ନୂଆଦିଲ୍ଲୀ: ଅନୁସୂଚିତ ଜାତି(ଏସସି) ଏବଂ ଅନୁସୂଚିତ ଜନଜାତି(ଏସଟି) ବିଦ୍ୟାର୍ଥୀଙ୍କୁ ମାଟ୍ରିକ ପରେ ମିଳୁଥିବା ସ୍କଲାରସିପ ଯୋଜନାର ଯୋଗ୍ୟତାରେ ପରିବର୍ତ୍ତନ ହୋଇପାରେ।ଗତ ଏକ ଦଶନ୍ଧିରୁ ଅଧିକ ସମଜୟ ଧରି ଏହି ଯୋଜନା ଆଧାରରେ ମିଳୁଥିବା ଛାତ୍ରବୃତ୍ତି ପାଇଁ ଅଭିଭାବକଙ୍କ ବାର୍ଷିକ ଆୟ ସୀମାରେ କୌଣସି ସଂଶୋଧନ କରାଯାଇ ନାହିଁ। ଏହାକୁ ନେଇ ବିଭିନ୍ନ ସରକାରୀ ସଂଗଠନ ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ଏହା ପକ୍ଷପାତ ବୋଲି ଅଭିଯୋଗ କରିଛନ୍ତି। ହେଲେ କେନ୍ଦ୍ର ସରକାର ସଂପ୍ରତି ଏହି ଯୋଜନା ପାଇଁ ଆୟ ସୀମା ବଢାଇବାର ସଙ୍କେତ ଦେଇଛନ୍ତି।

ସାମାଜିକ ନ୍ୟାୟ ଏବଂ ଅଧିକାରିତା ମନ୍ତ୍ରଣାଳୟ ଓ ଜନଜାତି କାର୍ଯ୍ୟ ମନ୍ତ୍ରଣାଳୟ ଶେଷ ଥର ୨୦୧୩ରେ ସ୍କଲାରସିପ ପାଇଁ ପରିବାରର ଆୟ ସୀମା ବର୍ଷକୁ ୨ ଲକ୍ଷରୁ ବଢାଇ ଅଢେଇ ଲକ୍ଷ ଟଙ୍କା କରିଥିଲା। ଯୋଜନାର ନିୟମ ମୁତାବକ ଦରବୃଦ୍ଧି ଏବଂ ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆୟ ସୀମାର ସମୀକ୍ଷା ପ୍ରତି ଦୁଇ ବର୍ଷରେ ହେବା ଉଚିତ୍। ହେଲେ ଗତ ୧୧ ବର୍ଷରେ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

Also Read:  ଚାଷୀଙ୍କୁ ଶସ୍ତାରେ ସାର ଯୋଗାଇବାକୁ ବ୍ୟାଗ ପ୍ରତି ୨୭୦୦ ଟଙ୍କା ସବସିଡି ବୋଝ ସହୁଛନ୍ତି କେନ୍ଦ୍ର ସରକାର: ନିର୍ମଳା ସୀତାରମଣ

EWS କୋଟାରୁ ତୁଳନା ଉପରେ ପଠିଲା ପ୍ରଶ୍ନ

ଡ. ବାବାସାହେବ ଆମ୍ବେଦକର ନ୍ୟାସନାଲ ଆସୋସିଏସନ ଅଫ ଇଞ୍ଜିନିୟର୍ସ(BANAE), ନ୍ୟାସନାଲ କନଫେଡେରେସନ ଅଫ ଦଳିତ ଅର୍ଗାନାଇଜେସନ(NACDOR), ନ୍ୟାସନାଲ କ୍ୟାମ୍ପେନ ଫର ଦଳିତ ହ୍ୟୁମାନ ରାଇଟ୍ସ (NCDHR) ପରି ସଂଗଠନ ଏହି ବ୍ୟବସ୍ଥା ଉପରେ କଡ଼ା ଆପତ୍ତି ପ୍ରକାଶ କରିଛନ୍ତି। ଏହି ସଂଗଠନର କହିବା କଥା ଗୋଟିଏ ପଟେ ଆର୍ଥିକ ଭାବେ ଦୁର୍ବଳ ବର୍ଗ(EWS) ପାଇଁ ୧୦ ପ୍ରତିଶତ ସଂରକ୍ଷଣର ପାତ୍ରତା ହେତୁ ବାର୍ଷିକ ଆୟ ସୀମା ୮ ଲକ୍ଷ ଟଙ୍କା ସ୍ଥିର କରାଯାଇଛି। କିନ୍ତୁ ଅନ୍ୟପଟେ ଏସସି-ଏସଟି ବର୍ଗର ଛାତ୍ରଙ୍କ ପାଇଁ ଏହି ସୀମା ମାତ୍ର ଅଢେଇ ଲକ୍ଷ ଟଙ୍କାରେ ସୀମିତ ରଖାଯାଇଛି।

BANAEର ଅଧ୍ୟକ୍ଷ ନାଗସେନ ସୋନାରେଙ୍କ ଅନୁସାରେ, ଗତ ୧୧ ବର୍ଷରେ ଏହି ଆୟ ସୀମା ଅତି କମରେ ୬ ଥର ସଂଶୋଧନ ହେବାର ଥିଲା। ସେ ଦାବି କରିଛନ୍ତି ଯେ, ବର୍ଦ୍ଧିତ ଦରବୃଦ୍ଧିକୁ ଦେଖି ଏସସି-ଏସଟି ପୋଷ୍ଟ ମ୍ୟାଟ୍ରିକ ସ୍କଲାରସିପ ପାଇଁ ଆୟ ସୀମା ବଢାଯାଇ ବାର୍ଷିକ ୧୨ ଲକ୍ଷ ଟଙ୍କା କରାଯିବା ଉଚିତ୍। ଯଦ୍ଵାରା ଅଧିକ ଛାତ୍ରଛାତ୍ରୀଙ୍କୁ ଏହାର ଲାଭ ମିଳି ପାରିବ।

Also Read: ୧୯୯୯ରୁ ଚଳାଇଥିଲେ ଚେଷ୍ଟା, ୨୦୨୬ରେ ପାଇଲେ ଶିକ୍ଷକ ଚାକିରି, ୨ ବର୍ଷ ପରେ ଅବସର

ଆଗାମୀ ଶିକ୍ଷାବର୍ଷରୁ ଲାଗୁ ହୋଇପାରେ ପ୍ରସ୍ତାବ

ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ମହଙ୍ଗା ଏବଂ ବଦଳୁଥିବା ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଆୟ ସୀମାକୁ ୪.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାର ଯୋଜନା ବନାଉଛନ୍ତି। ଏହି ପ୍ରସ୍ତାବକୁ ଆଗାମୀ ୨୦୨୬-୨୭ ଶିକ୍ଷାବର୍ଷରୁ ଲାଗୁ କରିବା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏଥିପାଇଁ କେନ୍ଦ୍ରୀୟ କ୍ୟାବିନେଟ୍‌ର ଅନୁମୋଦନ ମିଳିବା ବାକି ଅଛି।