ରାୟଗଡ଼ା ୨୯।୧୦: ରାୟଗଡ଼ାର ବହୁ ଚର୍ଚ୍ଚିତ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍.ଭାସ୍କର ରାଓଙ୍କ ସର୍ତ୍ତମୂଳକ ଜାମିନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ତାଙ୍କ ସହ ଅନ୍ଯ ୪ ଅଭିଯୁକ୍ତଙ୍କ ଜାମିନ ମଧ୍ୟ ଖାରଜ ହୋଇଛି । ଦୁଇ ସପ୍ତାହ ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ଦେଇଥିବା ସର୍ତ୍ତମୂଳକ ଜାମିନର ପୁନଃବିଚାର କରିବା ପାଇଁ ଭାଗିରଥୀଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ମାମଲାର ବିଚାର କରି ଜାମିନକୁ ଖାରଜ କରିଦେଇଥିବା ଜଣାପଡିଛି ।

ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାଣ୍ଡକୁ ନେଇ ରାୟଗଡ଼ା ଜିଲ୍ଲାରେ ଗତ ୨୦୧୦ ମସିହା ଡିସେମ୍ବର ୨୩ ତାରିଖରେ ମାମଲା ରୁଜୁ ହୋଇଥିଲା । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଘଟଣାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । କଟକ ସିଆଇଡି ଥାନାରେ ୨୦୧୧ ଏପ୍ରିଲ୍ ୫ ତାରିଖରେ ମାମଲା ରୁଜୁ ହେବା ପରେ ୫ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପରେ ମାମଲାର ଶୁଣାଣି କରି ହାଇକୋର୍ଟ ୨୦୨୬ ଜାନୁଆରୀ ୨୨ ତାରିଖ ଦିନ ସମସ୍ତ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ହାଇକୋର୍ଟଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଭାଗିରଥୀଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

Also Read:- ନାରାୟଣପାଟଣାରେ ବର୍ଷାର ତାଣ୍ଡବ, ୨ ବ୍ଲକ୍ ଅନ୍ଧାରରେ ; ଝଞ୍ଜାବତୀ ନଦୀରେ ବଢ଼ୁଛି ଜଳସ୍ତର

ତେବେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍.ଭାସ୍କର ରାଓଙ୍କ ସମେତ ୟୋଲା ଏଙ୍କେଟେଶ୍ବର ରାଓ, କେ.କ୍ରିଷ୍ଣା ରାଓ, ଆଦି ନାରାୟଣ, ଇପିଲି ରାଜୁ ଓ ପି.ଦିଲ୍ଲୀପ କୁମାରଙ୍କୁ କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ୟେଲା ଏଙ୍କେଟେଶ୍ବର ରାଓଙ୍କର କିଛି ମାସ ପୂର୍ବରୁ ମୃତ୍ୟୁ କରିସାରିଛି । ତେବେ ସ୍ବର୍ଗତ ଭାଗିରଥୀ ମାଣ୍ଡାଙ୍ଗିଙ୍କ ପରିବାର କୋର୍ଟଙ୍କ ଏହି ଆଦେଶକୁ ସ୍ବାଗତ କରିବା ସହ ଆଦିବାସୀ ମହାସଂଘର ଦୀର୍ଘ ୧୬ ବର୍ଷର ନ୍ଯାୟିକ ଲଢେଇର ବିଜୟ ହୋଇଛି ବୋଲି କହିଛନ୍ତି ।

Watch Video: