ନୂଆଦିଲ୍ଲୀ: ୧୯୯୮ ମସିହାରେ ଭାରତ ପୋଖରଣରେ ପରମାଣୁ ପରୀକ୍ଷଣ କରିଥିଲା । ସେତେବେଳେ ଭାରତର ମହାନ ବୈଜ୍ଞାନିକ ଡକ୍ଟର ଏପିଜେ ଅବଦୁଲ କଲାମ ଓ ତାଙ୍କ ଟିମ୍ ଆମେରିକାର ଗୁପ୍ତଚର ଉପଗ୍ରହର ନଜରରୁ ବର୍ତ୍ତି ଇତିହାସ ରଚିଥିଲେ । କିନ୍ତୁ ଏବେ ପଞ୍ଜାବ ଓ ହରିୟାଣାର ଚାଷ ଜମିରେ ସେହିଭଳି ଦୃଶ୍ୟ ଦେଖିବାକୁ ମିଳୁଛି । କିନ୍ତୁ ଏଥର ପରମାଣୁ ପରୀକ୍ଷଣ ନୁହେଁ, ବରଂ ନଡ଼ା ପୋଡ଼ୁଥିବା ଚାଷୀମାନେ ମହାକାଶରେ ବିଦେଶୀ ଉପଗ୍ରହର ନଜରରୁ ବର୍ତ୍ତିବାକୁ ଉଦ୍ୟମ କରୁଛନ୍ତି ।

ସରକାରୀ ତଥ୍ୟରେ ପଞ୍ଜାବ ଓ ହରିୟାଣାରେ ନଡ଼ା ପୋଡ଼ା ଘଟଣା କମିଛି । ଏନଡିଟିଭି ରିପୋର୍ଟ ଅନୁସାରେ, ୨୦୨୧ ମସିହାରେ ଏହି ଦୁଇ ରାଜ୍ୟରେ ପ୍ରାୟ ୮୦ ହଜାର ନଡ଼ା ପୋଡ଼ି ଘଟଣା ରେକର୍ଡ କରାଯାଇଥିଲା । ୨୦୨୫ରେ ଏହି ସଂଖ୍ୟା ଖସି ୬ ହଜାର ହୋଇଥିଲା । ସରକାରୀ କାର୍ଯ୍ୟାନୁଷ୍ଠାନ, ଜରିମାନା, କୃଷି ଯନ୍ତ୍ରପାତି ଉପରେ ସବସିଡି ଏବଂ ସଚେତନତା ଯୋଗୁଁ ଏହି ହ୍ରାସ ଘଟିଥିବା କୁହାଯାଉଛି । କିନ୍ତୁ ବିଶେଷଜ୍ଞଙ୍କ ମତରେ ଏହା ପଛରେ ଆଉ ଏକ କାରଣ ରହିଛି ।

ଏନଡିଟିଭି ରିପୋର୍ଟ ଅନୁସାରେ, ମହାକାଶରେ ଘୂରି ବୁଲୁଥିବା ଉପଗ୍ରହ ୨୪ ଘଣ୍ଟା ପ୍ରତ୍ୟେକ ସ୍ଥାନ ଉପରେ ନଜର ରଖିପାରେ ନାହିଁ । ଜମିରେ ନଡ଼ା ପୋଡ଼ି ଉପରେ ନଜର ରଖିବା ପାଇଁ ମୁଖ୍ୟତଃ ଚାରିଟି ପୋଲାର ଅର୍ବିଟିଂ ଉପଗ୍ରହ ବ୍ୟବହାର କରାଯାଉଛି । ଉପଗ୍ରହଗୁଡ଼ିକ ଦିନର ନିର୍ଦ୍ଦିଷ୍ଟ ସମୟରେ ହିଁ କୌଣସି ଅଞ୍ଚଳ ଉପର ଦେଇ ଗତି କରନ୍ତି ।

ଚାଷୀମାନେ ଉପଗ୍ରହ କେଉଁ ସମୟରେ ସେମାନଙ୍କ ଚାଷ ଜମି ଉପରେ ଅତିକ୍ରମ କରୁଛି ସେ ସମ୍ପର୍କରେ ଧାରଣା ପାଇଛନ୍ତି । ଫଳରେ ଉପଗ୍ରହର ନଜରକୁ ନଆସିବାରୁ ନଡ଼ା ପୋଡ଼ା ଘଟଣା କମ୍ ରେକର୍ଡ ହେଉଥିବା ଆଶଙ୍କା କରାଯାଉଛି । ଏହି ସମସ୍ୟାକୁ ଚିହ୍ନଟ କରିବା ପାଇଁ ପରିବେଶ ଗବେଷଣା ସଂସ୍ଥା ଇଣ୍ଟରନ୍ୟାସନାଲ୍ ଫୋରମ୍ ଫର୍ ଏନଭାୟରମେଣ୍ଟ, ସଷ୍ଟେନେବିଲିଟି ଆଣ୍ଡ ଟେକ୍ନୋଲୋଜି (iFOREST) ପକ୍ଷରୁ 'ଫାୟାର ୱାଚ୍' ନାମକ ଏକ ନୂଆ ମଲ୍ଟି-ସାଟେଲାଇଟ୍ ପ୍ଲାଟଫର୍ମ ଆରମ୍ଭ କରାଯାଇଛି ।

ଏଥିରେ MODIS ଓ VIIRS ସହିତ Meteosat-8 ଏବଂ Meteosat-9 ଉପଗ୍ରହର SEVIRI ଯନ୍ତ୍ରରୁ ମିଳୁଥିବା ତଥ୍ୟକୁ ମଧ୍ୟ ଯୋଡ଼ାଯାଇଛି । ଏହି ଜିଓଷ୍ଟେସନାରୀ ଉପଗ୍ରହଗୁଡ଼ିକ ଗୋଟିଏ ଅଞ୍ଚଳ ଉପରେ ନିରନ୍ତର ନଜର ରଖିପାରନ୍ତି । ପ୍ରାୟ ପ୍ରତି ୧୫ ମିନିଟ୍ରେ ନୂଆ ଚିତ୍ର ପଠାଇଥାନ୍ତି । ଫଳରେ କେଉଁ ସମୟରେ ନିଆଁ ଲାଗିଥିଲା, ତାହା ଜାଣିବା ସହଜ ହୋଇଥାଏ ।

ଚାଷୀମାନେ ଉପଗ୍ରହର ନଜରରୁ ନିଆଁକୁ ଲୁଚାଇବାରେ ସଫଳ ହେଲେ ମଧ୍ୟ ପୋଡ଼ା ଚିହ୍ନ ଲୁଚାଇବା ସମ୍ଭବ ନୁହେଁ । ହାଇଦ୍ରାବାଦ ସ୍ଥିତ ଜାତୀୟ ରିମୋଟ୍ ସେନ୍ସିଂ କେନ୍ଦ୍ର (NRSC) Cartosat-3 ଭଳି ଉଚ୍ଚ-ରିଜୋଲ୍ୟୁସନ୍ ଉପଗ୍ରହର ଚିତ୍ର ବ୍ୟବହାର କରି ନଡ଼ା ପୋଡ଼ିର ନିୟମିତ ବିଶ୍ଳେଷଣ କରିଥାଏ ।