁକ୍ରବାରଠାରୁ ୧୦ରୁ ଅଧିକ ଟେଣ୍ଡର ଜାରି କରିସାରିଛି। ଏହା ମାଧ୍ୟମରେ କମ୍ପାନୀ ବିକଳ୍ପ କ୍ରୁଡ୍ ତେଲ ଯୋଗାଣ ସୁନିଶ୍ଚିତ କରିବାକୁ ଚେଷ୍ଟା କରୁଛି। ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି (IEA)ର ମାସିକ ଅଏଲ୍ ମାର୍କେଟ୍ ରିପୋର୍ଟ ଅନୁସାରେ, ଜୁନ୍ ମାସରେ ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଂଗଠନ ( OECD)ର ୟୁରୋପୀୟ ଦେଶଗୁଡ଼ିକ ସାଉଦି ଆରବରୁ ପ୍ରତିଦିନ ପ୍ରାୟ ୫.୭୭ ଲକ୍ଷ ବ୍ୟାରେଲ୍ କ୍ରୁଡ୍ ତେଲ ଆମଦାନି କରିଥିଲେ। ଏବେ କ୍ରୁଡ ନ ଦେବାକୁ ସାଉଦିଆରମାକୋ ମନା କରିବା ପରେ ୟୁରୋପରେ ତୈଳ ସଂକଟ ବଢ଼ି ଯାଇଛି।

ହର୍ମୁଜ୍ ବିକଳ୍ପ ରାସ୍ତା ମଧ୍ୟ ପ୍ରଭାବିତ

ଗତ ୬ ମାସ ଧରି ମଧ୍ୟପ୍ରାଚ୍ୟରୁ ବିଶ୍ୱ ବଜାରକୁ ତେଲ ପଠାଇବାରେ ଇଷ୍ଟ-ୱେଷ୍ଟ ପାଇପ୍ଲାଇନ୍ ଏକ ପ୍ରମୁଖ ବିକଳ୍ପ ରାସ୍ତା ଭାବେ କାମ କରୁଥିଲା। ଯୁଦ୍ଧ ପରିସ୍ଥିତି ଯୋଗୁ ହର୍ମୁଜ୍ ପ୍ରଣାଳୀ ପ୍ରାୟ ବନ୍ଦ ରହିଥିବା ସମୟରେ ଏହି ପାଇପ୍ଲାଇନର ଗୁରୁତ୍ୱ ଆହୁରି ବଢ଼ିଥିଲା। ଏହି ରୁଟ୍ ଦେଇ ପ୍ରତିଦିନ ପ୍ରାୟ ୪୦ ଲକ୍ଷରୁ ୫୦ ଲକ୍ଷ ବ୍ୟାରେଲ୍ କ୍ରୁଡ୍ ତେଲ ପରିବହନ ହେଉଥିଲା। ଏହା ବିଶ୍ୱର ମୋଟ ତେଲ ଯୋଗାଣର ପ୍ରାୟ ୪ରୁ ୫ ପ୍ରତିଶତ ସମାନ। ତେଣୁ ପାଇପ୍ଲାଇନ୍ ବନ୍ଦ ହେବା ଯୋଗୁଁ ୟୁରୋପୀୟ ରିଫାଇନରୀଗୁଡ଼ିକ ସହ ବିଶ୍ୱ ତେଲ ବଜାର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବା ନେଇ ଚର୍ଚ୍ଚା ବଢ଼ିଛି।