ନୂଆଦିଲ୍ଲୀ: ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ଓ ଫିଲପାଇନ୍ସ ମଧ୍ୟରେ ଜାରି ବିବାଦ ପୁଣି ହିଂସାତ୍ମକ ମୋଡରେ ପହଞ୍ଚିଛି। ଶୁକ୍ରବାର ଫିଲପାଇନ୍ସ କୋଷ୍ଟଗାର୍ଡ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ଚୀନ୍ କୋଷ୍ଟଗାର୍ଡର ଏକ ପୋତ ଫିଲପାଇନ୍ସ ର ଏକ ସରକାରୀ ଜାହାଜ କୁ ଜୋରଦାର ଧକ୍କା ଦେଇଛି । ତେବେ ଫିଲପାଇନ୍ସର ଅଭିଯୋଗକୁ ଚୀନ୍ ଖାରଜ କରିଦେଇଥିବା ବେଳେ ଘଟଣାକୁ ବୈଧ ଆଇନ ପ୍ରବର୍ତ୍ତନ ଅଭିଯାନ ବୋଲି କହିଛି । ଚୀନ୍ କୋଷ୍ଟଗାର୍ଡ ମୁଖପାତ୍ର କହିଛନ୍ତି ଯେ ଫିଲପାଇନ୍ସ ବୋଟ୍ ଚେତାବନୀକୁ ବାରମ୍ବାର ଅଣଦେଖା କରି ଚୀନ୍ ଜାହାଜ ସାମ୍ନାକୁ ଆସିବାକୁ ଉଦ୍ୟମ କରିଥିଲା ।

ବେଜିଂ କହିଛି ଯେ ଅଧିକାରୀ ମାନକ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି । ଏହି ଧକ୍କା ଓ କ୍ଷତି ବାବଦ ବ୍ୟୟ ଚୀନ୍ ସମ୍ପୂର୍ଣ୍ଣ ରୂପେ ଫିଲପାଇନ୍ସ ପ୍ରଶାସନ ଉପରେ ପକାଇଛି । ଫିଲପାଇନ୍ସ ଅଧିକାରୀ ଘଟଣାର ଏକ ଭିଡିଓ ଜାରି କରି ଅଭିଯୋଗ କରିଛନ୍ତି ଯେ ଚୀନ୍ କୋଷ୍ଟ ଗାର୍ଡ ଅନେକ ବିପଦଜନକ ରଣନୈତିକ କୌଶଳ କରିଥିଲା ଓ ଶେଷରେ ସରକାରୀ ଜାହାଜକୁ ଜାଣିଶୁଣି ଧକ୍କା ଦେଇଥିଲା। ଏହି ଧକ୍କା ଯୋଗୁ ଫିଲପାଇନ୍ସ ଜାହାଜର ସୁରକ୍ଷା ରେଲିଂ ଓ ଡେକ୍ ର ଉପରିଭାଗ କ୍ଷତିଗ୍ରସ୍ତ ହୋଇଛି। ତେବେ ଆଶ୍ୱସ୍ତିର କଥା ହେଉଛି ଏହି ଘଟଣାରେ କର୍ମଚାରୀଙ୍କୁ ଶାରୀରିକ ଭାବେ ଆଘାତ ଲାଗି ନାହିଁ।

ମାନିଲା ଏହି ଜୀବିକା ଓ ମାନବୀୟ ସହାୟତାରେ ନିୟୋଜିତ ଜାହାଜ ଉପରେ ଚୀନ୍ ବଳଙ୍କ ପ୍ରତ୍ୟକ୍ଷ ଆକ୍ରମଣ ବୋଲି କହିଛି। ଦକ୍ଷିଣ ଚୀନ ସାଗରରେ ଏପରି ବିପଦଜନକ ଝଗଡ଼ା ଏବେ ଧିରେ ଧିରେ ସାଧାରଣ ଘଟଣାରେ ପରିଣତ ହେଲାଣି। ଏହା ପୂର୍ବରୁ ଜୁଲାଇ ମାସରେ ସ୍କାରବୋରୋ ସୋଲ ନିକଟରେ ଚୀନ୍ ଜାହାଜ ଫିଲପାଇନ୍ସ ବୋଟମାନଙ୍କ ଉପରକୁ ୱାଟର କ୍ୟାନନ ଚଳାଇବା ଓ ସେକେଣ୍ଡ ଥୋମାସ ସୋଲରେ ଫିଲପାଇନ୍ସ ନୌସେନାଙ୍କ ଉପରେ ଆକ୍ରମଣ କରିଥିଲା।

ଚୀନ୍ ତାର କାଳ୍ପନିକ ‘ନାଇନ-ଡ୍ୟାସ୍ ଲାଇନ’ ଆଧାରରେ ପାଖାପାଖି ସମ୍ପୂର୍ଣ୍ଣ ଦକ୍ଷିଣ ଚୀନ ସାଗର ଉପରେ ନିଜର ଐତିହାସିକ ଅଧିକାର ଜାହିର କରୁଛି। ଏହାର ବିପରୀତ ଫିଲପାଇନ୍ସ ଜାତିସଂଘ କନଭେସନ (ୟୁଏନସିଏଲଓଏସ୍)ନିଜର ୨୦୦ ନଟିକାଲ ମାଇଲର ଏକ୍ସକ୍ଲୁସିଭ ଇକୋନମିକ ଜୋନ (ଇଇଜେଡ) ଦାବି କରୁଛି। ଯାହାକୁ ସେ ୱେଷ୍ଟ ଫିଲପାଇନ୍ସ ସି ବୋଲି କହୁଛି।