ଲକ୍ଷ୍ନୌ: ସବୁଠି ଅସହ୍ୟ ଗରମ। ଜନଜୀବନ ଅସ୍ତବ୍ୟସ୍ତ। ବଜ୍ରବାଣ ଖରାରେ ଘରୁ ବାହାରିବା ମୁସ୍କିଲ। ଠିକ୍ ଏତିକି ବେଳେ ଥଣ୍ଡା ପବନ ବାଜିଗଲେ ମନରେ ଭରିଯାଉଛି ଶାନ୍ତି। ପ୍ରବଳ ଗରମ ଯୋଗୁଁ ଏସିର ଚାହିଦା ବଢ଼ିବାରେ ଲାଗିଛି। କିନ୍ତୁ AC ମୂଲ୍ୟ ଢ଼େର ମହଙ୍ଗା ହୋଇଥିବାରୁ ଏହାକୁ ଘରେ ଲଗାଇବା କଷ୍ଟକର ହୋଇପଡୁଛି। କିନ୍ତୁ ଟେନସନ୍ ହେବାର ନାହିଁ। ଭୀଷଣ ଗରମରୁ ବର୍ତ୍ତିବା ପାଇଁ ରିତେଶ ନାମକ ଜଣେ ବ୍ୟକ୍ତି ଏକ ଦେଶୀ ଯୁଗାଡ କରିଛନ୍ତି, ଯାହା କମ୍ ଖର୍ଚ୍ଚରେ ଥଣ୍ଡା ହୋଇଯିବ ଘର।

ବୈଜ୍ଞାନିକ ପଦ୍ଧତିରେ ଖରା ତାତିରୁ ଘରକୁ ବଞ୍ଚାଇବା ପାଇଁ ବ୍ୟକ୍ତି ଜଣକ ସମାଧାନର ବାଟ କାଢିଛନ୍ତି। ଭିଡିଓରେ ରିତେଶ ଦାବି କରିଛନ୍ତି ଯେ ଏହା ଘରକୁ ଥଣ୍ଡା ରଖିଥାଏ। ସେ କହିଛନ୍ତି ଯେ କିଭଳି ଏକ ସରଳ ଓ ଶସ୍ତା ଉପାୟ ବ୍ୟବହାର କରି ଘରର ଛାତକୁ ଥଣ୍ଡା କରାଯାଇପାରିବ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ପାଇଁ ମାତ୍ର  ୮୦୦ ରୁ ୮୫୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। ଯାହାକୁ ଜଣେ ସାଧାରଣ ଲୋକ ବି ବ୍ୟବହାର କରିପାରିବ।

ତେବେ ଏହାରି ଭିତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ରିତେଶ ଛାତକୁ ଥଣ୍ଡା ରଖିବାର ଏକ ପଦ୍ଧତି ବିଷୟରେ କହିଛନ୍ତି । ତେବେ ଦେଖାଯାଇଥିବା ଭିଡିଓରେ ସେ ଘରର ଛାତ ଉପରେ ଖାଲି ପାଦରେ ବୁଲୁଛନ୍ତି ଏବଂ କହୁଛନ୍ତି ଯେ 44 ଡିଗ୍ରୀ ତାପମାତ୍ରାରେ ବି ଘରର ଛାତ ପୁରା ଥଣ୍ଡା ଅନୁଭୂତ ହେଉଛି। ସୂର୍ଯ୍ୟଙ୍କ ତାପମାତ୍ରା ଯେତେ ଅଧିକ ହେଲେ ଛାତ ସେତେ ଥଣ୍ଡା ରହିବ ବୋଲି ସେ ଦାବି କରିଛନ୍ତି।

ଯେତେବେଳେ ତାଙ୍କୁ ପଚରା ଯାଇଥିଲା ଯେ ଏହା କିପରି ସମ୍ଭବ ? ସେ କହିଥିଲେ ଯେ ଏହା କୌଣସି ଯାଦୁ ନୁହେଁ ବରଂ ଏହା ବୈଜ୍ଞାନିକ ପଦ୍ଧତି ଅଟେ। ଏହା ଏକ ପ୍ରକାର ମିଶ୍ରଣ ଅଟେ ଯାହାକୁ ଛାତରେ ଲଗାଇବା ଦ୍ୱାରା ଛାତର ଉପରିଭାଗ ତାପମାତ୍ରା ୧୫ ଡିଗ୍ରୀ କମିଯାଏ। ଅର୍ଥାତ ବାହାରେ ତାପମାତ୍ରା 44 ଡିଗ୍ରୀ ଥିଲେ ଛାତ ଥଣ୍ଡା ରହିବା କାରଣରୁ ଘର ଭିତର ପ୍ରାୟ ୨୮ରୁ ୩୦ ଡିଗ୍ରୀ ରହିଥାଏ।

ଏହି ମିଶ୍ରଣ କିପରି ପ୍ରସ୍ତୁତ କରିବେ ତାହା ମଧ୍ୟ ବ୍ୟାଖ୍ୟା କରିଥିଲେ ରିତେଶ । ସେ କହିଥିଲେ ଯେ ଏଥିପାଇଁ ୨୦ କିଲୋ ଚୂନ ବ୍ୟବହାର କରାଯାଏ। ଯାହାର ମୂଲ୍ୟ ପ୍ରାୟ ୩୫୦ ଟଙ୍କା। । ୫ କିଲୋ ଫେଭିକଲ୍ ଡିଡିଏଲ୍ ବାଇଣ୍ଡର୍ ଏବଂ ୫୦୦ ଗ୍ରାମ ୱାଟରପ୍ରୁଫ କମ୍ପାଉଣ୍ଡ ମିଶ୍ରିତ ହୁଏ। ଏହି ସମସ୍ତ ଉପାଦାନର ମୋଟ ମୂଲ୍ୟ ପ୍ରାୟ ୮୦୦ରୁ ୮୫୦ ଟଙ୍କା ପର୍ଯ୍ୟନ୍ତ ଆସିଥାଏ। ମିଶ୍ରଣ ପ୍ରସ୍ତୁତ କରିବା ପାଇଁ,ପ୍ରାୟ ୫୦ ଲିଟର ପାଣିରେ ଚୂନକୁ ରାତିସାରା ବୁଡ଼ାଇ ରଖାଯାଏ। କିଛି ଘଣ୍ଟା ପରେ ବାକି ସାମଗ୍ରୀ ମିଶାଯାଇ ମିଶ୍ରଣ ପ୍ରସ୍ତୁତ କରାଯାଏ। ଏହି ଆବରଣ ୧୦୦୦ ବର୍ଗଫୁଟ ଛାତରେ ଲଗାଯାଇପାରିବ। ଯାହା କମ ଖର୍ଚ୍ଚରେ ଘରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିବ।