ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାର ତେଲ କମ୍ପାନୀଗୁଡ଼ିକ ଉପରେ ସୀମା ଠାରୁ ଅଧିକ ପରିମାଣରେ ଇଥାନଲ ମିଶାଇବା ନେଇ ଅଭିଯୋଗ ଆଣିଛନ୍ତି। ନିୟମ ଅନୁସାରେ ଇ-୨୦ ପେଟ୍ରୋଲ୍‌ରେ ୨୦ ପ୍ରତିଶତ ଇଥାନଲ ମିଶାଇବା କଥା। ହେଲେ ତୈଳ କମ୍ପାନୀଗୁଡ଼ିକ ୩୧.୨ ପ୍ରତିଶତ ଇଥାନଲ ମିଶାଇଥିବା ଲ୍ୟାବ ଟେଷ୍ଟରୁ ଜଣାପଡ଼ିଛି ବୋଲି କର୍ଣ୍ଣାଟକ ସରକାର ଅଭିଯୋଗ କରିଛନ୍ତି।

ରାଜ୍ୟ ସରକାର ଅଭିଯୋଗ କରି କହିଛନ୍ତି ଏହି ମିଶ୍ରଣ ଯୋଗୁ ଗାଡ଼ିଗୁଡ଼ିକର ମାଇଲେଜ୍ କମିଛି। ମେଣ୍ଟେନାନ୍ସ ଖର୍ଚ୍ଚ ବଢ଼ିଛି। ତେଣୁ ଗାଡ଼ିଗୁଡ଼ିକର ହୋଇଥିବା କ୍ଷତି ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର କ୍ଷତିପୂରଣ ଫଣ୍ଡ ଗଠନ କରିବା ଉଚିତ ବୋଲି କର୍ଣ୍ଣାଟକ ସରକାର ଦାବି କରିଛନ୍ତି।

ସରକାରୀ ଲ୍ୟାବ୍‌ରୁ ମିଳିଲାନି ଜବାବ, ଘରୋଇ ଲ୍ୟାବରେ ଜଣାପଡ଼ିଲା ସତ

ମାମଲାର ଖୁଲାସା କରିବା ପାଇଁ ରାଜ୍ୟ ସରକାର ଇଣ୍ଡିଆନ୍ ଅଏଲ୍, ହିନ୍ଦୁସ୍ତାନ ପେଟ୍ରୋଲିୟମ୍, ଭାରତ ପେଟ୍ରୋଲିୟମ୍, ନାୟାରା ଏବଂ ସେଲ୍ ଭଳି କମ୍ପାନୀର ପେଟ୍ରୋଲ ପମ୍ପରୁ ୬୩ ଟି ନମୁନା ସଂଗ୍ରହ କରିଥିଲେ। ଏହାପର ସେଗୁଡ଼ିକୁ ଲ୍ୟାବ୍‌କୁ ପଠାଯାଇଥିଲା। କିନ୍ତୁ ତେଲ କମ୍ପାନୀଗୁଡ଼ିକର ନିଜସ୍ୱ ଲ୍ୟାବରୁ ଏନେଇ କୌଣସି ସୂଚନା ମିଳିପାରିଲା ନାହିଁ। ଏହାପରେ ରାଜ୍ୟ ସରକାରଙ୍କର ସନ୍ଦେହ ହୋଇଥିଲା। ଏଥିପାଇଁ ବେଙ୍ଗାଲୁରୁର ଏକ ISO ଏବଂ NABL ଅନୁମୋଦିତ ଘରୋଇ ଲାବ 'ଶ୍ରୀରାମ ଗବେଷଣା ପ୍ରତିଷ୍ଠାନ'ରେ ସାମ୍ପଲଗୁଡ଼ିକର ଯାଞ୍ଚ କରାଇଥିଲେ ରାଜ୍ୟ ସରକାର। ଏହାପରେ ପେଟ୍ରୋଲରେ ଅତ୍ୟଧିକ ପରିମାଣରେ ଇଥାନଲ୍ ମିଶିଥିବା ଜଣାପଡ଼ିଥିଲା।

କେଉଁ କମ୍ପାନୀ କେତେ ପରିମାଣରେ ଇଥାନଲ ମିଶାଇଥିଲେ ?

ଲ୍ୟାବ୍‌ ଯାଞ୍ଚରେ ସମସ୍ତ କମ୍ପାନୀ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଇଥାନଲ ମିଶାଇଥିବା ଜଣାପଡ଼ିଥିଲା। ବେଙ୍ଗାଲୁରୁ ସହରାଞ୍ଚଳ ସମେତ ୭ଟି ଜିଲ୍ଲାରୁ ନିଆଯାଇଥିବା IOCL ପେଟ୍ରୋଲ ନମୁନାରେ ସର୍ବାଧିକ ୩୧.2% ଇଥାନଲ୍ ମିଶିଥିଲା। ଅନ୍ୟ ନମୁନାଗୁଡ଼ିକରେ ୨୦.୮% ଇଥାନଲ୍ ମିଶିଥିବା ଜଣାପଡ଼ିଥିଲା।

ସେହିପରି HPCLର ପାୱାର ପେଟ୍ରୋଲରେ ୩୦.୫% ଇଥାନଲ୍ ଏବଂ ସାଧାରଣ ପେଟ୍ରୋଲରେ ୨୭% ଇଥାନଲ ମିଶିଥିବା ଜଣାପଡ଼ିଥିଲା। BPCLର ସ୍ପିଡ୍ ପେଟ୍ରୋଲରେ ୨୬.୫% ଏବଂ ଅନ୍ୟାନ୍ୟ ନମୁନାଗୁଡ଼ିକରେ ୨୪.୨% ଏବଂ ୨୨.୬% ଇଥାନଲ୍ ମିଶିଥିବା ଜାଣିବାକୁ ପାଇଥିଲେ ରାଜ୍ୟ ସରକାର। ଏହା ବ୍ୟତୀତ, ନାୟାରା ପେଟ୍ରୋଲରେ ୨୬.୧% ଓ ସେଲ୍ ପେଟ୍ରୋଲରେ ୨୫.୫% ଏବଂ MRPL ପେଟ୍ରୋଲରେ ୧୯.୨% ଇଥାନଲ୍ ମିଶିଥିବା ଲ୍ୟାବ ଟେଷ୍ଟରୁ ଧରାପଡିଥିଲା।

ଗାଡ଼ି ମାଲିକଙ୍କର ୧ ଲକ୍ଷ କୋଟିର କ୍ଷତି

କର୍ଣ୍ଣାଟକର ଖାଦ୍ୟ, ନାଗରିକ ଯୋଗାଣ ଏବଂ ଗ୍ରାହକ ବ୍ୟାପାର ମନ୍ତ୍ରୀ, ରିଜୱାନ ଅର୍ଶଦ ଏନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ପ୍ରକୃତରେ ପେଟ୍ରୋଲରେ କେତେ ପରିମାଣରେ ଇଥାନଲ ମିଶିବ, ଓ ଲୋକେ କେତେ ପରିମାଣରେ ଇଥାନଲ ପାଉଛନ୍ତି ସେନେଇ କେନ୍ଦ୍ର ସରକାର ଜନସାଧାରଣଙ୍କୁ ସ୍ପଷ୍ଟ କରନ୍ତୁବୋଲି ରିଜୱାନ ଦାବି କରିଛନ୍ତି। 

ତେବେ ଇଥାନଲ ମିଶିବା ନେଇ କେତେ କ୍ଷତି ହୋଇଛି ସେ ନେଇ କର୍ଣ୍ଣାଟକ ସରକାର ଏକ ତଥ୍ୟ ଦେଇଛନ୍ତି।

ମାଇଲେଜ୍‌ ହ୍ରାସର କ୍ଷତି- ? ପେଟ୍ରୋଲରେ ଅଧିକ ଇଥାନଲ ଯୋଗୁ ଯଦି ମାଇଲେଜ୍ ୧୦ ପ୍ରତିଶତ ହ୍ରାସ ପାଇଥାଏ ତେବେ ଦେଶରେ ଗାଡ଼ି ମାଲିକଙ୍କର ୬୨,୦୦୦ କୋଟି କ୍ଷତି ହୋଇଥିବ।
​​​​​​​ମେଣ୍ଟାନାନ୍ସର ଅତିରିକ୍ତ ଖର୍ଚ୍ଚ- ଗାଡ଼ିଗୁଡ଼ିକର ଇଞ୍ଜିନ ଖରାପ ହେବା ଏବଂ ସର୍ଭିସିଂ ବାରମ୍ବାର କରିବା କାରଣରୁ ୩୯ ହଜାର କୋଟିର ଅତିରିକ୍ତ ଆର୍ଥିକ ବୋଝ ପଡ଼ିଥିବ।ଏଥିପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର କ୍ଷତିପୂରଣ ପାଣ୍ଠି ଗଠନ କରି ଏହାର ଭରଣା କରନ୍ତୁ ବୋଲି କର୍ଣ୍ଣାଟକ ସରକାର ଦାବି କରିଛନ୍ତି।