ଛତ୍ରପୁର: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘଟିଲା ଅଘଟଣ। ଋଷିକୁଲ୍ୟା ନଦୀରେ ଭାସିଗଲେ ତିନି ଛାତ୍ର। ପୁରୁଷୋତ୍ତମପୁର ତୁମ୍ବେଶ୍ୱର ଋଷିକୁଲ୍ୟା ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ କରିବା ବେଳେ ତିନି ଜଣ ଛାତ୍ର ଭାସିଯାଇଛନ୍ତି। ଅବଶ୍ୟ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଯୋଗୁ ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ତେବେ ଅନ୍ୟ ଜଣେ ଛାତ୍ର ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ତାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀରେ ପ୍ରଚେଷ୍ଟା ଜାରି ରହିଛି। ନିଖୋଜ ଛାତ୍ର ଜଣକ ହେଲେ ରମ୍ଭା ଥାନା ଅଧିନ ଖଣ୍ଡିଦେଉଳ ଜରକୁଆଲି ଗ୍ରାମର ସୁମିତ ମିଶ୍ର (୨୦) ବର୍ଷ ।

ମିଳିଥିବା ସୂଚନା ଅନୁସାରେ, ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଉକ୍ତ ଗ୍ରାମର କିଛି ଛାତ୍ରମାନେ ନଦୀଘାଟକୁ ଯାଇଥିଲେ। ବିସର୍ଜନ ସମୟରେ ଅସାବଧାନତା ହେତୁ ତିନି ଜଣ ଛାତ୍ର ଗଭୀର ପାଣିକୁ ଚାଲିଯାଇ ନଦୀର ପ୍ରବଳ ସ୍ରୋତରେ ଭାସିଯାଇଥିଲେ। ନିକଟରେ ଥିବା ସ୍ଥାନୀୟ ଲୋକେ ତୁରନ୍ତ ଦୁଇ ଜଣ ଶୁଭମ କୁମାର ଦାଶ ଓ ଅମୀୟ ରଞ୍ଜନ ଦାଶଙ୍କ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

Also Read: ଷ୍ଟେଜରେ ଅଭିନୟ କରୁଥିଲେ ତମସା, ହଠାତ୍ ସହ କଳାକାରଙ୍କୁ ଚେୟାର ମାରିଲେ ଦର୍ଶକ

ଅନ୍ୟପଟେ ସୁମିତ ନିଖୋଜ ଥିବା ଜଣେ ଛାତ୍ରଙ୍କର କୌଣସି ସନ୍ଧାନ ମିଳିପାରିନାହିଁ। ଖବର ପାଇ ପୁରୁଷୋତ୍ତମପୁର ଓ ଛତ୍ରପୁର ଅଗ୍ନିଶମ ବିଭାଗର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନଦୀରେ ବ୍ୟାପକ ସନ୍ଧାନ ଓ ଉଦ୍ଧାର ଅପରେସନ୍ ଜାରି ରଖିଛନ୍ତି। ଅଗ୍ନିଶମ ବାହିନୀର ବୋଟ୍ ଜରିଆରେ ନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚଳାଇଛନ୍ତି।